ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍: ପ୍ରାରମ୍ଭିକ ରିପୋର୍ଟରେ ପ୍ରଭାବ ସୀମିତ ଥିବା ପ୍ରକାଶ

Jun 25, 2026 - 12:56
ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍: ପ୍ରାରମ୍ଭିକ ରିପୋର୍ଟରେ ପ୍ରଭାବ ସୀମିତ ଥିବା ପ୍ରକାଶ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଲାଗୁ ହୋଇଥିବା ବିଶ୍ୱର ପ୍ରଥମ ସୋସିଆଲ ମିଡିଆ ବୟସ କଟକଣାର ପ୍ରାରମ୍ଭିକ ପ୍ରଭାବ ସୀମିତ ରହିଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡିଛି। ଗୁରୁବାର ଦିନ ଅଷ୍ଟ୍ରେଲିଆର ନ୍ୟୁକାସଲ୍ ବିଶ୍ୱବିଦ୍ୟାଳୟ (UON) ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ଅଧ୍ୟୟନରୁ ଜଣାପଡ଼ିଛି ଯେ ୮୫ ପ୍ରତିଶତରୁ ଅଧିକ ପିଲା ଏବେ ବି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ଅନେକ ପିଲା ନିଜ ଆକାଉଣ୍ଟ ସମେତ ବିକଳ୍ପ କିମ୍ବା ସେୟାର୍ ହୋଇଥିବା ଆକାଉଣ୍ଟ ମାଧ୍ୟମରେ ସେବାଗୁଡିକୁ ଆକ୍ସେସ୍ କରୁଥିବା ଜଣାପଡିଛି।

ଡିସେମ୍ବର ୨୦୨୫ରେ ଲାଗୁ ହୋଇଥିବା ଅନଲାଇନ୍ ସେଫ୍ଟି ଆମେଣ୍ଡମେଣ୍ଟ ଆକ୍ଟ ୨୦୨୪ (ସୋସିଆଲ ମିଡିଆ ସର୍ବନିମ୍ନ ବୟସ ନିୟମ) ପୂର୍ବରୁ ଏବଂ ପରେ ୧୨ ରୁ ୧୭ ବର୍ଷ ବୟସର ୪୦୮ ଜଣ କିଶୋରଙ୍କ ଉପରେ ଏହି UON-ନେତୃତ୍ୱାଧୀନ ଅଧ୍ୟୟନ କରାଯାଇଥିଲା। ଏହି ନିୟମ ଅନୁଯାୟୀ ଟିକଟକ୍, ଏକ୍ସ (X), ଫେସବୁକ୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଏବଂ ସ୍ନାପଚାଟ୍ ଭଳି ପ୍ରମୁଖ ପ୍ଲାଟଫର୍ମଗୁଡ଼ିକୁ କମ୍ ବୟସର ଆକାଉଣ୍ଟଧାରୀଙ୍କୁ ବ୍ଲକ୍ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବ୍ରିଟିଶ୍ ମେଡିକାଲ୍ ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ପ୍ରାୟ ଦୁଇ-ତୃତୀୟାଂଶ ପିଲା ବୟସ ଯାଞ୍ଚ ପକ୍ରିୟାର ସମ୍ମୁଖୀନ ହୋଇଥିଲେ।

ଏହି ଅଧ୍ୟୟନର ମୁଖ୍ୟ ଅନୁସନ୍ଧାନକାରୀ ତଥା UON ଜନସ୍ୱାସ୍ଥ୍ୟ ଗବେଷକ କୋର୍ଟନି ବାର୍ନସ୍ କହିଛନ୍ତି ଯେ, ନକଲି ଆକାଉଣ୍ଟ ବ୍ୟବହାର କରିବା କିମ୍ବା ସାଙ୍ଗ ଓ ପରିବାର ଲୋକଙ୍କ ଆକାଉଣ୍ଟ ବ୍ୟବହାର କରି ପିଲାମାନେ ନିୟମ ଭାଙ୍ଗୁଥିବାର ସ୍ପଷ୍ଟ ପ୍ରମାଣ ମିଳିଛି। ରିପୋର୍ଟ ଅନୁଯାୟୀ, ପ୍ରାୟ ୧୫ ରୁ ୧୯ ପ୍ରତିଶତ କିଶୋର ନକଲି ଆକାଉଣ୍ଟ ବ୍ୟବହାର କରୁଛନ୍ତି। ସେହିପରି ୯ ରୁ ୨୯ ପ୍ରତିଶତ କିଶୋର ଅନ୍ୟ କାହାର ଆକାଉଣ୍ଟ ବ୍ୟବହାର କରୁଥିବା ବେଳେ ୧୧ ପ୍ରତିଶତ ପିଲା ନିୟମକୁ ଏଡାଇବା ପାଇଁ ପ୍ରାଇଭେଟ୍ ବ୍ରାଉଜର୍ ମୋଡ୍ ବ୍ୟବହାର କରୁଛନ୍ତି। ୧୨ ରୁ ୧୩ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଦୈନନ୍ଦିନ ସୋସିଆଲ ମିଡିଆ ବ୍ୟବହାର ସ୍ଥିର ରହିଥିବାବେଳେ ୧୪-୧୫ ବର୍ଷ ବୟସର ପିଲାଙ୍କ ମଧ୍ୟରେ ସାମାନ୍ୟ ହ୍ରାସ ଏବଂ ୧୬ ବର୍ଷରୁ ଅଧିକ ବୟସର ପିଲାଙ୍କ ମଧ୍ୟରେ ଏହା ବୃଦ୍ଧି ପାଇଛି।

ବାର୍ନସ୍ କହିଛନ୍ତି ଯେ ଅଷ୍ଟ୍ରେଲିଆର ଏହି ପଦକ୍ଷେପ ଉପରେ ଅନ୍ୟ ଦେଶଗୁଡ଼ିକ ତୀକ୍ଷ୍ଣ ନଜର ରଖିଛନ୍ତି। ବ୍ରିଟେନ୍, ଫ୍ରାନ୍ସ, ସ୍ପେନ୍, ଗ୍ରୀସ୍, ନରୱେ ଏବଂ ତୁର୍କୀ ଭଳି ଦେଶଗୁଡ଼ିକ ମଧ୍ୟ ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ସମାନ ନିୟମ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଅଧ୍ୟୟନର ସହ-ଲେଖକ ପ୍ରଫେସର ଲୁକ୍ ୱଲ୍ଫେଣ୍ଡେନ୍ କହିଛନ୍ତି ଯେ ଏହି ଆଇନର ସଫଳତା ବୟସ ନିଶ୍ଚିତକରଣ ବ୍ୟବସ୍ଥାର କଠୋର ଲାଗୁ ଉପରେ ନିର୍ଭର କରେ। ଏହି ଆଇନର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ବର୍ଷ ବର୍ଷ ଲାଗିପାରେ ବୋଲି ଗବେଷଣା ଦଳ ସ୍ୱୀକାର କରିଛନ୍ତି।