ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ ର ଗ୍ରାଣ୍ଡ୍ ଫିନାଲେରେ ଓଡ଼ିଆ ପ୍ରତିଯୋଗୀ ଜ୍ୟୋତିର୍ମୟୀ

Jul 09, 2026 - 14:10
ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ ର ଗ୍ରାଣ୍ଡ୍ ଫିନାଲେରେ ଓଡ଼ିଆ ପ୍ରତିଯୋଗୀ ଜ୍ୟୋତିର୍ମୟୀ

ଭୁବନେଶ୍ୱର  : ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ରଗ୍ରାଣ୍ଡ୍ ଫିନାଲେରେ ପହଞ୍ଚିଛନ୍ତି ଓଡ଼ିଶାର ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ । ନିଜର ଅସାଧାରଣ ଗାୟିକୀ ଏବଂ ଶାସ୍ତ୍ରୀୟ ସଙ୍ଗୀତର ଯାଦୁରେ ସେ ବିଚାରକ ଏବଂ ଦର୍ଶକଙ୍କ ମନ ଜିତି ‘ଇଣ୍ଡିଆନ୍ ଆଇଡଲ୍’ର ଟପ୍ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହା ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ ।

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତର ବାଉଁଶନାଳ ଗ୍ରାମର ଝିଅ ହେଉଛନ୍ତି ଜ୍ୟୋତିର୍ମୟୀ ନାୟକ । ଏବେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଜ୍ୟୋତିର୍ମୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Untitled

ସୋସିଆଲ୍‌ ମିଡିଆରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି,‘ଜାତୀୟ ସ୍ତରର ପ୍ରତିଷ୍ଠିତ ସଙ୍ଗୀତ ମହାମଞ୍ଚ ଇଣ୍ଡିଆନ୍ ଆଇଡଲ୍  ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଓଡ଼ିଶାର ସୁଯୋଗ୍ୟା କନ୍ୟା ଜ୍ୟୋତିର୍ମୟୀ ନାୟକ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ନିଜ ସୁମଧୁର କଣ୍ଠସ୍ୱର ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି । ଜ୍ୟୋତିର୍ମୟୀଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଉଛି’ । ଜ୍ୟୋତିର୍ମୟୀକହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ, ସମସ୍ତ ଶ୍ରୋତା ଓ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ଫାଇନାଲ୍‌ରେ ପହଞ୍ଚିଛି । ଏବେ ସେହି ଫାଇନାଲ୍ ପାଇଁ ଅଧିକରୁ ଅଧିକ ଭୋଟ୍ ଆବଶ୍ୟକତା ରହିଛି । ତେଣୁ ସେହି ଭଲପାଇବା ସହଭୋଟ୍ ଦେବା ପାଇଁ ଜ୍ୟୋତିର୍ମୟୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏଥି ସହିତ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।

ଇଣ୍ଡିଆନ ଆଇଡଲ୍ ଶୋ'ଟି ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପ୍ରବେଶ କରିସାରିଥିବା ବେଳେ ଜ୍ୟୋତିର୍ମୟୀ ଅନ୍ୟ ପ୍ରତିଦ୍ଵନ୍ଦ୍ଵୀ ତନିଷ୍କ ଶୁକ୍ଳା, ଅଂଶିକା ଚୋଙ୍କର୍, ସୁହେଲ୍ ଏବଂ ମନରାଜ ବୀର ସିଂହଙ୍କ ସହିତ ଏହି ସମ୍ମାନଜନକ ଟାଇଟଲ ପାଇଁ ଲଢ଼ିବେ । ଇଣ୍ଡିଆନ୍ ଆଇଡଲର ଏହି ସିଜିନରେ ବଲିଉଡର ପ୍ରସିଦ୍ଧ ସିଙ୍ଗର ବିଶାଲ୍ ଦଦଲାନି, ଶ୍ରେୟା ଘୋଷାଲ୍ ଏବଂ ବାଦଶାହ ଜଜ୍ ଅଛନ୍ତି, ଯେଉଁମାନେ ନିୟମିତ ଭାବରେ ସମସ୍ତ ପ୍ରତିଯୋଗୀଙ୍କୁ ସେମାନଙ୍କର ପ୍ରତିଭା ପାଇଁ ପ୍ରଶଂସା କରିଛନ୍ତି । ଏହି ଶୋ’ଟି ଏବେ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ହେଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।