ଆଉ ୧୨ ଗେଟ୍ ଖୋଲିଲା ହୀରାକୁଦ
ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ସ୍କୁଇସ୍ ଗେଟ୍ ଖୋଲାଯାଇ ବର୍ତ୍ତମାନ ସମୁଦାୟ ୧୪ଟି ସ୍କୁଇସ ଗେଟ୍ ଜରିଆରେ ଜଳଭଣ୍ଡାରରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାର ନିୟନ୍ତ୍ରଣ କକ୍ଷର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୬.୨୬ ମି.ମି. ଓ ତଳମୁଣ୍ଡରେ ୩.୨୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ଅପରାହ୍ନ ସାଢ଼େ ୧୨ଟାରେ ହସ୍ତଗତ ସର୍ବଶେଷ ସୂଚନା ଅନୁଯାଇ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୪.୬୦ ଫୁଟ୍ ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୯୪ ହଜାର ୭୩୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରରୁ ମୋଟ ହାରାହାରି ୨ ଲକ୍ଷ ୫୧ ହଜାର ୦୬୯ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ହେଉଛି। ସେଥିମଧ୍ୟରୁ ବାମପାର୍ଶ୍ଵର ୯ ଓ ଦକ୍ଷିଣ ପାର୍ଶ୍ଵର ୫ ମିଶି ମୋଟ ୧୪ ସ୍କୁଇସ୍ ଗେଟ୍ ଜରିଆରେ ୨ ଲକ୍ଷ ୩୨ ହଜାର ୮୬୦ ଘନଫୁଟ ବନ୍ୟାଜଳ ମହାନଦୀକୁ ନିଷ୍କାସିତ ହେଉଥିବାବେଳେ ପାୱାର ଚ୍ୟାନେଲରେ ୨୪,୯୬୦ ଘନଫୁଟ, ବରଗଡ଼ କେନାଲରେ ୨,୯୯୦ ଘନଫୁଟ, ଶାସନ କେନାଲରେ ୫୦୦ ତଥା ସମ୍ବଲପୁଲ କେନାଲରେ ୮୮ ଘନଫୁଟ ଏବଂ ଶିଳ୍ପଭିଭିକ ବ୍ୟବହାର ପାଇଁ ୨୪୭ ଘନଫୁଟ ଜଳ ନିଷ୍କାସନ ହେଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।