Youth Drowns While Taking Selfie: ଗୋଟିଏ ସେଲ୍ଫି ପାଇଁ ଚାଲିଗଲା ଜୀବନ; ପଥରରେ ବାଜିଲା ମୁଣ୍ଡ, ପାଣିରେ ବୁଡ଼ି ମୃତ୍ୟୁ

Jul 23, 2026 - 13:19
Youth Drowns While Taking Selfie: ଗୋଟିଏ ସେଲ୍ଫି ପାଇଁ ଚାଲିଗଲା ଜୀବନ; ପଥରରେ ବାଜିଲା ମୁଣ୍ଡ, ପାଣିରେ ବୁଡ଼ି ମୃତ୍ୟୁ

ସେଲ୍ଫି ହେଲା କାଳ। ସେଲ୍ଫି ନେଲା ବେଳେ ଭାସିଗଲେ ଯୁବକ। ବିହାରର ମୁଙ୍ଗେର ଜିଲ୍ଲାର ଦମନକୋଲ ଝରଣାରେ ସେଲ୍ଫି ନେବା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା। ହବେଲୀ ଖଡ଼ଗପୁର ଥାନା ଅଞ୍ଚଳର ମଧୁବନ ଦରିଆପୁର ସ୍ଥିତ ଏହି ପର୍ଯ୍ୟଟନସ୍ଥଳୀରେ ବୁଧବାର ଦିନ ଅଘଟଣ ଘଟିଛି।

ମୃତ ଯୁବକ ହେଉଛନ୍ତି ତାରାପୁର ଥାନା ଅଞ୍ଚଳର ସୋନଡିହା ରାଜଗୁରୁ ନବଟୋଲିଆ ଗାଁର କରଣ କୁମାର। ସୂଚନା ଅନୁସାରେ, କରଣ ତାଙ୍କର ସାତ ଜଣ ସାଙ୍ଗଙ୍କ ସହ ଦମନକୋଲ ଝରଣାକୁ ପିକନିକ୍ କରିବାକୁ ଯାଇଥିଲେ। କିଛି ସାଙ୍ଗ ରୋଷେଇରେ ବ୍ୟସ୍ତ ଥିବା ବେଳେ ଅନ୍ୟମାନେ ଝରଣାରେ ଗାଧୋଉଥିଲେ। ଖାଇ ସାରିବା ପରେ ସମସ୍ତେ ପୁଣି ଝରଣାକୁ ଯାଇଥିଲେ। ଏହି ସମୟରେ କରଣ ଝରଣାର ଉଚ୍ଚ ସ୍ଥାନକୁ ଚଢ଼ି ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ।

ହେଲେ ହଠାତ୍ ତାଙ୍କ ପାଦ ଖସିଯିବାରୁ ସେ ତଳେ ଥିବା କୁଣ୍ଡରେ ପଡ଼ିଯାଇଥିଲେ। ଏହା ଅଧିକ ଗଭୀର ହୋଇଥିବାରୁ ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଛି। କରଣଙ୍କୁ ପାଣିରେ ପଡ଼ିଯାଉଥିବା ଦେଖି ସାଙ୍ଗମାନେ ତୁରନ୍ତ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେ ଗଭୀର ପାଣିରେ ବୁଡ଼ିଯାଇଥିଲେ। ଖବର ପାଇ ଖଡ଼ଗପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚଳାଇ ମୃତଦେହକୁ ପାଣିରୁ ବାହାର କରିଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ତଳକୁ ଖସିବା ବେଳେ କରଣଙ୍କ ମୁଣ୍ଡ ପଥରରେ ବାଜିଯାଇଥିଲା। ଫଳରେ ସେ ପାଣିରୁ ବାହାରି ପାରିନଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମଧ୍ୟ କ୍ଷତ ଚିହ୍ନ ମିଳିଛି। ପୁଲିସ କରଣଙ୍କୁ ଉଦ୍ଧାର କରି ଖଡ଼ଗପୁର ହସ୍ପିଟାଲକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମୁଙ୍ଗେର ସଦର ହସ୍ପିଟାଲକୁ ପଠାଯାଇଛି। କରଣ ଗତ ୨୨ ଜୁନରେ ମଧ୍ୟ ଦମନକୋଲ ଝରଣା ବୁଲିବାକୁ ଆସିଥିଲେ ଏବଂ ସେଠାରେ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ।

ବି.ଦ୍ର. ଦମନକୋଲ ଝରଣାରେ ଘଟିଥିବା ଏହି ଘଟଣା ସେଲ୍ଫି ନେବା ସମୟରେ କେତେ ସତର୍କ ରହିବା ଆବଶ୍ୟକ ତାହା ଦର୍ଶାଉଛି। ବିପଦପୂର୍ଣ୍ଣ ସ୍ଥାନରେ ସେଲ୍ଫି ନେବାକୁ ଯାଇ ପୂର୍ବରୁ ମଧ୍ୟ ଅନେକ ଲୋକ ପାହାଡ଼ରୁ ଖସି କିମ୍ବା ନଦୀ ଓ ଝରଣାରେ ବୁଡ଼ି ପ୍ରାଣ ହରାଇଛନ୍ତି। ତେଣୁ ସେଲ୍ଫି ନେବା ବେଳେ ସବୁବେଳେ ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।