ଉପନିର୍ବାଚନରେ ଫୁଟିପାରିଲାନି ପଦ୍ମ, ଏହି ସବୁ ସ୍ଥାନରେ ସାମ୍ନା କଲା ଶୋଚନୀୟ ପରାଚୟ
ନୂଆଦିଲ୍ଲୀ,୩।୮: ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି, ଯେଉଁଥିରେ କଂଗ୍ରେସ ବିଜୟୀ ହୋଇଛି। କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ଭାଜପା ପ୍ରାର୍ଥୀ ଆଶୁତୋଷ ତିୱାରୀଙ୍କୁ ୬,୦୧୬ ଭୋଟରେ ପରାସ୍ତ କରିଛନ୍ତି। ଘନଶ୍ୟାମ ସିଂହ ମୋଟ ୬୬,୫୭୫ ଭୋଟ ପାଇଥିବା ବେଳେ ଆଶୁତୋଷ ତିୱାରୀ ୬୦,୭୪୧ ଭୋଟ ପାଇଛନ୍ତି। ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ପୂର୍ବତନ ମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ଅଞ୍ଚଳରେ ଥିବା ପୋଲିଂ ବୁଥ୍ରେ ମଧ୍ୟ ଭାଜପା ପରାଜିତ ହୋଇଛି। ଏହା ପରେ ବଡ଼ ପ୍ରଶ୍ନ ଉଠିଛି ଦୀର୍ଘଦିନ ଧରି ଭାଜପାର ଦୁର୍ଗ ବୋଲି ପରିଚିତ ଦାତିଆ ବିଧାନସଭା ଆସନ କିପରି ଦଳ ହାତରୁ ଖସିଗଲା? ଏହାକୁ ନେଇ ଏବେ ରାଜନୈତିକ ମହଲରେ ବ୍ୟାପକ ଚର୍ଚ୍ଚା ଚାଲିଛି।
ସେହିପରି ବିହାରର ବାଙ୍କିପୁର ବିଧାନସଭା ଆସନ, ଯାହା ଭାଜପାର ଦୃଢ଼ ଗଡ଼ ଭାବେ ପରିଚିତ ଥିଲା, ତାହା ଦଳ ହାତରୁ ଖସିଯାଇଛି। ଜନ ସୁରାଜ ପାର୍ଟିର ପ୍ରାର୍ଥୀ ପ୍ରଶାନ୍ତ କିଶୋର ଭାଜପା ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରିଛନ୍ତି।
ଅନ୍ତିମ ଫଳାଫଳ ଅନୁଯାୟୀ, ପ୍ରଶାନ୍ତ କିଶୋର ୬୩,୨୦୩ ଭୋଟ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଭାଜପାର ନୀରଜ କୁମାର ୪୪,୨୫୦ ଭୋଟ ପାଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପକ୍ଷରୁ ପ୍ରାର୍ଥୀ ହୋଇଥିବା ରେଖା କୁମାରୀ ୧୪,୦୮୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।
ଭାଜପାର ପରାଜୟର କାରଣ କ’ଣ?
ଦାତିଆ ଉପନିର୍ବାଚନରେ ଭାଜପାର ପରାଜୟର ଅନ୍ୟତମ ପ୍ରମୁଖ କାରଣ ଭାବେ ପୂର୍ବତନ ମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଟିକେଟ ନ ମିଳିବାକୁ ଦେଖାଯାଉଛି। ଭାଜପା ‘ଚେହେରା ବଦଳାଅ’ ରଣନୀତି ଆପଣାଇ ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରିଥିଲା। ଏହି ନିଷ୍ପତ୍ତିରେ ନରୋତ୍ତମ ମିଶ୍ରଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ହୋଇଥିବା ଚର୍ଚ୍ଚା ହୋଇଛି।
ଅସନ୍ତୋଷ ଏତେ ବଢ଼ିଥିଲା ଯେ, ନରୋତ୍ତମ ମିଶ୍ରଙ୍କ କିଛି ସମର୍ଥକ ଦଳ ଛାଡ଼ିବାର ଘୋଷଣା ମଧ୍ୟ କରିଥିଲେ। ଯଦିଓ ନରୋତ୍ତମ ମିଶ୍ର ବାରମ୍ବାର କହିଥିଲେ ଯେ ଦଳର ଶୀର୍ଷ ନେତୃତ୍ୱଙ୍କ ପ୍ରତି ତାଙ୍କର କୌଣସି ଅସନ୍ତୋଷ ନାହିଁ, ତଥାପି ଟିକେଟ ନ ମିଳିବାର ଦୁଃଖ ସେ ଲୁଚାଇ ପାରିନଥିଲେ। ଏକ ନିର୍ବାଚନୀ ସଭାରେ ସେ ଭାବବିହୱଳ ହୋଇପଡ଼ିଥିଲେ।
ସେହି ସଭାରେ ନରୋତ୍ତମ ମିଶ୍ର କହିଥିଲେ ଯେ ସେ ଘର ଘର ବୁଲି ଆଶୁତୋଷ ତିୱାରୀଙ୍କ ପାଇଁ ଭୋଟ ମାଗିବେ। ତାଙ୍କର କଥା ଏବଂ ଭାବଭଙ୍ଗୀ ସମର୍ଥକଙ୍କ ଉପରେ ପ୍ରଭାବ ପକାଇଥିବା ଚର୍ଚ୍ଚା ହେଉଛି। ଏହାର ପ୍ରତିଫଳନ ଉପନିର୍ବାଚନର ଫଳାଫଳରେ ମଧ୍ୟ ଦେଖିବାକୁ ମିଳିଥିବା କୁହାଯାଉଛି।
ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘନଶ୍ୟାମ ସିଂହ ଓ ନରୋତ୍ତମ ମିଶ୍ରଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା। ଏହି ପ୍ରସଙ୍ଗକୁ ସବୁଠାରୁ ଅଧିକ ଉଠାଇଥିଲେ ରାଜେନ୍ଦ୍ର ଭାରତୀ, ଯାହାଙ୍କୁ ନିକଟରେ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି। କିଛି ରାଜନୈତିକ ମହଲରେ ଏହାକୁ ମଧ୍ୟ କଂଗ୍ରେସର ବିଜୟର ଏକ ସମ୍ଭାବ୍ୟ କାରଣ ଭାବେ ଦେଖାଯାଉଛି।
ସେହିପରି, ନିଟ (NEET) ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ଭାଜପାର ଛବି ଉପରେ ପ୍ରଭାବ ପକାଇଥିବା ଏବଂ ଯୁବବର୍ଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବା ବୋଲି କିଛି ବିଶ୍ଳେଷକ ମତ ଦେଉଛନ୍ତି। ଦାତିଆ ଉପନିର୍ବାଚନରେ ଭାଜପାକୁ ଏହାର ପ୍ରଭାବ ଭୋଗିବାକୁ ପଡ଼ିଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।