‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’
କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ, ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଐତିହ୍ୟ, ଗୌରବ ଏବଂ ଶୈକ୍ଷିକ ପରିଚୟକୁ ବଜାୟ ରଖାଯାଉ ଏବଂ କେନ୍ଦୁଝର ପାଇଁ ଏକ ପୂର୍ଣ୍ଣାଙ୍ଗ, ପୃଥକ୍ ଏବଂ ସ୍ବତନ୍ତ୍ର କ୍ୟାମ୍ପସ ବିଶିଷ୍ଟ ଧରଣୀଧର ବିଶ୍ୱବିଦ୍ୟାଳୟ ଶୀଘ୍ର ସ୍ଥାପନ କରାଯାଉ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଆମ୍ ଆଦମୀ ପାର୍ଟି ଜଣାଇଛନ୍ତି। ଓଡ଼ିଶାର ଅନ୍ୟ ଜିଲାରେ ଗ୍ରୀନ୍ଫିଲ୍ଡ ବିଶ୍ୱବିଦ୍ୟାଳୟ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ କେନ୍ଦୁଝର ପ୍ରତି ସମାନ ନ୍ୟାୟ ହେବା ଆବଶ୍ୟକ। ଏଭଳି ଏକ ପ୍ରେସ୍ ବିଜ୍ଞପ୍ତିରେ ଆପ୍ ପକ୍ଷରୁ କରାଯାଇଛି।ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସଭାପତିତ୍ୱରେ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଧରଣୀଧର ବିଶ୍ୱବିଦ୍ୟାଳୟ ପୃଥକୀକରଣ ସମ୍ପର୍କିତ ଆଲୋଚନା ସଭାରେ ଅଧିକାଂଶ ଶିକ୍ଷାବିତ୍, ବୁଦ୍ଧିଜୀବୀ, ନାଗରିକ ମଞ୍ଚର ପ୍ରତିନିଧି ଓ ଜନପ୍ରତିନିଧିମାନେ ଉଭୟ ଅନୁଷ୍ଠାନର ପୃଥକୀକରଣ ପକ୍ଷରେ ମତ ବ୍ୟକ୍ତ କରିଥିଲେ। ଏଣୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ଯେ, ଜନଭାବନା, ଶିକ୍ଷାବିତ୍ମାନଙ୍କ ପରାମର୍ଶ ଏବଂ ଜିଲାର ଦୀର୍ଘମିଆଦୀ ଶିକ୍ଷାଗତ ସ୍ବାର୍ଥକୁ ସମ୍ମାନ ଜଣାଇ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଧରଣୀଧର ବିଶ୍ୱବିଦ୍ୟାଳୟର ପୃଥକୀକରଣ ପ୍ରକ୍ରିୟାକୁ ଅବିଳମ୍ବେ ସମ୍ପୂର୍ଣ୍ଣ କରନ୍ତୁ ବୋଲି ଆପ୍ ପକ୍ଷରୁ କୁହାଯାଇଛି।
ଯଦି ମୋହନ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର କେନ୍ଦୁଝରର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଅଣଦେଖା କରି ଏହି ନ୍ୟାୟସଙ୍ଗତ ଦାବିକୁ ଅବହେଳା କରନ୍ତି, ତେବେ ଆଗାମୀ ପିଢ଼ିର ଉଚ୍ଚଶିକ୍ଷା ଓ କେନ୍ଦୁଝରର ଶିକ୍ଷାଗତ ଭବିଷ୍ୟତର ସୁରକ୍ଷା ପାଇଁ ଆମ ଆଦ୍ମୀ ପାର୍ଟି, କେନ୍ଦୁଝର ଜନସାଧାରଣ, ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ସାଥୀରେ ନେଇ ଗଣତାନ୍ତ୍ରିକ ଉପାୟରେ ବ୍ୟାପକ ଆନ୍ଦୋଳନ ଆରମ୍ଭ କରିବ ବୋଲି ଆପ୍ର ଜିଲା ସଭାପତି ପ୍ରେମାନନ୍ଦ ସିଂ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।