Village street Game: ଗାଁ ଦାଣ୍ଡର ଅଭୁଲା ଖେଳ: ବାଟି ନଟୁ ପୁଆ ପିଠୁ

Jun 07, 2026 - 07:40
Village street Game: ଗାଁ ଦାଣ୍ଡର ଅଭୁଲା ଖେଳ: ବାଟି ନଟୁ ପୁଆ ପିଠୁ

"ଦାଣ୍ଡରେ ପିଲାଏ ନଟୁ ଘୂରେଇବାର ଦୃଶ୍ୟ ଖୁବ୍‌ କମ୍‌ ଦେଖିବାକୁ ମିଳେ।

ପୁଣି ହାତରେ ଡାବଲ, ପୁଆ, ଖପରା କି ବାଟି ଧରି ଖେଳରେ ମାତିଥିବା ପିଲାଏ ବି କ୍ବଚିତ୍‌ ଦେଖିବାକୁ ମିଳୁଛନ୍ତି।

ଆଜିକାଲି ଚକଚକିଆ ଦାମୀ ‌ଖେଳନାର ଭିଡ଼ରେ ଏସବୁ ଦେଶୀ ଖେଳ ଆକର୍ଷଣ ହରାଇ ବସୁଛି।

ଅନ୍ତର୍ଜାତୀୟ ଖେଳ ଦିବସ ଅବସରରେ ବୁଡ଼ିଯାଉଥିବା ପୁରୁଣା ଗାଉଁଲି ଖେଳକୁ ନେଇ ବିଶେଷ ଉପସ୍ଥାପନା।Advertisment ପିଠୁ: ଏହା ଓଡ଼ିଶାର ବହୁ ପୁରୁଣା ଓ ଲୋକପ୍ରିୟ ଖେଳ।

ପିଠିକୁ ବଲ୍‌ ମାରି ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ହରାଯାଉଥିବାରୁ ଏହାର ନାମ ଏପରି।

ଆନ୍ଧ୍ରପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଉତ୍ତର ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ବି ଏହି ଖେଳର ନାମ ପିଠୁ।

ଖେଳରେ ଖପରା ବ୍ୟବହୃତ ହେଉଥିବାରୁ, ଝାଡ଼ଖଣ୍ଡରେ ଏହାକୁ ଏହାକୁ "ସାତ୍‌ ଖପରି" କୁହାଯାଏ।

ପଞ୍ଜାବ ଓ କାଶ୍ମୀରରେ ଏହାକୁ ଗରମ, ହିମାଚଳରେ ପିଠୁ ଗରମ, କର୍ଣ୍ଣାଟକରେ ଲଗୁରି, ତେଲେଙ୍ଗାନାରେ ଲିଙ୍ଗୋଟ କୁହାଯାଏ।

ସେହିପରି ରାଜସ୍ଥାନ, ବିହାର ଓ ମଧ୍ୟପ୍ରଦେଶରେ ସିତୋଲିଆ, ଗୁଜରାଟରେ ସତୋଦିୟୁ, କେରଳରେ ଦାବାକାଲି, ତାମିଲନାଡୁରେ ଏଜୁକାଲୁ ଆଦି ଭାବରେ ଏ ଖେଳ ଜଣାଶୁଣା।

ତେବେ କେବଳ ଭାରତରେ ନୁହେଁ, ବରଂ ନେପାଳ, ପାକିସ୍ତାନ, ବାଂଲାଦେଶ, ଇରାନ, ଆଫଗାନିସ୍ତାନ୍‌ ଓ ଶ୍ରୀଲଙ୍କା ଆଦି ୩୦ଟି ଦେଶରେ ପିଠୁ ପ୍ରଚଳିତ।

ଏହାକୁ ଖେଳିବା ପାଇଁ ଦୁଇଟି ଦଳ ଦରକାର।

ଗୋଟାଏ ପକ୍ଷର ଖେଳାଳି ଉପରକୁ ଉପର ଥୁଆ ହୋଇଥିବା ସାତଟି ଖପରାକୁ ଏକ ବଲ୍‌ ଫୋପାଡ଼ି ଭାଙ୍ଗିବେ।

ଅନ୍ୟପକ୍ଷର ଖେଳାଳି ନିର୍ଦ୍ଦିଷ୍ଟ ସମୟ ଭିତରେ ତାହାକୁ ସଜାଡ଼ିବାକୁ ଚେଷ୍ଟା କରିବେ।

ସେହି ସମୟରେ ଯଦି ଅପର ପକ୍ଷରୁ କେହି ବଲ୍‌କୁ ଫିଙ୍ଗି ଖେଳାଳିଙ୍କ ପିଠିରେ ବଜାଇ ଦେବେ ତ ସେ ଖେଳରୁ ବାଦ୍‌ ପଡ଼ି‌େବ।

ତେବେ ଭିନ୍ନ ଅଞ୍ଚଳରେ ଏଭଳି ଭିନ୍ନ ଭିନ୍ନ ନିୟମରେ ଏହି ଖେଳ ଖେଳାଯାଏ।

Ganjam: ୧୨ଟି ବାଇକ୍‌ ଜବତ କଲା ପୁଲିସ; ୨ ଅଭିଯୁକ୍ତ ଗିରଫ ନଟୁ: ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ଚପଳତା ବର୍ଣ୍ଣନା ସମୟରେ ଅନେକ ସ୍ଥାନରେ ନଟୁ ଖେଳ ସଂପର୍କରେ ଉଲ୍ଲେଖ କରାଯାଇଛି।

ଏଥିରୁ ନଟୁର ପ୍ରାଚୀନତା ଜଣାପଡ଼େ।

ଯଦିଓ ଏବେ ବଜାରରେ ନାନା ରଂଗର ପ୍ଲାଷ୍ଟିକ୍‌ ନଟୁ ଉପଲବ୍ଧ, ମାତ୍ର ପାରମ୍ପରିକ ନଟୁ ତିଆରି ହୋଇଥାଏ କାଠରେ।

ପିଆଜ ଆକୃତିର ଏକ କାଠରୁ ବାହାରକୁ କଣ୍ଟାଟିଏ ବାହାରିଥାଏ।

ପୁଣି ନଟୁ ଛୋଟରୁ ବଡ଼, ଭିନ୍ନ ଭିନ୍ନ ରଙ୍ଗ ଓ ଆକାରରେ ମିଳେ।

ସେହି କଣ୍ଟାରୁ ନେଇ ଉପର ପର୍ଯ୍ୟନ୍ତ ସୂତା ଗୁଡ଼ାଯାଏ।

ଶେଷ‌େର ସୂତାର ଶେଷ ଭାଗଟିକୁ ହାତରେ ଧରି ନଟୁଟିକୁ ଘୂରାଇ ଭୂଇଁରେ ଛାଡ଼ିଦେବା ଦ୍ବାରା ନଟୁଟି କଣ୍ଟାରେ ଠିଆହୋଇ ଘୂରିବା ଆରମ୍ଭ କରେ।

ନଟୁ ଖେଳରେ ଖେଳାଳି ସଂଖ୍ୟାରେ କୌଣସି କଟକଣା ନଥାଏ।

ସମସ୍ତେ ଏକାଠି ନଟୁ ଘୂରାନ୍ତି ଓ ସୂତା ସାହାଯ୍ୟରେ ନଟୁକୁ ହାତକୁ ଉଠାଇ ନିଅନ୍ତି।

ହାତକୁ ଉଠାଇନେବା ପ୍ରକ୍ରିୟାକୁ "ଆପୁ" କୁହାଯାଏ।

ଯେଉଁ ଖେଳାଳି ସବୁଠୁ ଶେଷରେ ଆପୁ କରେ, ତାହାର ନଟୁକୁ ଭୂଇଁରେ ଏକ ବୃତ୍ତ ମଧ୍ୟରେ ରଖାଯାଏ ଓ ଅନ୍ୟମାନେ ନିଜ ନଟୁ ସାହାଯ୍ୟରେ ଏହି ନଟୁକୁ ଆଘାତ କରି ବୃତ୍ତ ମଧ୍ୟରୁ ହଟେଇବାକୁ ଚେଷ୍ଟାକରନ୍ତି।

ନଟୁଟି ବୃତ୍ତ ମଧ୍ୟରୁ ବାହାରିଗଲେ, ପୁଣି ଥରେ ସମସ୍ତଙ୍କୁ "ଆପୁ" କରିବାକୁ ପଡ଼େ।

ବାଟି/ଗୁଲି ଖେଳ: ଏଇ ଖେଳ ବି ବହୁତ ପୁରୁଣା।

ଏବେ ଓଡ଼ିଶାରେ ଗ୍ରାମାଞ୍ଚଳରେ ଏହା ବଞ୍ଚିଛି।

ଗାଁ ଦାଣ୍ଡରେ ପିଲାଏ ବାଟି ଖେଳିବା ଦୃଶ୍ୟ ଏବେ ବିରଳ ହେଲେ ବି ଅସ୍ତିତ୍ବ ହରାଇନାହିଁ।

ଏହି ଖେଳରେ ଦୁଇ ପ୍ରକାର ବାଟି ବ୍ୟବହାର ହୁଏ-ହାଡ଼ବାଟି ଓ କାଚବାଟି।

କାଚବାଟିକୁ କେହି କେହି ଗୁଲି ବି କହନ୍ତି।

ହାଡ଼ବାଟି ଧଳା ରଙ୍ଗର ଓ ଆକାରରେ ଟିକିଏ ବଡ଼।

ଏହା ମାର୍ବଲ୍‌ ବା ହାର୍ଡପ୍ଲାଷ୍ଟିକ୍‌ରେ ତିଆରି।

ବାଟି ଓ ଗୁଲିର ନିର୍ଦ୍ଦିଷ୍ଟ ଆକାର ନଥିଲେ ବି ପ୍ରାୟ ୧/୨ ଇଞ୍ଚ୍‌ ବ୍ୟାସରେ ଏହାକୁ ତିଆରି କରାଯାଏ।

ଏହାକୁ ଦୁଇ ଜଣ କିମ୍ବା ଅଧିକ ପିଲା ଏକାବେଳେକେ ଖେଳିଥାଆନ୍ତି।

ଗୁଲିକୁ ଆଙ୍ଗୁଠିରେ ମାରି ମାରି ଗୋଟାଏ ଗାତରେ ପକାଯାଇଥାଏ।

ଲକ୍ଷ୍ୟ ସାଧିବା ହେଉଛି ଏହି ‌ଖେଳର ମୂଳ କଥା।

ଗୋଟାଏ ଗୁଲିକୁ ଲକ୍ଷ୍ୟ କରି ଅନ୍ୟ ଗୁଲି ଦ୍ବାରା ତାହାକୁ ବଜାଇ ଗାତକୁ ପକାଇବାରେ ପିଲାଏ ଅାନନ୍ଦ ପାଆନ୍ତି।

ପୁଣି ଗୋଟିଏ ବୃତ୍ତରେ ଥିବା କାଚଗୁଲିକୁ  ଲକ୍ଷ୍ୟ କରି ଗୁଲି ମାରି ବାହାର କରି ଖେଳ ଜିତିବା ବି ପିଲାଙ୍କୁ ଆନନ୍ଦ ଦିଏ।

ମସ୍ତିଷ୍କକୁ ଶାନ୍ତ କରିବା ପାଇଁ ଏହି ଖେଳ ବହୁତ ଉପଯୋଗୀ।

ଏବେ ବାଟିଖେଳକୁ ବଞ୍ଚାଇ ରଖିବା ଲାଗି କଳାହାଣ୍ଡି ଜିଲ୍ଲାର ସର୍ଗିଗୁଡ଼ାରେ ଏକ ଟୁର୍ଣ୍ଣାମେଣ୍ଟ୍‌  ବି ଅନୁଷ୍ଠିତ ହେଉଛି।

Police water sports championship ପୁଲିସ ଜଳକ୍ରୀଡ଼ା କ୍ଲଷ୍ଟର ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ସଫଳତା ଡାବଲ ପୁଆ ବା ଗୁଚିତାଣ୍ଡୁମହାଭାରତ ଯୁଗରେ ଏହି ଖେଳର ପ୍ରଚଳନ ନେଇ ପ୍ରାମାଣିକତା ରହିଛି।

ମହାଭାରତରେ କୌରବ ଓ ପାଣ୍ଡବ ରାଜକୁମାର "ବୀଟୟାଦଣ୍ଡ" ବା "ବୀଟିଦଣ୍ଡ" ନାମରେ ଏକ ଖେଳ ଖେଳୁଥିବାର ଉଲ୍ଲେଖ ଅଛି।

ସେହିପରି ମୌର୍ଯ୍ୟ ଶାସନ କାଳରେ ଏ ଖେଳ ଅତ୍ୟନ୍ତ ଲୋକପ୍ରିୟ ଥିବାର ପ୍ରମାଣ ବି ମିଳେ।

ପ୍ରାୟ ୨,୫୦୦ ବର୍ଷ ପୁରୁଣା ଏହି ଖେଳ ଓଡ଼ିଶାରେ "ଗୁଚିତାଣ୍ଡୁ" , "ଗୁଲିବାଡ଼ି", "ପିଲବାଡ଼ି" (ଫୁଲବାଣୀ‌), "ଗୁଟିଡ଼ାବୁଳ" (ବାଲେଶ୍ୱର) ଆଦି ନାମରେ ପରିଚିତ।

ସାରା ଭାରତରେ ବି ଏହା ବହୁ ପ୍ରଚଳିତ।

ଏହାକୁ ତାମିଲରେ କିଟ୍ଟିପୁଲ, ବଙ୍ଗଳାରେ ଦାଙ୍ଗୁଲି, କନ୍ନଡ଼ରେ ଚିନ୍ନିଦଣ୍ଡୁ, ତେଲୁଗୁରେ ଗୁଟିବିଲ୍ଲା ଓ ମରାଠୀରେ ଭୀଟ୍ଟିଦଣ୍ଡୁ କୁହାଯାଇଥାଏ।

କୁହାଯାଏ, କ୍ରିକେଟ୍‌ ଖେଳର ଚିନ୍ତାଧାରା ଏହି ଖେଳରୁ ହିଁ ଆସିଛି।

କ୍ରିକେଟ୍‌ର ବଲ୍‌ ସ୍ଥାନରେ ଗୁଚିତାଣ୍ଡୁରେ ଦୁଇ ପଟ ମୁନିଆ ହୋଇଥିବା ଏକ କାଠଖଣ୍ଡ (ଗୁଚି) ବ୍ୟବହାର ହୁଏ।

ଏହାକୁ ବାଡ଼େଇବା ପାଇଁ  ବ୍ୟାଟ୍‌ କାର୍ଯ୍ୟ କରୁଥିବା ଏକ ୧୮-୨୪ ଇଞ୍ଚ୍‌ ଲମ୍ବ ଏକ ବାଡ଼ିର (ତାଣ୍ଡୁ) ପ୍ରୟୋଗ କରାଯାଏ।

ଏକ ଲମ୍ବାଳିଆ ଗାତ ଉପରେ ଗୁଚି ରଖାଯାଏ, ତା"ପରେ ତା"ତଳେ ତାଣ୍ଡୁ ପୂରାଇ ତାକୁ  ଶୂନ୍ୟକୁ ଉଠାଯାଏ।

ଗୁଚି ତଳକୁ ଖସୁଥିବା ବେଳେ ତାଣ୍ଡୁରେ ତାକୁ ବାଡ଼େଇ ଦୂୂରକୁ ଫିଙ୍ଗାଯାଏ।

ଯଦି ଶୂନ୍ୟରେ ଥିବା ବେଳେ ଗୁଚିକୁ ଖେଳାଳି ଧରିପକାଏ, ତେବେ ତାଣ୍ଡୁଧାରୀର ପାଳି ଶେଷ ହୋଇଯାଏ।

ଏମିତି ନାନା ନିୟମରେ ଏହି ଖେଳ ଚ‌ାଲେ।

ଏହି ଖେଳ ଲାଗି ଅତି କମ୍‌ରେ ଦୁଇ ଜଣ ଖେଳାଳି ଜରୁରି।

ଦୁଇ ଦଳ ମଧ୍ୟ ଏହାକୁ ଖେଳନ୍ତି।

ଏହି ଖେଳ ବେଳେ ଗୁଚି ଆଖି କି ଶରୀରରେ ବାଜି ଅନେକ ଆହତ ହେବା ନଜିର ରହିଛି।

ଆଜିର ଆଧୁନିକ ଜୀବନଧାରାରେ ଗୁଚିତାଣ୍ଡୁ ଖେଳର ସ୍ଥାନ ପ୍ରାୟତଃ ନାହିଁ।

ସହରବଜାରରେ କ୍ରିକେଟ୍‌ ଏହି ସ୍ଥାନ ଅକ୍ତିଆର କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।