Waterlogged After Heavy Rain Across Odisha: ପଶ୍ଚିମରୁ ଉତ୍ତର, ୩ ଦିନର ଲଗାଣ ବର୍ଷାରେ ରାଜ୍ୟର ସ୍ଥିତି ବେହାଲ୍

Jul 17, 2026 - 20:42
Waterlogged After Heavy Rain Across Odisha: ପଶ୍ଚିମରୁ ଉତ୍ତର, ୩ ଦିନର ଲଗାଣ ବର୍ଷାରେ ରାଜ୍ୟର ସ୍ଥିତି ବେହାଲ୍

ଯେତେଦୂର ଯାଏଁ ଦେଖିବେ, ସେ ଯାଏଁ ଜୀବନ ଏଇଠି ଜଳବନ୍ଦୀ। ନା ଚାଷ ନା ବାସ, ନା ଚୁଲି ନା ଚାଳ। ୩ ଦିନର ଲଗାଣ ବର୍ଷା ମାଡ଼ରେ ସାପୁଆ ନଦୀ ତାଣ୍ଡବ ରଚିଛି କଟକ ଜିଲ୍ଲାରେ। ସାପୁଆ ନଦୀର ଉପର ମୁଣ୍ଡରୁ ପାଣି ଛଡ଼ାଯିବାପରେ ତଳ ମୁଣ୍ଡ ଆଠଗଡ଼ ଅଞ୍ଚଳରେ ସ୍ଥିତି ଅସମ୍ଭାଳ। ବନ୍ଧ ଡେଇଁ ପାଣି ପଶୁଛି ଗାଁ ଗାଁକୁ। ବିଛିନ୍ନ ହୋଇଯାଇଛି ପୂରା ଇଲାକା। ତରଡ଼ିଙ୍ଗ, କରିକମଳ, ବାଇଲୋ ଅଞ୍ଚଳର ମୁଖ୍ୟ ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଛି। ତାହାରି ଭିତରେ ବାସଘର ଛାଡ଼ି କିଏ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ତ ପୁଣି କିଏ ନିଜ ନିଜ ଛାତ ଉପରକୁ ଯାଇ କାଳ କାଟୁଛନ୍ତି। କେବଳ ଗାଁ ଗଣ୍ଡା ନୁହଁ, ଆଠଗଡ଼ ପୌରାଞ୍ଚଳର ଅନେକ ଇଲାକାରେ ଘରେ ଘରେ ପଶିଛି ବନ୍ୟା ପାଣି। ହୋଟେଲ ଭିତରକୁ ରାତି ଅଧରେ ମାଡ଼ିଯାଇଛି ସାପୁଆ ନଦୀର ଜଳ। 

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ। ଘର ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି I ଘର ବାହାରେ ଥିବା ଚୁଲି ବୁଡ଼ିଯାଇଛି, କାଠ, ବାଲଟି, କଢ଼େଇ ପାଣିରେ ଭାସୁଛି। ବଳକା ଯେଉଁ ଆସବାବପତ୍ର ରହିଛି, ତା ଭିତରୁ ପାଣି କାଢୁଛନ୍ତି I ବାଲେଶ୍ବର ନୀଳଗିରି ଉପଖଣ୍ଡ ଔପଦା ବ୍ଲକର କାନପୁର ଗାଁର ଦୃଶ୍ୟ। ଆଜିକୁ ୩ ଦିନ ହେବ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ପଡ଼ିରହିଛନ୍ତି ଏଠାକାର ପରିବାର। ଜଳ ନିଷ୍କାସନ ପାଇଁ ଯେଉଁ ବାଟ ଥିଲା, ତାକୁ ବନ୍ଦ କରିଦିଆଯାଇଥିବାରୁ ଏବେ ଘର ଆଗରେ ଜମିଛି ଆଣ୍ଠୁଏ ପାଣି। ଫଳରେ ରୋଷେଇ ବାସ ସବୁ ବନ୍ଦ ହୋଇଯାଇଛି। 

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିପଦ ସଙ୍କେତ ପାରି କରିଛି ଜଳକା ନଦୀର ଜଳସ୍ତର। ଉପରମୁଣ୍ଡ ତଥା ମୟୁରଭଞ୍ଜରେ ବର୍ଷା ଜାରି ରହିଥିବାରୁ ଜଳକା ନଦୀରେ ବନ୍ୟା ଉପୁଜିବାର ଆଶଙ୍କା ରହିଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା କଥା, ଜୁଲାଇ ୧୭ ସୁଦ୍ଧା ରାଜ୍ୟରେ ୧୭ % ଅଧିକ ବର୍ଷା ରେକର୍ଡ ହୋଇଛି। କିଛି ସ୍ଥାନରେ ଭୟଙ୍କର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜି ଥିବାବେଳେ ସାପୁଆ ନଦୀରେ ୫୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ଆଗକୁ ଆହୁରି ଯଦି ବର୍ଷା ହୁଏ, ତା’ହେଲେ ସ୍ଥିତି ବିଗିଡ଼ିପାରେ। ତେବେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀରେ ବଡ଼ ବନ୍ୟାର ଆଶଙ୍କା ନାହିଁ। ଉପରମୁଣ୍ଡରେ ବର୍ଷା ଯୋଗୁ କାଲି ସୁଦ୍ଧା ଯଦି ହୀରାକୁଦରେ ଜଳସ୍ତର ବଢ଼େ, ତାହେଲେ ୨/୩ ଦିନ ଭିତରେ ପୁଣି ଡ୍ୟାମରୁ ପାଣି ଛଡ଼ାଯାଇପାରେ। ଅପରପକ୍ଷେ ପାଣିପାଗ ବିଭାଗର ପୂର୍ବାନୁମାନ, ଲଘୁଚାପ ପ୍ରଭାବରେ ଆହୁରି ୪ ଦିନ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ ୨୪ ଘଣ୍ଟା ପାଇଁ ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ଅନ୍ୟ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।