ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

Aug 03, 2026 - 08:53
ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି।  ତେବେ ସୋମବାରଠାରୁ ବର୍ଷା ପରିମାଣ ବଢିବା ସହ ୮ ତାରିଖ ଯାଏ ଲାଗି ରହିବ। ସୋମବାର ରାଜ୍ୟର ସମସ୍ତ ଜିଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିବାବେଳେ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ଥିବାରୁ ବିଜୁଳି ଘଡ଼ଘଡ଼ିଜନିତ ପ୍ରଭାବ ବୃଦ୍ଧି ପାଇବା ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାରେ ଘଡ଼ଘଡ଼ି ବିଜୁଳି ସହିତ ଝଡ଼ବର୍ଷା ଲାଗି ରହିବ ବୋଲି ସତର୍କ ସୂଚନା ଦିଆଯାଇଛି। ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଏବଂ କୋରାପୁଟ ଜିଲାକୁ ପ୍ରବଳ ବର୍ଷା ନେଇ ଓ୍ବାର୍ନିଂ ଦିଆଯାଇଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୫ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଢେଙ୍କାନାଳର ଅଳତୁମାରେ ସର୍ବାଧିକ ୧୦୮.୪ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ କାମାକ୍ଷାନଗରରେ ୮୫ ମି.ମି., ମୟୂରଭଞ୍ଜ ଜିଲା ମୁରୁଡାରେ ୮୪ ମି.ମି., ଗଞ୍ଜାମ ଜିଲା ଶେରଗଡ଼ରେ ୬୮ ମି.ମି., ମୟୂରଭଞ୍ଜ ଜିଲା ବେତନଟିରେ ୬୫ ମି.ମି., କେନ୍ଦୁଝର ଜିଲା ବାଂଶପାଳରେ ୫୨.୧ ମି.ମି. ବର୍ଷା ହୋଇଥିବା ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।