Women Found in Dhanarua: ପ୍ରଥମେ ବିଦ୍ୟୁତ୍ ଝଟକା, ପରେ ତାରରେ ଗଳା ଚିପି ହତ୍ୟା! ମହିଳାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

Jul 13, 2026 - 14:12
Women Found in Dhanarua: ପ୍ରଥମେ ବିଦ୍ୟୁତ୍ ଝଟକା, ପରେ ତାରରେ ଗଳା ଚିପି ହତ୍ୟା! ମହିଳାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

ବିହାରର ପାଟନାରୁ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଧନରୁଆ ଥାନା ଅଞ୍ଚଳର ଗୁଲରିଆ ବିଘା ଗାଁରେ ଜଣେ ୨୦ ବର୍ଷୀୟା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପ୍ରଥମେ ବିଦ୍ୟୁତ୍ ଝଟକା ଦେଇ ଅଧମରା କରାଯିବା ପରେ ତାରରେ ଗଳା ଚିପି ହତ୍ୟା କରାଯାଇଥିବା ଅଭିଯୋଗ ରହିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ଜୁଲାଇ ୧୨ତାରିଖରେ ଏହି ଘଟଣା ଘଟିଥିଲା। ମୃତ ମହିଳାଙ୍କ ସ୍ୱାମୀ ପ୍ରଥମେ ତାଙ୍କୁ ବିଦ୍ୟୁତ୍ ଝଟକା ଦେଇ ଅଧମରା କରିଥିଲେ। ପରେ ତାରରେ ଗଳା ଚିପି ହତ୍ୟା କରିଥିଲେ। ଘଟଣା ପରେ ସ୍ୱାମୀ ଓ ଶଶୁର ଘରର ସମସ୍ତ ସଦସ୍ୟ ମୃତଦେହକୁ ଘରେ ଛାଡ଼ି ଫେରାର ହୋଇଯାଇଥିବା କୁହାଯାଉଛି।

ଘଟଣାର ପ୍ରାୟ ପାଞ୍ଚ ଘଣ୍ଟା ପରେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ମୃତ ମହିଳାଙ୍କ ବାପଘର ଲୋକେ ଶଶୁର ଘରେ ପହଞ୍ଚି ଘରର ବିଭିନ୍ନ ସାମଗ୍ରୀକୁ ଠେଙ୍ଗା ଓ ବାଡ଼ିରେ ପିଟି ଭଙ୍ଗାରୁଜା କରିଥିଲେ। ଧନରୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ମୃତ ପୂଜା କୁମାରୀ ବିହାରର ଜାହାନାବାଦ ଜିଲ୍ଲାର ଘୋସୀ ଥାନା ଅଞ୍ଚଳର ନୂରପୁର ଧାମାପୁର ଗାଁର ବାସିନ୍ଦା। ୨୦୨୪ ମାର୍ଚ୍ଚରେ ଗୁଲରିଆ ବିଘାର ରବିରଞ୍ଜନ କୁମାରଙ୍କ ସହ ତାଙ୍କର ବିବାହ ହୋଇଥିଲା। ପରିବାର ତରଫରୁ ନିଜର ସାମର୍ଥ୍ୟ ଅନୁଯାୟୀ ବାଇକ୍, ନଗଦ ଟଙ୍କା ସହ ଅନ୍ୟାନ୍ୟ ଯୌତୁକ ଦିଆଯାଇଥିଲା। କିନ୍ତୁ ବିବାହ ପରଠାରୁ ଅଧିକ ଯୌତୁକ ଦାବି କରି ପୂଜାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ପୂଜାଙ୍କ ଦାଦା ରାମଧ୍ୟାନ କୁମାର ତାଙ୍କ ସ୍ୱାମୀ ରବିରଞ୍ଜନ କୁମାର, ଶଶୁର ଅରବିନ୍ଦ କୁମାର, ଶାଶୁ ଫୁଲମନ୍ତୀ ଦେବୀ ଏବଂ ନଣନ୍ଦ ପ୍ରୀତି କୁମାରୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ଏତଲା ଦାଖଲ କରିଛନ୍ତି।

ଧନରୁଆ ଥାନା ଅଧିକାରୀ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପିଏମସିଏଚ କୁ ପଠାଯାଇଛି। ପୋଷ୍ଟମଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।