13 JUNE 2026

Welcome!

Unlock your personalized experience.
Sign Up

ଅମରନାଥ ଯାତ୍ରା ବେଳେ ପ୍ରତ୍ୟେକ ପଦକ୍ଷେପରେ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା , ଉଚ୍ଚ ସ୍ତରୀୟ ବୈଠକରେ ନିର୍ଦ୍ଦେଶ ଜାରି କଲେ ଅମିତ ଶାହ

Jun 13, 2026 - 05:47
ଅମରନାଥ ଯାତ୍ରା ବେଳେ ପ୍ରତ୍ୟେକ ପଦକ୍ଷେପରେ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା , ଉଚ୍ଚ ସ୍ତରୀୟ ବୈଠକରେ ନିର୍ଦ୍ଦେଶ ଜାରି କଲେ ଅମିତ ଶାହ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଅମରନାଥ ଯାତ୍ରା ବେଳେ ସୁରକ୍ଷାକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଅମରନାଥ ଯାତ୍ରା ମାର୍ଗ ଓ ପର୍ଯ୍ୟଟନ ସ୍ଥଳ ଗୁଡ଼ିକରେ ଶାନ୍ତିପୂର୍ଣ୍ଣ ଯାତ୍ରା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ , ଜମ୍ମୁ-କାଶ୍ମୀର ପୁଲିସ ଓ ସବୁ ସୁରକ୍ଷା ଏଜେନ୍ସିକୁ ମିଳିତ ଭାବେ ଅଭେଦ୍ୟ ସୁରକ୍ଷା ଘେରା କରିବା ଉଚିତ୍। ଶାହ ୩ ଜୁଲାଇରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରାର ପ୍ରସ୍ତୁତିର ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି। ସେ କହିଛନ୍ତି ଡ୍ରୋନ୍ , ସିସିଟିଭି କ୍ୟାମେରା , ଅନୁଧ୍ୟାନ ପ୍ରଣାଳୀ ଓ ଅନ୍ୟ ଆଧୁନିକ ପ୍ରଯୁକ୍ତିର ବ୍ୟାପକ ସ୍ତରରେ ବ୍ୟବହାର କରି ପାରମ୍ପରିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବା ଉଚିତ।

ହିମାଳୟ ପର୍ବତମାଳାରେ ୩,୮୮୦ ମିଟରର ଉଚ୍ଚତାରେ ଥିବା ଅମରନାଥ ଗୁମ୍ଫା ମନ୍ଦିରର ୫୭ ଦିନର ତୀର୍ଥଯାତ୍ରା ପାଇଁ ଖୁବ୍ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତର ଆବଶ୍ୟକ ହୋଇଥାଏ, ଯେଉଁଥିରେ କେନ୍ଦ୍ର ଓ ଜମ୍ମୁ-କାଶ୍ମୀରର ଏଜେନ୍ସି ମିଶି କାମ କରିଥାଏ। ତୀର୍ଥଯାତ୍ରୀ ଅନନ୍ତନାଗ ଜିଲ୍ଲାରେ ପାରମ୍ପରିକ ୪୮ କିଲୋମିଟର ଦୀର୍ଘ ନୁନୱାନ-ପହଲଗାମ ମାର୍ଗ ଓ ଗାନ୍ଦରବଲ ଜିଲ୍ଲାର ଛୋଟ , କିନ୍ତୁ ୧୪ କିଲୋମିଟର ଲମ୍ୱ ବାଲଟାଲ ମାର୍ଗ ମଧ୍ୟ ଦେଇ ଯାତ୍ରା କରିବେ। ଶାହ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯାତ୍ରା ସହ ଜଡ଼ିତ ସ୍ଥାନୀୟ ଲୋକ ଓ ଜୀବଜନ୍ତୁଙ୍କ ପଞ୍ଜୀକରଣ କରାଯାଉ। ସେ କହିଛନ୍ତି,କ୍ୟୁଆର କୋଡ୍ ଥିବା ପରିଚୟ ପତ୍ର ଜାରି କରାଯାଉ ଏବଂ ଯାତ୍ରୀଙ୍କ ପଞ୍ଜିକରଣ ଠାରୁ ନେଇ ସ୍ୱାସ୍ଥ୍ୟ ସେବା ଗୁଡ଼ିକର ଉପଲବ୍ଧତା ଯାଏ ପ୍ରତି ପର୍ଯ୍ୟାୟରେ ଉଚିତ ବନ୍ଦୋବସ୍ତ କରାଯାଉ।

ଅମିତ ଶାହ କହିଛନ୍ତି ସିଏପିଏଫ ଓ ଜମ୍ମୁ-କାଶ୍ମୀର ପୁଲିସର ବରିଷ୍ଠ ଅଧିକାରୀଙ୍କୁ ତୀର୍ଥଯାତ୍ରା ବେଳେ ଶିବିର ସ୍ଥଳ ଗୁଡ଼ିକରେ କରାଯାଉ ଥିବା ବ୍ୟବସ୍ଥା ଗୁଡ଼ିକର ଲଗାତାର ନିରୀକ୍ଷଣ କରିବା ଉଚିତ୍। ସେ କହିଛନ୍ତି ଯେ, ତୀର୍ଥଯାତ୍ରୀଙ୍କ ପଞ୍ଜୀକରଣ , ରହଣୀର ବ୍ୟବସ୍ଥା ,ସ୍ୱାସ୍ଥ୍ୟ ସେବା ଗୁଡ଼ିକର ଉପଲବ୍ଧତା ଓ ବିପର୍ଯ୍ୟୟ ପ୍ରବନ୍ଧନ ସମେତ ସବୁ ଆବଶ୍ୟକୀୟ ସୁବିଧା ପାଇଁ ଉଚିତ ବନ୍ଦୋବସ୍ତ ସୁନିଶ୍ଚିତ କରାଯିବା ଉଚିତ। ଶାହ କହିଛନ୍ତି ପାଣିପାଗର ସ୍ଥିତି ଓ ପୂର୍ବାନୁମାନ ଅନୁସାରେ, ତୀର୍ଥଯାତ୍ରୀଙ୍କ ବ୍ୟାଚକୁ ଆଗକୁ ପଠାଇବାର ବ୍ୟବସ୍ଥା କରାଯିବ।

ଏହା ସହ ମଧ୍ୟ ପଢନ୍ତୁ - ଜେଲରେ ରହିବେ ଖାନ ସାରଙ୍କ ଦୁଇ ବଡି ଗାର୍ଡ , ରୋଶନ ଆନନ୍ଦଙ୍କ ଜାମିନ ଆବେଦନର ଶୁଣାଣି ପୁଣି ଟଳିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।