Woman Killed by Live-in Partner: ଲିଭ୍-ଇନରେ ରହିଲା, ତଣ୍ଟି ଚିପି ମାରିଲା

Jul 25, 2026 - 12:59
Woman Killed by Live-in Partner: ଲିଭ୍-ଇନରେ ରହିଲା, ତଣ୍ଟି ଚିପି ମାରିଲା

କାନାଡାର ଏଡମଣ୍ଟନରେ ପଞ୍ଜାବର ୨୩ ବର୍ଷୀୟା ଭାରତୀୟ ଯୁବତୀ ଦମନପ୍ରୀତ କୌରଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିଲ୍ଲୀର ବାସିନ୍ଦା ୨୨ ବର୍ଷୀୟ ଋତିଶ କୁମାରଙ୍କୁ ଗିରଫ କରି ସେକେଣ୍ଡ-ଡିଗ୍ରୀ ମର୍ଡର ଅଭିଯୋଗରେ ମାମଲା ରୁଜୁ କରିଛି ଏଡମଣ୍ଟନ ପୋଲିସ।

ପୋଲିସ ଏହାକୁ 'ଅନ୍ତରଙ୍ଗ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ' ହୋଇଥିବା କହିଛି। ଦମନପ୍ରୀତ କୌର ପଞ୍ଜାବର ଲୁଧିଆନା ଜିଲ୍ଲାର ସମରାଲା ଅଞ୍ଚଳର ଲାଲ କଲାଁ ଗାଁର ବାସିନ୍ଦା ଥିଲେ। ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ସେ ଷ୍ଟଡି ଭିସାରେ କାନାଡା ଯାଇଥିଲେ।

ସେ ତାଙ୍କ ବାପାମାଙ୍କର ଏକମାତ୍ର ସନ୍ତାନ ଥିଲେ। ଝିଅକୁ ଉଚ୍ଚଶିକ୍ଷା ପାଇଁ କାନାଡା ପଠାଇବା ଲାଗି ପରିବାର ଋଣ କରିଥିଲା। ଏଡମଣ୍ଟନ ପୋଲିସ ସର୍ଭିସ ଅନୁସାରେ, ଜୁଲାଇ ୯, ୨୦୨୬ ସନ୍ଧ୍ୟା ୬ଟା ୪୪ ମିନିଟ୍ ସମୟରେ ସିଲଭରବେରି ଅଞ୍ଚଳର ଏକ ଘରେ ଜଣେ ଯୁବତୀ ଅଚେତ ଅବସ୍ଥାରେ ପଡ଼ିଥିବା ଓ ତାଙ୍କ ଦେହରେ ସନ୍ଦେହ ଜନକ ଆଘାତ ଥିବା ନେଇ ସୂଚନା ମିଳିଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣେ ପ୍ରାପ୍ତ ବୟସ୍କ ପୁରୁଷଙ୍କୁ ହେପାଜତକୁ ନେଇଥିଲା। ପରେ ଆପାତକାଳୀନ ଚିକିତ୍ସା ସେବା ଟିମ୍ ଦମନପ୍ରୀତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୨ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏଡମଣ୍ଟନ ମେଡିକାଲ ଏକ୍ସାମିନର ଅଫିସ ପକ୍ଷରୁ ଜୁଲାଇ ୧୪ରେ କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦମନପ୍ରୀତଙ୍କ ମୃତ୍ୟୁ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ତଦନ୍ତରେ ପ୍ରଥମେ ମୃତ୍ୟୁର କାରଣ ଗୋପନ ରଖାଯାଇଥିଲେ ମଧ୍ୟ ପରେ ଜଣାପଡ଼ିଥିଲା ଯେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା।

ଏହାପରେ ଜୁଲାଇ ୨୨ରେ ଋତିଶ କୁମାରଙ୍କୁ ଗିରଫ କରି ତାଙ୍କ ବିରୋଧରେ ସେକେଣ୍ଡ-ଡିଗ୍ରୀ ମର୍ଡର ଅଭିଯୋଗ ଅଣାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଅନ୍ୟ କୌଣସି ସନ୍ଦିଗ୍ଧଙ୍କୁ ପୋଲିସ ଖୋଜୁନାହିଁ।

ଦମନପ୍ରୀତଙ୍କ ମୃତ୍ୟୁ ଖବର ପରେ ଲୁଧିଆନାରେ ଥିବା ତାଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି। ପରିବାର ଲୋକେ କହିଛନ୍ତି, ସେମାନେ ଏବେ କିଛି କହିବା ଭଳି ପରିସ୍ଥିତିରେ ନାହାନ୍ତି ଏବଂ ଝିଅର ମରଶରୀର ଭାରତକୁ ଆସିବା ପରେ ଶେଷକୃତ୍ୟ କରିବାକୁ ଅପେକ୍ଷା କରିଛନ୍ତି।

ଗାଁ ପଞ୍ଚାୟତର ପାଞ୍ଚ ସଦସ୍ୟ ଜଗଜିତ ସିଂହ କହିଛନ୍ତି, ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଝିଅକୁ କାନାଡା ପଠାଇବା ପାଇଁ ସେମାନେ ନିଜର ସମସ୍ତ ସଞ୍ଚିତ ଧନ  ଖର୍ଚ୍ଚ କରିବା ସହ ଋଣ ମଧ୍ୟ କରିଥିଲେ। ଦମନପ୍ରୀତ ସେମାନଙ୍କର ଏକମାତ୍ର ସନ୍ତାନ ଥିଲେ ଏବଂ ପରିବାରର ସମସ୍ତ ଆଶା ତାଙ୍କ ଉପରେ ଥିଲା।

ସେ ସରକାରଙ୍କୁ ଦମନପ୍ରୀତଙ୍କ ମରଶରୀର ଭାରତକୁ ଆଣିବାରେ ପରିବାରକୁ ସହାୟତା କରିବାକୁ ଅନୁରୋଧ କରିଛନ୍ତି। କାନାଡାର ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ, ଦମନପ୍ରୀତଙ୍କ ମରଶରୀରକୁ ଭାରତକୁ ଫେରାଇ ଆଣିବା ଖର୍ଚ୍ଚ ବହନ କରିବା ପାଇଁ 'ଗୋ ଫଣ୍ଡ୍ ମି' ମାଧ୍ୟମରେ ଅନୁଦାନ ସଂଗ୍ରହ ଆରମ୍ଭ କରାଯାଇଛି।
 
 
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।