Xi Jinping Likely To Visit India: ଗାଲୱାନ୍ ସଂଘର୍ଷ ପରେ ପ୍ରଥମ, ଜାଣନ୍ତୁ କେଉଁଥିପାଇଁ ଭାରତ ଆସିବେ ସି ଜିନପିଙ୍ଗ
ପ୍ରାୟ ଛଅ ବର୍ଷ ପରେ ଭାରତ ଆସିପାରନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ। ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସେ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୦ ଗାଲୱାନ ଘାଟି ସଂଘର୍ଷ ପରେ ଏହା ହେବ ତାଙ୍କର ପ୍ରଥମ ଭାରତ ଗସ୍ତ।
ରିପୋର୍ଟ ଅନୁଯାୟୀ ସି ଜିନପିଙ୍ଗଙ୍କ ସମ୍ଭାବ୍ୟ ଗସ୍ତ ପୂର୍ବରୁ ଭାରତ ଓ ଚୀନ୍ ମଧ୍ୟରେ କୂଟନୈତିକ ତତ୍ପରତା ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଚୀନ୍ ଗସ୍ତ କରିପାରନ୍ତି। ଏହାସହ ଭାରତ-ଚୀନ୍ ସୀମା ପ୍ରସଙ୍ଗରେ କାର୍ଯ୍ୟରତ ୱାର୍କିଂ ମେକାନିଜମ୍ ବୈଠକ ଏବଂ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଖୁବ୍ ଶୀଘ୍ର ହେବାର ସମ୍ଭାବନା ରହିଛି।
୨୦୨୦ର ଗାଲୱାନ ସଂଘର୍ଷ ପରେ ଭାରତ-ଚୀନ୍ ସମ୍ପର୍କରେ ଗଭୀର ତିକ୍ତତା ସୃଷ୍ଟି ହୋଇଥିଲା। ତେବେ ଗତ କିଛି ବର୍ଷ ଧରି ଉଭୟ ଦେଶ ସୀମା ବିବାଦର ସମାଧାନ, ବିଶ୍ୱାସ ପୁନଃସ୍ଥାପନ ଏବଂ ଦ୍ୱିପାକ୍ଷିକ ସହଯୋଗ ବଢ଼ାଇବା ପାଇଁ ଲଗାତାର ଆଲୋଚନା ଜାରି ରଖିଛନ୍ତି।
ଯଦି ସି ଜିନପିଙ୍ଗଙ୍କ ଗସ୍ତ ଚୂଡ଼ାନ୍ତ ହୁଏ, ତେବେ ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତ ଓ ଚୀନ୍ ନେତୃତ୍ୱଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ମଧ୍ୟ ହୋଇପାରେ। ଏହି ଆଲୋଚନାରେ ସୀମା ବିବାଦ, ଆଞ୍ଚଳିକ ସୁରକ୍ଷା, ବାଣିଜ୍ୟିକ ସହଯୋଗ ଓ ଦ୍ୱିପାକ୍ଷିକ ସମ୍ପର୍କର ଭବିଷ୍ୟତ ଦିଗ ଉପରେ ଗୁରୁତ୍ୱ ଦିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।