କଟକରେ କଙ୍ଗାରୁ କୋର୍ଟ ମାମଲା: ତିନି ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିବା ଅଭିଯୋଗ, ଜଣେ ଗିରଫ, ୩ ଅଭିଯୁକ୍ତ ଚିହ୍ନଟ
କଟକ/କଟକସଦର,୧୮/୦୭: କଟକ ଚାଉଳିଆଗଞ୍ଜ ଅଞ୍ଚଳରେ କଙ୍ଗାରୁ କୋର୍ଟ ଘଟଣା। ଚାଉଳିଆଗଞ୍ଜ ଥାନାରେ ପୀଡ଼ିତ ପରିବାର ପକ୍ଷରୁ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ପୁଲିସ ଜଣେ ଅଭିଯୁକ୍ତ ଗିରଫ କରିଥିବା ଆଉ ୩ ଜଣ ଚିହ୍ନଟ କରିଛି। ଏବେ ବିଭିନ୍ନ ଭିଡିଓ ଫୁଟେଜ ଯାଞ୍ଚ କରୁଛି ପୁଲିସ। ଆଗକୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ। ଏନେଇ କଟକ ଏସିପି ସୁଧାଂଶୁ ଜେନା ସୂଚନା ଦେଇଛନ୍ତ।
କଟକ ସହରରେ କଙ୍ଗାରୁ କୋର୍ଟ ମାମଲା । ବ୍ୟାଟେରୀ ଚୋର ସନ୍ଦେହ କରି ତିନି ନାବାଳକଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । କଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ସର୍ବସାଧାରଣରେ ଉଲଗ୍ନ କରି ବିଧା ଗୋଇଠା ମାରିଛନ୍ତି । ବାଉଁଶରେ ନିର୍ଘାତ ପିଟିଛନ୍ତି । କେବଳ ସେତିକି ନୁହେଁ, ନିର୍ଯାତନା ସମୟର ଭିଡିଓ ରେକର୍ଡ କରାଯାଇ ସୋସିଆଲ୍ ମିଡିଆରେ ବି ଛଡ଼ାଯାଇଛି । - ଏଭଳି ଅଭାବନୀୟ ଘଟଣା ଘଟିଛି ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ।
ଏହି ଲୋମଟାଙ୍କୁରା ଭିଡିଓ ଦେଖିବା ପରେ ସହରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମାଡ଼ ଖାଇଥିବା ୧୭ ବର୍ଷର ଜଣେ ନାବାଳକଙ୍କ ମା’ ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ପୁଲିସ ତୁରନ୍ତ ମାମଲା କରି ୩ ଜଣ ଯୁକକଙ୍କୁ ଧରିଆଣି ଥାନାରେ ଅଟକ ରଖିଥିଲା । ତଦନ୍ତ ପରେ ଚାଉଳିଆଗଞ୍ଜ ମଠସାହିର ପ୍ରଣବ ସାହୁକୁ ଗିରଫ କରିଛି । ଅନ୍ୟ ଦୁଇଜଣ ଅଟକ ଥିବା ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ମାଡ଼ମରା ଓ ଭିଡିଓ ରେକଡି ର୍ଂ କରିବା ଘଟଣାରେ ସ୍ଥାନୀୟ ଜଣେ କର୍ପୋରେଟର୍ଙ୍କ ପୁତୁରାଙ୍କ ହାତ ଥିବା ଅଭିଯୋଗ ହୋଇଛି । ତେବେ ଆଇନକୁ ହାତକୁ ନେଇ ନିରୀହ ପିଲାଙ୍କୁ ଏଭଳି ଅମାନୁଷିକ ଭାବେ ମାଡ଼ ମାରିଥିବା ଯୁବକଙ୍କୁ କଡ଼ା ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହୋଇଛି । ଘଟଣାଟି ଦୁଇ ଦିନ ତଳର ।
ଅଧିକ ପଢ଼ନ୍ତୁ :- ରଥଯାତ୍ରା ଭିଡ଼ରେ ଆତଙ୍କ ଖେଳାଇଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍: ୧୦୩ ଲୁଟେରା ଗିରଫ, ୨୦୩ ମୋବାଇଲ ଜବତ
ଚାଉଳିଆଗଞ୍ଜ ମଠସାହିର ଏକ ଗଳି ଭିତର ଦେଇ ଥଟ୍ଟାରିସାହିର ଜଣେ ଓ ମଠସାହିର ଦୁଇ ଜଣ ନାବାଳକ ସାଙ୍ଗ ହୋଇ ଯାଉଥିଲେ । ହଠାତ୍ ମଠସାହିର କିଛି ଯୁବକ ସେମାନଙ୍କୁ ଘେରିଯାଇଥିଲେ । ‘ତୁମକୁ ଏହି ଗଳି ବା ସାହି ଭିତରେ ଏକାଠି ହୋଇ ଯିବାକୁ ବାରଣ କରାଯାଇଥିଲା । ଏବେ କାହିଁକି ଆସିଛ? ତୁମକୁ ଏଥର ଏବାଟେ ଛଡ଼ା ଯିବନି ବୋଲି କହିଥିଲେ ।’ - ବାସ୍, ଏହା ପରେ ଆରମ୍ଭ ହୋଇଯାଇଥିଲା ନିର୍ଘାତ ମାଡ଼ । ପ୍ରଥମେ ଜଣେ ୧୭ ବର୍ଷର ନାବାଳକଙ୍କୁ ଉଲଗ୍ନ କରି କାନ ଧରି ଉଠ୍ବସ୍ କରାଇଥିଲେ । ଏହା ପରେ ଯିଏ ଯେମିତି ପାରିଲା ମାଡ଼ ମାରି ସେଠାରୁ ବିଦା କରିଦେଲା । ପରେ ୧୬ ଓ ୧୭ ବର୍ଷର ଅନ୍ୟ ଦୁଇ ନାବାଳକଙ୍କୁ ଏକ ବଡ଼ ବାଉଁଶରେ ଏକାଧିକ ପାହାର ମାରିବା ପରେ ବିଧାଗୋଇଠା ମରାଯାଇଥିଲା । ତିନି ନାବାଳକ ମାଡ଼ ନ ମାରିବାକୁ କାନ୍ଦି କାନ୍ଦି କାକୁତି ମିନତି ହେଉଥାନ୍ତି । ହେଲେ ଯୁବକମାନେ କୌଣସି କଥାକୁ ନଶୁଣି ମାଡ଼ ମାରି ଚାଲିଥାନ୍ତି । ଆଗକୁ ଏଭଳି ନକରିବା, ଏହି ଅଞ୍ଚଳ ନମାଡ଼ିବାକୁ ଧମକ ଦିଆଯାଉଥାଏ । ଆଉ ଏହି ମାଡ଼ମରା ସମୟର ଦୃଶ୍ୟକୁ ଏକାଧିକ ଯୁବକ ମୋବାଇଲ୍ରେ ରେକର୍ଡିଂ କରୁଥାନ୍ତି । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ତେବେ ଘଟଣା ଘଟିବା ପରେ ମାଡ଼ ଖାଇଥିବା ତିନି ନାବାଳକଙ୍କ ମଧ୍ୟରୁ ୨ ଜଣ ପୁରୀ ରଥଯାତ୍ରା ଦେଖିବାକୁ ପଳାଇଥିଲେ । ଆଜି ସକାଳୁ ସୋସିଆଲ୍ ମିଡିଆରେ ଭିଡିଓ ଦେଖିବା ପରେ ଜଣେ ନାବାଳକ ସବୁ କଥା ନିଜ ମା’ଙ୍କୁ କହିଥିଲେ । ମା’ ତୁରନ୍ତ ଯାଇ ଚାଉଳିଆଗଞ୍ଜ ଥାନାରେ ଏତଲା ଦାଏର କରିଥିଲେ । ମାଡ଼ ଖାଇଥିବା ନାବାଳକଙ୍କ ମା’ଙ୍କ କହିବାନୁସାରେ, ଗତ ସପ୍ତାହରେ ତାଙ୍କ ପୁଅକୁ ଫୋନ୍ କରି କିଛି ଯୁବକ ବ୍ୟାଟେରୀ ଚୋରି କରୁଛି ବୋଲି ଅଭିଯୋଗ କରିଥିଲେ । ମାତ୍ର ମୁଁ ଏହାର ପ୍ରମାଣ ମାଗିବାରୁ ସମସ୍ତେ ଚୁପ୍ ହୋଇ ବସିଲେ । ପୁଅ ଯଦି ଦୋଷୀ ତାକୁ ପୁଲିସ ଦେଇଥାନ୍ତ । ହେଲେ ଉଲଗ୍ନ କରି ଅକଥନୀୟ ମାଡ଼ ମାରିବା କେବେ ଗ୍ରହଣୀୟ ନୁହେଁ । ମୁଁ ନ୍ୟାୟ ଚାହୁଁଛି, ସମସ୍ତ ଦୋଷୀ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ମିଳୁ ବୋଲି ନାବାଳକଙ୍କ ମା’ କହିଛନ୍ତି ।
ପୁଲିସର ସୂଚନା ଅନୁସାରେ, ମଠସାହିର ଏକ ନିଦ୍ଦି ର୍ଷ୍ଟ ଅଞ୍ଚଳରେ କିଛି ଦିନ ହେବ ବ୍ୟାଟେରୀ ଚୋରି ହେଉଥିଲା । ଉକ୍ତ ଚୋରିରେ କିଛି ନାବାଳକଙ୍କ ହାତ ଥିବା ସ୍ଥାନୀୟ କିଛି ଯୁବକ ସନ୍ଦେହ କରୁଥିଲେ । ତେଣୁ ମାଡ଼ ଖାଇଥିବା ତିନି ନାବାଳକଙ୍କୁ ଉକ୍ତ ଅଞ୍ଚଳ ବାଟ ଦେଇ ଯା’ଆସ ନ କରିବାକୁ ମାଡ଼ ମାରିଥିବା ୬-୭ ଜଣ ଯୁବକ ବାରଣ କରିଥିଲେ । ଗତ ୧୫ ତାରିଖରେ ତିନି ନାବାଳକ ସେହି ରାସ୍ତାରେ ଯାଉଥିବା ବେଳେ ସଂପୃକ୍ତ ଯୁବକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ମାଡ଼ ମାରିଥିବା ଯୁବକଙ୍କ ମଧ୍ୟରୁ କିଛି ମାଡ଼ ଖାଇଥିବା ନାବାଳକଙ୍କ ପରିଚିତ ଯୁବକ ବୋଲି କୁହାଯାଉଛି । ନାବାଳକମାନେ ନିଶା ପଛରେ ପଡ଼ି ଚୋରି କରୁଥିବା ଯୁବକମାନେ ସନ୍ଦେହ କରୁଥିବା ପୁଲିସ କହିଛି । ଏହି ଭିଡିଓ ଭାଇରାଲ୍ ହେବା ପରେ କଙ୍ଗାରୁ କୋର୍ଟ ବସାଇ ଅତ୍ୟାଚାର ନିଷ୍ପତ୍ତି ନେଇଥିବା ସଂପୃକ୍ତ ଯୁବକଙ୍କ ବିରୋଧରେ ଆଇନାନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦାବି ହୋଇଛି । ଘଟଣାରେ ଜଣେ କର୍ପୋରେଟର୍ଙ୍କ ପୁତୁରା ସାମିଲ ହେବା ବିଷୟକୁ ନେଇ ଜୋର୍ଦାର୍ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସଂପୂର୍ଣ୍ଣ ବିଷୟ ନେଇ ଜୋନ୍ ଏସିପି ସୁଧାଂଶୁ ଭୂଷଣ ଜେନାଙ୍କ କହିବା କଥା, ଏଭଳି ଏକ ବିଷୟ ନେଇ ଶୁକ୍ରବାର ଅପରାହ୍ନରେ ଏତଲା ହୋଇଛି । ଜଣେ ନାବାଳକଙ୍କ ମା’ ଏତଲା ଦେଇଛନ୍ତି । ତାଙ୍କ ଘର ଚାଉଳିଆଗଞ୍ଜ ପାଟେରାସାହି । ମାଡ଼ମରା ପଛରେ ଚୋରି କିମ୍ବା ଏକତରଫା ପ୍ରେମ ବ୍ୟାପାର କାରଣ ହୋଇଥାଇପାରେ । ମାମଲା ରୁଜୁ ପରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।