ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…
ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ରୁ ‘ପିନାକା ଲଙ୍ଗ୍ ରେଞ୍ଜ୍ ଗାଇଡେଡ୍ ରକେଟ୍’ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ସମୟରେ ରକେଟ୍ଟି ଆକାଶରେ ସମସ୍ତ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବା ସହ ୬୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟସ୍ଥଳକୁ ଅତି ସଠିକ୍ ଭାବେ ଭେଦ କରିଛି।
ଭାରତୀୟ ସେନା ପକ୍ଷରୁ DRDO ନିକଟରେ ଏଭଳି ଏକ ରକେଟ୍ ପ୍ରଣାଳୀ ବିକଶିତ କରିବାକୁ ଦାବି ହୋଇଥିଲା, ଯାହା ଅତିକମରେ ୬୦ କିଲୋମିଟର ଦୂରରେ ଥିବା ଶତ୍ରୁ ଶିବିରକୁ ସଫଳତାର ସହ ଧ୍ୱଂସ କରିପାରିବ। ଏହାପରେ DRDO ର ‘ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବୋରେଟୋରୀ’ ଏବଂ ‘ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ’ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି। ଏହାସହ ‘ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଲାବୋରେଟୋରୀ’ ଏବଂ ‘ରିସର୍ଚ୍ଚ ସେଣ୍ଟର ଇମାରତ’ ମଧ୍ୟ ଏହି ପ୍ରୋଜେକ୍ଟରେ ବୈଷୟିକ ସହାୟତା ପ୍ରଦାନ କରିଛନ୍ତି। ସେନାରେ ପୂର୍ବରୁ ସାମିଲ ଥିବା ପିନାକା ଲଞ୍ଚର୍ ମାଧ୍ୟମରେ ହିଁ ଏହି ରକେଟ୍ର ଉତକ୍ଷେପଣ କରାଯାଇଛି।
ଏହି ବଡ଼ ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଜ୍ଞାନିକ ଓ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ସଫଳତା ଭାରତର ସ୍ୱଦେଶୀ ଡିଜାଇନ୍ ଏବଂ ପ୍ରତିରକ୍ଷା ନିର୍ମାଣ କ୍ଷମତା କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ। ଏହା ଦେଶକୁ ରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର’ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହାପୂର୍ବରୁ ଡିସେମ୍ବର ୨୦୨୫ରେ DRDO ଏହି ରକେଟ୍ର ପ୍ରଥମ ପରୀକ୍ଷଣ କରିଥିଲା, ଯେଉଁଥିରେ ଏହା ୧୨୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ପ୍ରଦର୍ଶନ କରିଥିଲା। ସେହି ପରୀକ୍ଷଣ ମଧ୍ୟ ଚାନ୍ଦିପୁରରୁ ହିଁ ହୋଇଥିଲା। ଏହି ସଫଳ ପରୀକ୍ଷଣ ପରେ ଏବେ ‘ପିନାକା ଲଙ୍ଗ୍ ରେଞ୍ଜ୍ ଗାଇଡେଡ୍ ରକେଟ୍’ର ପ୍ରଭାବଶାଳୀ ମାରକ କ୍ଷମତା ୬୦ ରୁ ୧୨୦ କିଲୋମିଟର ମଧ୍ୟରେ ବୋଲି ପ୍ରମାଣିତ ହୋଇଛି, ଯାହା ଭାରତୀୟ ସଶସ୍ତ୍ର ବାହିନୀର ରଣନୈତିକ ଶକ୍ତିକୁ ଏକ ନୂଆ ଉଚ୍ଚତା ପ୍ରଦାନ କରିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।