ଇଣ୍ଡିଆ ବ୍ଲକ୍‌ରେ ଯୋଗଦେବନି ଡିଏମ୍‌କେ

Jul 13, 2026 - 08:03
ଇଣ୍ଡିଆ ବ୍ଲକ୍‌ରେ ଯୋଗଦେବନି ଡିଏମ୍‌କେ

ଚେନ୍ନାଇ,୧୩ା୭:ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଦୃଢ଼ ବିରୋଧ କରିବା ପାଇଁ ଇଣ୍ଡିଆ ବ୍ଲକ୍‌ରେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେ ଯୋଗଦେବା ନିମନ୍ତେ ପୂର୍ବତନ ସହଯୋଗୀ ଭିସିକେ ଦେଇଥିବା ପ୍ରସ୍ତାବକୁ ଷ୍ଟାଲିନ୍‌ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଫଳରେ ତାମିଲନାଡୁରେ ଇଣ୍ଡିଆ ବ୍ଲକ୍‌ରେ ଫାଟ ବଢ଼ିଛି। କେରଳ ଏବଂ ପଶ୍ଚିମବଙ୍ଗ ଢାଞ୍ଚାରେ ତାମିଲନାଡୁରେ ୨ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଜାତୀୟ ସ୍ତରରେ ଇଣ୍ଡିଆ ବ୍ଲକ୍‌ରେ ଅଂଶୀଦାର ରହିବାକୁ ଭିସିକେ ମୁଖ୍ୟ ଥୋଲ୍‌ ଥିରୁମାଭାଲାଭାନ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ତୁରନ୍ତ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲା। ରାଜ୍ୟସ୍ତରରେ ରାଜନୈତିକ ମତପାର୍ଥକ୍ୟ ଥିଲେ ମଧ୍ୟ କେନ୍ଦ୍ରରେ ଭାଜପା ବିରୋଧରେ ବିପକ୍ଷ ଦଳଗୁଡ଼ିକ ଏକାଠି ହେବା ପାଇଁ କଂଗ୍ରେସ ଆହ୍ବାନ ଦେଇଥିଲା। ତେବେ ଡିଏମ୍‌କେ ଉକ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ମେଣ୍ଟକୁ ଧୋକା ଦେଇଥିବା ଡିଏମ୍‌କେ କହିଛି। ରାଜ୍ୟର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟରେ ଏଭଳି ମଡେଲ କାମ କରିବ ନାହଁ ବୋଲି ଡିଏମ୍‌କେ ଅଧ୍ୟକ୍ଷ ଷ୍ଟାଲିନ୍‌ ସ୍ପଷ୍ଟ କରିଦେଇଛନ୍ତି। କେବଳ ମନ୍ତ୍ରୀ ପଦ ପାଇବା ପାଇଁ ଟିଭିକେ ସହ ହାତ ମିଳାଇ କଂଗ୍ରେସ ଡିଏମ୍‌କେକୁ ପଛରୁ ଛୁରିକାଘାତ କରିଥିବା ଡିଏମ୍‌କେ ଏମ୍‌ପି ଗଣପଥି ପି. ରାଜକୁମାର ଏକ ଗଣମାଧ୍ୟମକୁ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।