Worship of letters: ଅକ୍ଷର ଆରାଧନା
"ଭାରତରେ ମୁଖ୍ୟତଃ ଦେବଦେବୀଙ୍କ ପ୍ରତିମା ପୂଜା ଦେଖିବାକୁ ମିଳେ।
କିନ୍ତୁ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାରେ "ଅକ୍ଷର ପୂଜା" ବା "ଲିପି ପୂଜା"ର ସ୍ବତନ୍ତ୍ର ସ୍ଥାନ ରହିଛି।
ଓଡ଼ିଆ ଜାତି ଜ୍ଞାନ, ବିଦ୍ୟା ଓ ଅକ୍ଷରକୁ କେବଳ ଏକ ସାଧନ ଭାବେ ନୁହେଁ, ସାକ୍ଷାତ ବ୍ରହ୍ମ ବା ଭଗବତ୍ ସ୍ୱରୂପ ଭାବେ ପୂଜା କରିଆସିଛି।
ଓଡ଼ିଆ ସନ୍ଥ ସାହିତ୍ୟ, ବିଶେଷକରି ପଞ୍ଚସଖା (ଅଚ୍ୟୁତାନନ୍ଦ, ଜଗନ୍ନାଥ, ବଳରାମ, ଅନନ୍ତ ଓ ଯଶୋବନ୍ତ ଦାସ)ଙ୍କ ଦର୍ଶନରେ "ଅକ୍ଷର"କୁ "ବ୍ରହ୍ମ" ବୋଲି କୁହାଯାଇଛି।
ସେମାନଙ୍କ ମତରେ ଯାହାର କ୍ଷର ନାହିଁ ତାହା ହିଁ ଅକ୍ଷର।
ଶୂନ୍ୟ ସଂହିତା ଓ ମାଳିକା ସାହିତ୍ୟରେ ନିରାକାର ପ୍ରଭୁଙ୍କୁ ବିଭିନ୍ନ ବୀଜମନ୍ତ୍ର ଏବଂ ଓଡ଼ିଆ ଅକ୍ଷର ("ଅ", "ଉ", "ମ" ବା ଓଁକାର) ମାଧ୍ୟମରେ ଆରାଧନା କରାଯାଇଛି।
ସେହିପରି ସଉରା ଜନଜାତିର ଧର୍ମୀୟ ପରମ୍ପରାରେ "ଅକ୍ଷରବ୍ରହ୍ମ"ଙ୍କର ଆରାଧନାର ସ୍ବତନ୍ତ୍ର ଗୁରୁତ୍ବ ରହିଛି।
ରାୟଗଡ଼ା ଜିଲ୍ଲାର ଶବରପଲ୍ଲୀ ମରିଚଗୁଡ଼ାରେ ରହିଛି ଅକ୍ଷରବ୍ରହ୍ମ ମନ୍ଦିର।
ଅକ୍ଷର ଆରାଧନାକୁ ନେଇ ବିେଶଷ ଉପସ୍ଥାପନା।ପ୍ରତିବେଦନ: ଶିବପ୍ରସାଦ ଦୋରା, ପ୍ରଗତି ସାହୁAdvertisment କାଠ, ପଥର ଅବା ଧାତୁ ତିଆରି ମୂର୍ତ୍ତିକୁ ଈଶ୍ବରଙ୍କ ପ୍ରତିଭୂ ରୂପେ ପ୍ରାୟ ସବୁଠି ପୂଜା କରାଯାଏ।
କିନ୍ତୁ ପୃଥିବୀରେ ବୋଧହୁଏ ଏହା ଏକମାତ୍ର ସ୍ଥାନ, ଯେଉଁଠି ଅକ୍ଷର ପାଲଟିଛନ୍ତି ବ୍ରହ୍ମ, ପୂର୍ଣ୍ଣବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତିଭୂ।
ଅକ୍ଷରରୂପୀ ଭଗବାନ ଏଠାରେ ପୂଜା ପାଉଥିବାରୁ ତାଙ୍କର ନାମ ହୋଇଛି "ଅକ୍ଷରବ୍ରହ୍ମ"।
ରାୟଗଡ଼ା ଜିଲ୍ଲାର ପଦ୍ମପୁର ନିକଟସ୍ଥ ଶବରପଲ୍ଲୀରେ ଗଢ଼ି ଉଠିଛି ଶବର ସଂପ୍ରଦାୟର ଆରାଧ୍ୟ ଦେବତା "ଅକ୍ଷରବ୍ରହ୍ମ"ଙ୍କ ପୀଠ।
Farmers: ରାସ୍ତାକଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରୁଛନ୍ତି ଚାଷୀ ପଦ୍ମପୁରଠାରୁ ଉତ୍ତର ଦିଗକୁ ମାତ୍ର ୭ କିଲୋମିଟର୍ ଦୂର ତଥା ରାୟଗଡ଼ା-ବ୍ରହ୍ମପୁର ଜାତୀୟ ରାଜପଥ ୩୨୬ର ଖିଲାମୁଣ୍ଡା ଛକଠାରୁ ମାତ୍ର ଦୁଇ କି.ମି.
ଗଲେ ଏକ କ୍ଷୁଦ୍ର ଶବରପଲ୍ଲୀ ମରିଚଗୁଡ଼ା।
ମରିଚଗୁଡା ନିକଟସ୍ଥ "ମାତାରବନମ୍" ନାମକ ଅନୁଚ୍ଚ ପାହାଡ଼ ଶିଖରର ସମତଳ ପୃଷ୍ଠଦେଶରେ ପ୍ରାକୃତିକ ଅନୁପମ ପରିବେଶ ମଧ୍ୟରେ ବିରାଜମାନ "ଅକ୍ଷରବ୍ରହ୍ମ" ମନ୍ଦିର।
ଶବର ସଂପ୍ରଦାୟ ଲୋକଙ୍କ ମତାନୁଯାୟୀ, ଉତ୍କଳୀୟଙ୍କ ଆରାଧ୍ୟ ଦେବତା ନୀଳାଚଳନାଥ ପ୍ରଭୁ ଶ୍ରୀଜଗନ୍ନାଥ ପୁରୀରେ ଦାରୁବ୍ରହ୍ମ ରୂପେ ପୂଜିତ ହେଉଥିବାବେଳେ ଏଠାରେ ସେ "ଅକ୍ଷରବ୍ରହ୍ମ" ରୂପେ ପୂଜା ପାଆନ୍ତି।
ଦାରୁବ୍ରହ୍ମରୁ ଅକ୍ଷରବ୍ରହ୍ମକୁ ଶ୍ରୀଜିଉଙ୍କ ରୂପାନ୍ତର ନେଇ ଶବର ସଂସ୍କୃତିରେ ସୁନ୍ଦର ଲୋକକଥା ରହିଛି।
ଅକ୍ଷରବ୍ରହ୍ମଙ୍କ ଉତ୍ପତ୍ତି ଏବଂ ପୀଠର ପ୍ରତିଷ୍ଠା ସଂପର୍କରେ ପ୍ରଚଳିତ କିଂବଦନ୍ତି ଅନୁଯାୟୀ, ବହୁ ପୁରାତନ କାଳରୁ ଶ୍ରୀଜଗନ୍ନାଥ ଶବର ସଂପ୍ରଦାୟର ଆରାଧ୍ୟ ଦେବତା ରୂପେ ପୂଜା ପାଇ ଆସୁଥିଲେ।
ଶବର ରାଜା ବିଶ୍ୱାବସୁ ନୀଳମାଧବଙ୍କୁ ଗୁପ୍ତଭାବେ ପୂଜା କରୁଥିଲେ।
ଏହି ଅବସରରେ ଶବର ରାଜକନ୍ୟା ଲଳିତାଙ୍କ ସହିତ ବ୍ରାହ୍ମଣ ବିଦ୍ୟାପତିଙ୍କ ସାକ୍ଷାତ୍ ହେଲା।
ବିଦ୍ୟାପତିଙ୍କ ପ୍ରେମରେ ପଡ଼ିଗଲେ ଲଳିତା।
ପ୍ରେମପାଗଳୀ ଲଳିତା ବିଦ୍ୟାପତିଙ୍କ ଅନୁରୋଧରେ ଗୁପ୍ତରୂପେ ପୂଜା ପାଉଥିବା ନୀଳମାଧବଙ୍କୁ ଦର୍ଶନ କରାଇ ପୂଜାବିଧି ସଂପର୍କରେ ଅବଗତ କରାଇଦେଲେ।
ଏଥିରେ ଭଗବାନ ରୁଷ୍ଟ ହୋଇ ଶବର ଭକ୍ତଙ୍କ ପୂଜା ପ୍ରାର୍ଥନା ଗ୍ରହଣ କଲେନାହିଁ।
ଶବର ରାଜା ଗୁହାରି ଜଣାଇଲେ।
କିନ୍ତୁ ଭଗବାନ ଉକ୍ତ ସ୍ଥାନ ପରିତ୍ୟାଗକରି ଅନ୍ତର୍ଦ୍ଧାନ ହୋଇଗଲେ।
ଭଗବାନଙ୍କର ଏଭଳି ଆଚରଣରେ ଶବର ରାଜା କ୍ରୋଧାନ୍ୱିତ ହେଲେ।
ପୂର୍ବଭଳି ଶବରମାନଙ୍କ ପୂଜା ପ୍ରାର୍ଥନା ଗ୍ରହଣ ନ କରିବା ଯାଏ ସେ ଭଗବାନଙ୍କୁ ପୂଜା ସାମଗ୍ରୀ ରୂପେ ରକ୍ତ ଓ ମଦ ଅର୍ପଣ କରିବା ସକାଶେ ସ୍ଥିର କଲେ।
ତତ୍ପରେ ଶବର ଭକ୍ତଗଣ ପୂଜା ପଦ୍ଧତିରେ ବ୍ୟତିକ୍ରମ ଘଟାଇ ପୂଜାରେ ଛେଳି, ମେଣ୍ଢା, କୁକୁଡ଼ା, ପାରା, ପୋଢ଼ ଓ ଗାଈଗୋରୁ ଆଦି ପ୍ରାଣୀ, ଏପରିକି ମଣିଷକୁ ବଳି ଚଢ଼ାଇ ସେମାନଙ୍କ ଶରୀରରୁ ନିର୍ଗତ ରକ୍ତରେ ଭଗବାନଙ୍କ ଶିର ପ୍ରକ୍ଷାଳନ କଲେ।
ତେବେ ୧୯୩୬ ମସିହା ଜୁନ୍ ୧୮ ତାରିଖରେ ପୁନଃ ଭଗବାନ ଶବରମାନଙ୍କ ମଧ୍ୟରେ ପ୍ରକଟିତ ହେଲେ।
ଭଗବାନଙ୍କ ସାଧନାରତ ଶବର ପଣ୍ଡିତ ମାଙ୍ଗେଇ ଗମାଙ୍ଗଙ୍କୁ ସ୍ୱପ୍ନାଦେଶ ହେଲେ।
ସ୍ୱପ୍ନରେ ଭଗବାନ ଶବରଜାତିର ଅଦୃଶ୍ୟ ଦେବତା ଅକ୍ଷରବ୍ରହ୍ମ ରୂପେ ଦେଖାଦେଲେ।
ସ୍ୱପ୍ନାଦେଶରେ ଭଗବାନ କହିଲେ, ସେ ପୁନରାୟ ଶବରମାନଙ୍କ ନିକଟରେ ନୀଳମାଧବ ପରିବର୍ତ୍ତେ ଅକ୍ଷରବ୍ରହ୍ମ ରୂପେ ଆବିର୍ଭୂତ ହୋଇଛନ୍ତି।
ମରିଚଗୁଡ଼ାସ୍ଥ ଶବରପଲ୍ଳୀ ନିକଟସ୍ଥ "ମାତାରବନମ୍" ପାହାଡ଼ ମଧ୍ୟରେ ୨୪ ଗୋଟି ଅକ୍ଷର ରୂପେ ଦୃଶ୍ୟମାନ ହୋଇଛନ୍ତି ।
ଏଣିକି ଶବରମାନେ ମାର୍ଜିତ ହୋଇ ମଦ ଓ ରକ୍ତ ପରିବର୍ତ୍ତେ ଫୁଲ କୁଶ ଦେଇ ପୂଜା କଲେ ଶବର ଜାତିର ମଙ୍ଗଳ ପାଇଁ।
ଏହା ପରଦିନ ମଙ୍ଗେଇ ଗମାଙ୍ଗ କିଛି ଶବର ସାଥୀଙ୍କୁ ନେଇ ସ୍ୱପ୍ନାଦେଶରେ ଦେଖିଥିବା ପର୍ବତ ଖୋଳି ଦେଖନ୍ତି ତ ସ୍ୱପ୍ନ ଅନୁଯାୟୀ ସ୍ୱୟଂ ଭଗବାନ ଏକ ପ୍ରସ୍ତର ଉପରେ ଓଡ଼ିଆ "ଓଁ" ମଧ୍ୟରେ ଖୋଦିତ ୨୪ ଗୋଟି ଅକ୍ଷର ରୂପେ ବିରାଜିତ ହୋଇଛନ୍ତି।
ଏହି ଘଟଣା ତ୍ୱରିତ୍ ବେଗରେ ଚାରିଆଡ଼େ ଖେଳିଗଲା।
ମାଙ୍ଗେଇ ଗମାଙ୍ଗ ବିଭିନ୍ନ ଶବର ପଲ୍ଲୀମାନ ଭ୍ରମଣ କରି ଭଗବାନଙ୍କ ଅଲୌକିକ ଘଟଣା ସଂପର୍କରେ ଲୋକଙ୍କୁ ବୁଝାଇଲେ।
୧୯୫୨ ମସିହାରେ ସେଠାରେ ନଡ଼ାଛପର ଘର ତୋଳାହେଲା ଏବଂ ୧୯୯୪ ମସିହାରେ କୋରାପୁଟ ସାଂସଦ ଡ.
ଗିରିଧର ଗମାଙ୍ଗଙ୍କ ପ୍ରଚେଷ୍ଟା ବଳରେ ପୂର୍ଣ୍ଣାଙ୍ଗ ମନ୍ଦିର ରୂପନେଲା।ତେବେ ଅନ୍ୟାନ୍ୟ ପୀଠ ତୁଳନାରେ ଏହି ପୀଠ ଭିନ୍ନ।
ପ୍ରାୟତଃ ସବୁ ପୀଠରେ ଭଗବାନଙ୍କ ଧାତୁ କିମ୍ବା କାଠ ଅଥବା ପ୍ରସ୍ତର ନିର୍ମିତ ବିଗ୍ରହ ପୂଜା ପାଉଥିବା ବେଳେ ଏଠାରେ ଅକ୍ଷର ଖୋଦିତ "ଓଁ" ଆକାରର ପ୍ରସ୍ତର ପୂଜାପାଏ ।
ଏଠାରେ ୨୪ ଗୋଟି ଅକ୍ଷର ଏକତ୍ର ଏକସ୍ଥାନରେ ପୂଜା ପାଆନ୍ତି।
ସେମାନଙ୍କର ବିଶ୍ବାସ, ବିଶ୍ୱାବସୁଙ୍କଠାରୁ ଭଗବାନ ଅଦୃଶ୍ୟ ହେବା ଏବଂ ଅକ୍ଷରବ୍ରହ୍ମ ରୂପେ ଉଭା ହେବା ମଧ୍ୟରେ ବିଭିନ୍ନ ସମୟରେ ଶବରମାନେ ପୂଜା କରିଆସୁଥିବା ୨୪ଗୋଟି ଦେବତା ୨୪ଟି ଅକ୍ଷର ରୂପେ ଏଠାରେ ପ୍ରସ୍ଫୁଟିତ ହୋଇଛନ୍ତି ।
ମନ୍ଦିର ପ୍ରକୋଷ୍ଠ ମଧ୍ୟରେ ଥିବା ଓଁକାର ପ୍ରସ୍ତରର ଚତୁଃପାର୍ଶ୍ବ ଧାରକୁ ଘୋଡ଼ାଇ ତିନିଦ୍ୱାରବିଶିଷ୍ଟ ଏକ କ୍ଷୁଦ୍ର ଗୋଲାକାର ଗମ୍ବୁଜ ରହିଛି ।
ମଙ୍ଗେଇଙ୍କ ଭାଷାରେ ଗମ୍ବୁଜ ମଧ୍ୟରେ ଥିବା ତିନୋଟି ଦ୍ୱାର, ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ।
ଏହି ସ୍ଥାନରେ ଭକ୍ତ ଦୀପ ଜାଳି ପୂଜାର୍ଚ୍ଚନା କଲେ ମନସ୍କାମନା ଏହି ଦ୍ୱାର ଦେଇ ସିଧାସଳଖ ଭଗବାନଙ୍କଠାରେ ପହଞ୍ଚିଯାଏ ।
ନିଜର ପୂର୍ବପୁରୁଷଙ୍କ ଅସ୍ଥିକୁ ଏହି ପୀଠ ନିକଟବର୍ତ୍ତୀ ଅଞ୍ଚଳରେ ସ୍ଥାପନ କଲେ ଆତ୍ମାର ସଦ୍ଗତି ହୋଇଥାଏ ବୋଲି ଶବରମାନଙ୍କ ବିଶ୍ୱାସ ରହିଛି।
Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ ପ୍ରତ୍ୟେକ ଗୁରୁବାର ବୟସ ନିର୍ବିଶେଷରେ ସ୍ତ୍ରୀ ପୁରୁଷ ସମସ୍ତେ ପୀଠରେ ଉପସ୍ଥିତ ହୋଇ ଅକ୍ଷରବ୍ରହ୍ମଙ୍କୁ ଆରାଧନା କରନ୍ତି।
ବିଶେଷତଃ ବୈଶାଖ ମାସ ଅକ୍ଷୟତୃତୀୟାଠାରୁ ତିନିଦିନଯାଏ ଏହି ପୀଠରେ ସଉରା(ଶବର) ଭକ୍ତଙ୍କ ବିରାଟ ସମାବେଶ ହୁଏ।
ଓଡ଼ିଶା ସମେତ ଆନ୍ଧ୍ରରୁ ବହୁ ସଉରା ଭକ୍ତ ଏଠାକୁ ଅକ୍ଷରବ୍ରହ୍ମଙ୍କ ଦର୍ଶନାର୍ଥେ ଛୁଟି ଆସିଥାନ୍ତି।
ଏଠାରେ ଶ୍ରଦ୍ଧାଳୁ ଫୁଲ, ଚାଉଳ ଓ ଦୀପ ଧରି ପାହାଚ ପରେ ପାହାଚ ଚଢ଼ି ଅକ୍ଷରବ୍ରହ୍ମଙ୍କ ନିକଟରେ ପୂଜା କରନ୍ତି।
ଏହାଛଡ଼ା ଏହି ପୀଠରେ ପ୍ରତ୍ୟହ ସକାଳ ଓ ସନ୍ଧ୍ୟା ଦୁଇବେଳା ମିଠାଫଳ ଭୋଗ ଓ ଆରତି ଆଦି ଚାଲୁଥିବାବେଳେ ଏହି ପୀଠ ଶବର ସଂପ୍ରଦାୟର ମୁକ୍ତିତୀର୍ଥ ପାଲଟିଯାଇଛି।
ଅପରପକ୍ଷେ ଅକ୍ଷରବ୍ରହ୍ମଙ୍କ ଆବିର୍ଭାବ ପରେ ଶବର ସଂପ୍ରଦାୟରେ ଅନେକ ସଂସ୍କାର ଆସିଛି।
ପୂଜାପଦ୍ଧତିଠାରୁ ଆରମ୍ଭ କରି ସାମାଜିକ ଚଳଣିରେ ଅକ୍ଷରବ୍ରହ୍ମଙ୍କ ପ୍ରଭାବରେ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହୋଇଛି।
କୁସଂସ୍କାର ଓ ଅନ୍ଧବିଶ୍ୱାସ ଅନେକାଂଶରେ କମିଯାଇଛି।
ଅକ୍ଷରବ୍ରହ୍ମ ମନ୍ଦିରର ବର୍ତ୍ତମାନର ପୂଜକ ଲକ ଶବରଙ୍କ ସୂଚନା ଅନୁଯାୟୀ, ଅକ୍ଷରବ୍ରହ୍ମ ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ।
ମହାପ୍ରଭୁ ଜଗନ୍ନାଥଙ୍କୁ ଶବରମାନେ ପୂଜା କରି ଆସୁଥିଲେ।
ମହାପ୍ରଭୁଙ୍କ ଇଚ୍ଛାକ୍ରମେ ଯେତେବେଳେ ବ୍ରାହ୍ମଣମାନେ ପୂଜା କରିବାକୁ ଲାଗିଲେ ଏଥିରେ ଶବରମାନେ କ୍ରୋଧିତ ହୋଇ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରି ବଳି ପ୍ରଥା ଆରମ୍ଭ କରିଥିଲେ।
କିଂବଦନ୍ତି ଅନୁସାରେ, ମାଙ୍ଗେଇ ଗମାଙ୍ଗଙ୍କ ଗୁରୁ ମାଳିଆ ଗମାଙ୍ଗ ତାଙ୍କ ଦେହାବସାନ ସମୟରେ କେବଳ ସୌରା ଲିପି ସଂପର୍କିତ ଶବ୍ଦଗୁଡ଼ିକୁ ଉଚ୍ଚାରଣ କରି ଦେହ ତ୍ୟାଗ କରିଥିଲେ।
ଦେହ ତ୍ୟାଗ ସମୟରେ ମାଙ୍ଗେଇ ଉପସ୍ଥିତ ରହି ଶବ୍ଦଗୁଡ଼ିକୁ ଶୁଣିଥିଲେ।
ପରବର୍ତ୍ତୀ ସମୟରେ ଏହି ପୀଠରେ ୨୧ ଦିନ ତପସ୍ୟା କରି ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଅକ୍ଷରବ୍ରହ୍ମ ଲିପି ସଂପର୍କରେ ସ୍ବାପ୍ନାଦେଶ ହୋଇ ସୂଚନା ପାଇଥିଲେ।
ଗ୍ରାମବାସୀଙ୍କ ସହଯୋଗରେ ପାହାଡ଼ ଉପରୁ ପଥରଗୁଡ଼ିକ ମଧ୍ୟରେ ଅକ୍ଷରବ୍ରହ୍ମର ସନ୍ଧାନ ପାଇଥିଲେ ଏବଂ ସେହିଦିନଠୁ ଆଜିଯାଏଁ ତାଙ୍କ ଦାୟାଦମାନେ ପୂଜା କରିଆସୁଛନ୍ତି।
ଏ ନେଇ ମାଙ୍ଗେଇ ଗମାଙ୍ଗଙ୍କ ସଂପର୍କୀୟ ହାରାବତୀ ଗମାଙ୍ଗ କହନ୍ତି, ""ମହାପ୍ରଭୁ ଜଗନ୍ନାଥଙ୍କର ଯେଉଁଦିନ ରଥ କାଠ ଅନୁକୂଳ ହୁଏ, ସେହିଦିନ ଅକ୍ଷରବ୍ରହ୍ମ ମନ୍ଦିରରେ ବିରାଟ ଉତ୍ସବ ପାଳନ କରାଯାଏ।
ଅକ୍ଷରବ୍ରହ୍ମ ମନ୍ଦିରରୁ ଚାଷୀମାନେ ବିହନ ନେଇ ଅକ୍ଷି ମୁଠି ଅନୁକୂଳ କରି କୃଷି କାର୍ଯ୍ୟ ଆରମ୍ଭ କରନ୍ତି।"" ପଦ୍ମବନ ଧାମରେ ଅକ୍ଷର ପୂଜା କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠରେ "ନିରକ୍ଷର ପୂଜା" ହୁଏ।
ଏହାକୁ ଅନେକ ସମୟରେ "ଶୂନ୍ୟ ଅକ୍ଷର", "ଅକ୍ଷର ପୂଜା" ବା "ନିରାକାର ମନ୍ତ୍ର ପୂଜା" କୁହାଯାଏ।
ଏହା "ପଦ୍ମବନ ଧାମ" ଭାବେ ମଧ୍ୟ ପରିଚିତ।
ମହାପୁରୁଷଙ୍କ ମତରେ, ଆମେ ଆଖିରେ ଦେଖୁଥିବା ବା କାଗଜରେ ଲେଖୁଥିବା ଅକ୍ଷରଗୁଡ଼ିକ ହେଉଛି "କ୍ଷର" ମାନେ ଯାହାର ବିନାଶ ଅଛି।
କିନ୍ତୁ ଏହା ବାହାରେ ଏକ "ନିରକ୍ଷର" ବା "ଅକ୍ଷର ବ୍ରହ୍ମ" ଅଛନ୍ତି, ଯିଏ ରୂପହୀନ, ଗୁଣହୀନ।
ନେମାଳ ପୀଠରେ ପାରମ୍ପରିକ ମୂର୍ତ୍ତି ଅପେକ୍ଷା ଶୂନ୍ୟ ସାଧନା, ଗାଦି ପୂଜା ଓ ପ୍ରଭୁଙ୍କ ନିରାକାର ସ୍ୱରୂପକୁ ପ୍ରାଧାନ୍ୟ ଦିଆଯାଏ।
ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ଓ ଭକ୍ତମାନେ ବିଶ୍ୱାସ କରନ୍ତି ଯେ ମହାପୁରୁଷଙ୍କ ଲିଖିତ ପୋଥିର ଅକ୍ଷରଗୁଡ଼ିକ କେବଳ ଲିପି ନୁହନ୍ତି, ଏହା ଭବିଷ୍ୟତର ବାଣୀ ଓ ଜୀବନ୍ତ ଦେବତା ଏବଂ ଏହା ହିଁ ପ୍ରକୃତ ଅକ୍ଷର ପୂଜା।
ପ୍ରାୟ ୫୫୦ ବର୍ଷ ପୂର୍ବେ ଜନ୍ମ ନେଇଥିବା ପଞ୍ଚସଖା ଶୂନ୍ୟ ସାଧନା ଅର୍ଥାତ୍ ଭଗବାନଙ୍କ ନିରାକାର ସ୍ବରୂପକୁ ପୂଜା କରୁଥିଲେ।
ମହାପୁରୁଷଙ୍କ ମତରେ ଶ୍ରୀଜଗନ୍ନାଥ ହେଉଛନ୍ତି ସାକାର ଓ ନିରାକାରର ମିଳିତ ସୂତ୍ର।
ଦାରୁବିଗ୍ରହ ତାଙ୍କର ଆକାର ଏବଂ ତାଙ୍କ ଭିତରେ ଥିବା ବ୍ରହ୍ମ ହେଉଛନ୍ତି ଅଣାକାର।
ଏହି ଯନ୍ତ୍ରରେ "ଅ" ଅକ୍ଷର ସହ ୫ଟି ମାତ୍ରା ବା ବୀଜ (ହ୍ଲୀଂ, ଶ୍ଲୀଂ, କ୍ଲୀଂ, ଧ୍ଲୀଂ, ପ୍ଲୀଂ) ଓ ଅନୁସ୍ୱାର ରହିଥାଏ।
ଏହାର କୌଣସି ନିର୍ଦ୍ଦିଷ୍ଟ ଭୌତିକ ଉଚ୍ଚାରଣ ନାହିଁ।
ନେମାଳ ପଦ୍ମବନ ପୀଠରେ ମହାପୁରୁଷଙ୍କ ମାଟିମୂର୍ତ୍ତି ରହିଛି।
ମହାପୁରୁଷଙ୍କୁ ପ୍ରତିଦିନ ଚୁଆ, ଚନ୍ଦନ, ଅଗରୁ, କର୍ପୂର, ଗଙ୍ଗାଜଳ ଆଦିରେ ସ୍ନାନ କରାଯାଏ।
ସେଠାରେ ପୂଜାରୀ ପ୍ରତିଦିନ ଚୁଆ-ଚନ୍ଦନ ଲେପନ କରି ସେହି ଚନ୍ଦନରେ ଅଣାକାର ଯନ୍ତ୍ର ଅଙ୍କନ କରି ପୂଜା କରନ୍ତି।
ଏହି ଚିତ୍ରକୁ ସାଧାରଣ ଲୋକେ ଦେଖିପାରନ୍ତି ନାହିଁ।
ଦୁଇ ଭ୍ରୂଲତା ମଧ୍ୟଭାଗରୁ ନାସିକା, ନାସିକାରୁ ଓଷ୍ଠ ଓ କର୍ଣ୍ଣମୂଳରୁ କଣ୍ଠଦେଶ ପର୍ଯ୍ୟନ୍ତ ଥିବା ତ୍ରିକୁଟ ସ୍ଥାନକୁ ହିଁ ମାନବ ଶରୀରରେ "ଅଣାକାର ସ୍ଥାନ" ବୋଲି କୁହାଯାଏ।
ଏହି ଯନ୍ତ୍ର ଶରୀରର ଷଡ଼ଚକ୍ର ବା କୁଣ୍ଡଳିନୀ ଶକ୍ତି ଜାଗରଣ ସହିତ ଜଡ଼ିତ।
ଲୋକମାନେ ଏହି ଅଣାକାର ଯନ୍ତ୍ରକୁ ତାବିଜ ଭାବେ ଧାରଣ କରନ୍ତି ଓ ପୂଜା କରନ୍ତି।
ସେବାୟତ ଶଶୀକାନ୍ତ ପୂଜାରୀଙ୍କ କହିବାନୁଯାୟୀ, ଏହି ଯନ୍ତ୍ର ପ୍ରତି ଲୋକଙ୍କର ଅଗାଧ ବିଶ୍ୱାସ ରହିଛି।
ଏହାକୁ ପୂଜା କରି ଅନେକ ଲୋକ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ପାଇଛନ୍ତି ଏବଂ ନିଃସନ୍ତାନମାନେ ସନ୍ତାନପ୍ରାପ୍ତ ହୋଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।