ଆରମ୍ଭ ହେଲା ମହାପ୍ରଭୁଙ୍କ ଦିବ୍ୟସ୍ନାନ

ପୁରୀ : ପବିତ୍ର ଜ୍ୟୋଷ୍ଠ ପୂର୍ଣ୍ଣିମା ତିଥିରେ ମହାପ୍ରଭୂଙ୍କର ଦିବ୍ୟସ୍ନାନ ହୋଇଥାଏ । ଏହି ଦିନକୁ ଦେବ ସ୍ନାନ ପୂର୍ଣ୍ଣିମା କୁହାଯାଏ । ବର୍ଷକୁ ଥରେ ଆଜିର ଦିନରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କୁ ସ୍ନାନବେଦୀରେ ବିରାଜମାନ କରାଯାଇ ୧୦୮ କଳସ ସୁବାସୀତ ଜଳରେ ମହାସ୍ନାନ କରାଯାଇଥାଏ ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି । ଏଥିପାଇଁ ଆଜି ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ ଧ୍ୱନି ସହ ବେଦମନ୍ତ୍ର, ଘଣ୍ଟ , ଘଣ୍ଟା ,ଶଙ୍ଖ ହୁଳହୁଳୀରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜୀଉଙ୍କୁ ରତ୍ନବେଦିରୁ ପହଣ୍ଡିକରାଇ ଆଣି ସ୍ନାନବେଦିରେ ବିଜେ କରାଇଛନ୍ତି ।

ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତି ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି । ଆଜି ଦିନରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ ।

ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଶୁଅ ଛୁଟିଛି । ଦିନ ୧୨ ଟା ରୁ ୨ ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହ୍ମ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଏ l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି । ଏହାପରେ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଦୁର୍ଲଭ ଗଜାନନ ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ୭ ଟାରୁ ୯ ଟା ୩୦ ପର୍ଯ୍ୟନ୍ତ ସାହାଣମେଲା, ରାତି ୧୦ ଟାରେ ହାତୀବେଶ ମଇଲମ, ରାତି ୧୦ଟା ୩୦ ପୁଷ୍ପାଞ୍ଜଳି ଏବଂ ଡୋର ଲାଗି, ରାତି ୧୧ ଟାରୁ ୨ ଟା ମଧ୍ୟରେ ବାହୁଡା ପହଣ୍ଡି, ରାତି ୨ ଟା ୩୦ ରେ ସୁନା ଚିତା ଏବଂ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ । ସ୍ନାନ ପରେ ମହାପ୍ରଭୁ ଗଜବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି, ଯାହାକୁ “ହାତୀ ବେଶ” ବୋଲି ମଧ୍ୟ କୁହାଯାଏ ।
ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳିତ ଏହି ଉତ୍ସବ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଶ୍ରୀକ୍ଷେତ୍ରର ଶତାବ୍ଦୀ ପୁରୁଣା ପରମ୍ପରା ଓ ଜଗନ୍ନାଥ ଚେତନାର ଏକ ଅନନ୍ୟ ଅଭିବ୍ୟକ୍ତି । ପରମ୍ପରା ଅନୁସାରେ, ଅତ୍ୟଧିକ ସ୍ନାନ ପରେ ମହାପ୍ରଭୁ ଅସୁସ୍ଥ ହୋଇ ଜ୍ୱରରେ ପୀଡ଼ିତ ହୁଅନ୍ତି । ଏହାପରେ ଶ୍ରୀଜିଉମାନେ ସାଧାରଣ ଦର୍ଶନରୁ ଅନ୍ତରାଳକୁ ଯାଇ ‘ଅଣସର ଘର’ରେ ବିଶ୍ରାମ କରନ୍ତି । ଏହି ସମୟରେ ଦେବତାମାନଙ୍କୁ ଆୟୁର୍ବେଦିକ ଔଷଧ ଓ ବିଭିନ୍ନ ପଥ୍ୟ ଭୋଗ ଅର୍ପଣ କରାଯାଇଥାଏ ।
ଦେବସ୍ନାନ ପରେ ଆରମ୍ଭ ହେବ ପନ୍ଦର ଦିନିଆ ଅଣସର ନୀତି । ଏହି ଅବଧିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅଣସର ସମାପ୍ତି ପରେ ‘ନବଯୌବନ ଦର୍ଶନ’ରେ ଭକ୍ତମାନେ ପୁଣିଥରେ ଶ୍ରୀଜିଉଙ୍କ ଦିବ୍ୟ ରୂପ ଦର୍ଶନ କରିବାର ସୁଯୋଗ ପାଇବେ । ଏହା ପରେ ଆରମ୍ଭ ହେବ ବିଶ୍ୱବିଖ୍ୟାତ ଶ୍ରୀଗୁଣ୍ଡିଚା ରଥଯାତ୍ରା । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁରୀରେ ବ୍ୟପକ ବ୍ୟବସ୍ଥା କରାଯାଇଛି ।