Why Do You Feel Breathless: ଅଳ୍ପ କିଛି ସିଢ଼ି ଚଢ଼ିଗଲେ ଧଇଁସଇଁ ଲାଗୁଛି କି? କରନ୍ତୁ ନାହିଁ ଅବହେଳା, ହୋଇପାରେ ସାଂଘାତିକ
ଆପଣ ଅଳ୍ପ କିଛି ସିଢ଼ି ଚଢ଼ିଲେ ଶ୍ୱାସ ଧଇଁସଇଁ ହୋଇଯାଉଛନ୍ତି କି? ପୂର୍ବରୁ ସହଜରେ ସିଢ଼ି ଚଢ଼ୁଥିଲେ, କିନ୍ତୁ ଏବେ ସାମାନ୍ୟ ପରିଶ୍ରମରେ ହିଁ ହାଲିଆ ଲାଗୁଛି? ଯଦି ଏଭଳି ସମସ୍ୟା ବାରମ୍ବାର ଦେଖାଦେଉଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ବିଶେଷଜ୍ଞଙ୍କ ମତରେ, ଏହା ହୃଦୟ, ଫୁସଫୁସ କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ପ୍ରାରମ୍ଭିକ ସଙ୍କେତ ହୋଇପାରେ।
ସିଢ଼ି ଚଢ଼ିଲେ କାହିଁକି ଧଇଁସଇଁ ଲାଗେ:
ସିଢ଼ି ଚଢ଼ିବା ସମୟରେ ଶରୀରକୁ ଅଧିକ ଅକ୍ସିଜେନ୍ ଓ ଶକ୍ତିର ଆବଶ୍ୟକତା ପଡ଼େ। ଏହି ସମୟରେ ହୃଦୟ ଦ୍ରୁତ ଗତିରେ ରକ୍ତ ସଞ୍ଚାଳନ କରିଥାଏ ଏବଂ ଫୁସଫୁସ ଅଧିକ ଅକ୍ସିଜେନ୍ ଗ୍ରହଣ କରିବାକୁ ତୀବ୍ର ଭାବେ କାମ କରେ।
ଯଦି ଶରୀର ସମ୍ପୂର୍ଣ୍ଣ ସୁସ୍ଥ ଥାଏ, ତେବେ କିଛି ସମୟ ପରେ ଶ୍ୱାସ ସ୍ୱାଭାବିକ ହୋଇଯାଏ। କିନ୍ତୁ ହୃଦୟ, ଫୁସଫୁସ କିମ୍ବା ରକ୍ତ ସଞ୍ଚାଳନରେ କୌଣସି ସମସ୍ୟା ଥିଲେ ସାମାନ୍ୟ ପରିଶ୍ରମରେ ମଧ୍ୟ ଧଇଁସଇଁ ଲାଗେ।
ସବୁବେଳେ ଏହା ରୋଗର ଲକ୍ଷଣ କି:
ପ୍ରତ୍ୟେକ କ୍ଷେତ୍ରରେ ଏମିତି ହେବା ଗୁରୁତର ରୋଗର ସଙ୍କେତ ନୁହେଁ। ମୋଟାପଣ, ଦ୍ରୁତ ଗତିରେ ସିଢ଼ି ଚଢ଼ିବା, ମାନସିକ ଚାପ, ଧୂମପାନ ଏବଂ ବୟସ ବୃଦ୍ଧି ଯୋଗୁଁ ମଧ୍ୟ ଏଭଳି ସମସ୍ୟା ହୋଇପାରେ।
ତେବେ ଯଦି ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ହାଲିଆ ଲାଗୁଛି କିମ୍ବା ବାରମ୍ବାର ଏପରି ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
କେଉଁ ରୋଗର ସଙ୍କେତ ହୋଇପାରେ:
ବିଶେଷଜ୍ଞଙ୍କ ଅନୁସାରେ ନିମ୍ନଲିଖିତ ସମସ୍ୟାରେ ଧଇଁସଇଁ ହେବା ଦେଖାଯାଏ -
• ଆସ୍ଥମା
• ସିଓପିଡି (COPD)
• ହୃଦରୋଗ
• ରକ୍ତହୀନତା (ଏନିମିଆ)
• ଫୁସଫୁସଜନିତ ରୋଗ
• ଥାଇରଏଡ୍ର ଅସନ୍ତୁଳନ
କେବେ ଡାକ୍ତରଙ୍କ ପାଖକୁ ଯିବେ:
ଧଇଁସଇଁ ଲାଗିବା ସହିତ ଯଦି ନିମ୍ନଲିଖିତ ଲକ୍ଷଣଗୁଡିଲ ଦେଖାଯାଏ, ତେବେ ଏହା ମେଡିକାଲ୍ ଜରୁରୀକାଳୀନ ପରିସ୍ଥିତି ହୋଇପାରେ -
• ଛାତିରେ ଯନ୍ତ୍ରଣା କିମ୍ବା ଚାପ ଅନୁଭବ ହେବା
• ମୁଣ୍ଡ ବୁଲାଇବା କିମ୍ବା ଅଚେତ ହୋଇଯିବା
• ବିଶ୍ରାମ ପରେ ମଧ୍ୟ ଶ୍ୱାସ ସ୍ୱାଭାବିକ ନ ହେବା
• ବାରମ୍ବାର ଏଭଳି ସମସ୍ୟା ହେବା
ଏପରି ସ୍ଥିତିରେ ବିଳମ୍ବ ନ କରି ତୁରନ୍ତ ଚିକିତ୍ସା କରନ୍ତୁ।
ବିଶେଷ ସତର୍କତା:
• ହଠାତ୍ ଅଧିକ ପରିଶ୍ରମ କରିବାରୁ ଦୂରେଇ ରୁହନ୍ତୁ।
• ପ୍ରତିଦିନ ହାଲୁକା ବ୍ୟାୟାମ ଓ ନିୟମିତ ଚାଲିବାର ଅଭ୍ୟାସ କରନ୍ତୁ।
• ଶ୍ୱାସକ୍ରିୟା ସମ୍ବନ୍ଧୀୟ ବ୍ୟାୟାମ (Breathing Exercises) କରିପାରିବେ।
• ଓଜନ ନିୟନ୍ତ୍ରଣରେ ରଖନ୍ତୁ ଓ ଧୂମପାନରୁ ଦୂରେଇ ରୁହନ୍ତୁ।
• ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ।
• ଯଦି ଆଗରୁ ଆସ୍ଥମା କିମ୍ବା ହୃଦରୋଗ ଅଛି, ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଔଷଧ ସେବନ କରନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।