କାଦୁଅରେ ଫସି ହନ୍ତସନ୍ତ ହେଲା ଦନ୍ତା: ସାଥୀ ହାତୀ ଶୁଣ୍ଢରେ ଟାଣି କଲା ଉଦ୍ଧାର
ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକ ଅଭାବନୀୟ ଏବଂ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ଦିନ ଏକ ୨୦ ଟିକିଆ ହାତୀପଲ ସେହି ଅଞ୍ଚଳରେ ଚଳାଚଳ କରୁଥିବା ସମୟରେ ଏକ ବୁଢ଼ାଦନ୍ତା ହାତୀ ବାଉଁଶୁଳି ଜଙ୍ଗଲ ଭିତରେ ବନ ବିଭାଗ ପକ୍ଷରୁ ଖୋଳାଯାଇଥିବା ଏକ ଟ୍ରେଞ୍ଚର କାଦୁଅରେ ଫସି ହନ୍ତସନ୍ତ ହୋଇଥିଲା। ହାତୀଟି ବାରମ୍ବାର ଉଠିବା ପାଇଁ ଶହ ଶହ ଚେଷ୍ଟା କରିଥିଲେ ମଧ୍ୟ ଏହାର ପଛ ଗୋଡ଼ ଦୁଇଟି ଗଭୀର କାଦୁଅରେ ସମ୍ପୂର୍ଣ୍ଣ ଫସିଯାଇଥିବାରୁ ସେ ଉଠିପାରି ନଥିଲା।
କାଦୁଅରେ ଫସି ହାତୀଟି ଅସହାୟ ଅବସ୍ଥାରେ ଜୋର୍ରେ ଗର୍ଜନ କରିବାକୁ ଲାଗିଥିଲା। ଏହି ସମୟରେ ପଲରେ ଥିବା ଅନ୍ୟ ଏକ ସାଥି ଦନ୍ତା ହାତୀ ସେଠାକୁ ଆସିଥିଲା ଏବଂ ନିଜର ବିଶାଳ ଶୁଣ୍ଢରେ ଫସିଥିବା ହାତୀଟିକୁ ଦୃଢ଼ ଭାବେ ଟାଣି ସୁରକ୍ଷିତ ଭାବେ କାଦୁଅରୁ ଉଦ୍ଧାର କରିଥିଲା। ସାଥୀ ହାତୀର ଏଭଳି ବୁଦ୍ଧିମତ୍ତା ଓ ପରସ୍ପର ପ୍ରତି ସହଯୋଗର ଭାବନା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି।
ଉଦ୍ଧାର ହେବା ପରେ ସେହି ଦନ୍ତାହାତୀଟି ବାଉଁଶୁଳି ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରକୁ ଚାଲିଆସି କିଛି ସମୟ ଛିଡ଼ା ହୋଇ ରହିଥିଲା। ଫଳରେ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଏବଂ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ତତ୍ପରତା ପ୍ରକାଶ କରି ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଜଗି ରହିଥିଲେ। କିଛି ସମୟ ପରେ ହାତୀଟି ନିଜେ ନିଜେ ନିକଟସ୍ଥ ଜଙ୍ଗଲ ଭିତରକୁ ଚାଲିଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ଏବଂ ରାସ୍ତାରେ ଯାତାୟାତ ପୁନଃ ଆରମ୍ଭ ହୋଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।