ଅନଶନ ଭାଙ୍ଗିବାର ଏହି ଦୁଇ ବଡ଼ ବିକଳ୍ପ କହିଲେ ସୋନମ ଓ୍ବାଙ୍ଗ୍ଚୁକ୍, ମୁଁ ଚାହୁଁଥିଲି…
ନୂଆଦିଲ୍ଲୀ,୨୪ା୭: ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଆମରଣ ଅନଶନ ଜାରି ରଖିଥିବା ବିଶିଷ୍ଟ ପରିବେଶବିତ୍ ସୋନମ ଓ୍ବାଙ୍ଗ୍ଚୁକ୍ ଗୁରୁବାର ରାତିରେ ତାଙ୍କର ଅନଶନ ଭଙ୍ଗ କରିଛନ୍ତି। ତେବେ ଉକ୍ତ ରାତିରେ ମେଦାନ୍ତ ହସ୍ପିଟାଲରେ ଓ୍ବାଙ୍ଗଚୁକ୍ଙ୍କୁ ଜୁସ ପିଆଇ ତାଙ୍କର ଅନଶନ ଶେଷ କରିବାରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ସାହାଯ୍ୟ କରିଥିଲେ। ଅନଶନ ଭଙ୍ଗ ପରେ ଓ୍ବାଙ୍ଗ୍ଚୁକ୍ ଶୁକ୍ରବାର ଏକ ଭିଡିଓ ବାର୍ତ୍ତା ଜାରି କରି କାରଣ କହିଛନ୍ତି।
ଓ୍ବାଙ୍ଗ୍ଚୁକ୍ କହିଛନ୍ତି, ଆପଣ କହିବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନେଇ କ’ଣ ଘଟିଥିଲା। ପ୍ରଥମତଃ ସେ ମୋତେ ଏହା କେବେ ହେବ ସେ ବିଷୟରେ କୌଣସି ପ୍ରତିଶ୍ରୁତି ଦେଇପାରିଲେ ନାହିଁ। ସେ କହିଥିଲେ ଯେ, ଏହା ନିଶ୍ଚିତ ଭାବରେ ସଂସଦରେ ଆଲୋଚନା ହେବ। ମୋ ପାଖରେ କେବଳ ଦୁଇଟି ବିକଳ୍ପ ଥିଲା, ଅନଶନ ଜାରି ରଖିବି କିମ୍ବା ଏହାକୁ ଶେଷ କରିବି।
ସେ ଆହୁରି ମଧ୍ୟ କହିଛନ୍ତି, ହଜାର ହଜାର ଲୋକ ମୋତେ କହିଥିଲେ ମୋର ଜୀବନ ଗୁରୁତ୍ୱପୂର୍ଣ୍ଣ। ମୋତେ ସଂଘର୍ଷ ଜାରି ରଖିବାକୁ ପଡ଼ିବ ଏବଂ ବଞ୍ଚିବାକୁ ପଡ଼ିବ। ମୁଁ ବିଶ୍ୱାସ କରେ ନାହିଁ ଯେ, ଆମେ କିଛି ହାସଲ କରିନାହୁଁ। ମୋର ମନ ଭିନ୍ନ ଭାବରେ କାମ କରେ। ତାଙ୍କର ଇସ୍ତଫା ନ ଦେବା ମୋତେ କିମ୍ବା ପିଲାମାନଙ୍କୁ କ୍ଷତି କରିବ ନାହିଁ, ଏହା ତାଙ୍କୁ କ୍ଷତି ପହଞ୍ଚାଇବ। ସେ ଆହୁରି କହିଛନ୍ତି, ଯଦି ସେ (ଧର୍ମେନ୍ଦ୍ର ପ୍ରଧାନ) ଇସ୍ତଫା ଦେଇଥାନ୍ତେ, ତେବେ ତାଙ୍କର ସମସ୍ତ କ୍ଷତିକୁ ରୋକାଯାଇ ପାରିଥାନ୍ତା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ପିଲାମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ନ ହେବା। ସଂସଦ ଚଲୋ ମାର୍ଚ୍ଚ ସମୟରେ ହିଂସା ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରି ସୋନମ ଓ୍ବାଙ୍ଗ୍ଚୁକ୍ କହିଛନ୍ତି, ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ ପିଲାମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ନ ହେବା। ସେ କହିଛନ୍ତି ଲଦାଖରେ, ଆମେ ଦେଖିଛୁ କିପରି ଏଫ୍ଆଇଆର ଦ୍ୱାରା ଜୀବନବ୍ୟାପୀ ଭବିଷ୍ୟତ ନଷ୍ଟ ହେଉଛି। ସେ ଏହା ମଧ୍ୟ କହିଛନ୍ତି, ସରକାର NEET ପେପର୍ ଲିକ ଯୋଗୁ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବେ। ଏହି ପ୍ରସଙ୍ଗରେ ଏବଂ ଦାୟିତ୍ୱ ଉପରେ ସଂସଦରେ ସମ୍ପୂର୍ଣ୍ଣ ବିତର୍କ ହେବ ବୋଲି ସେ ଖୁସି।
ଓ୍ବାଙ୍ଗ୍ଚୁକ୍ କହିଛନ୍ତି, ତାଙ୍କୁ ସରକାର ଏବଂ ସମସ୍ତ ରାଜନୈତିକ ଦଳର ଏମ୍ପିମାନଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି ଯେ, ଅବନତିଶୀଳ ପରୀକ୍ଷା ବ୍ୟବସ୍ଥାରେ ଦାୟିତ୍ୱ ପ୍ରସଙ୍ଗରେ ଭାରତୀୟ ସଂସଦରେ ଆଲୋଚନା କରାଯିବ। ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିବା ଛାତ୍ର ଏବଂ ଯୁବକମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯିବ ନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।