Venezuela Earthquake: ଭୂକମ୍ପ ବିଭୀଷିକା ମଧ୍ୟରେ ପୁଣି ଦୋହଲିଲା ଭେନେଜୁଏଲା; ୪.୯ ତୀବ୍ରତାର ଭୂକମ୍ପ ରେକର୍ଡ
ନୂଆଦିଲ୍ଲୀ, ୨୭।୬: ଭୂକମ୍ପର ଭୟାବହ ତାଣ୍ଡବ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ଦୋହଲି ଯାଇଛି ଦକ୍ଷିଣ ଆମେରିକୀୟ ଦେଶ ୱେନେଜୁଏଲା । ଦୁଇ ଦିନ ତଳେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପର ବିଭୀଷିକାରୁ ଦେଶ ଏପର୍ଯ୍ୟନ୍ତ ମୁକୁଳି ପାରିନଥିବା ବେଳେ ଶନିବାର ପୁଣି ଏକ ଝଟକା ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି । ୱେନେଜୁଏଲାର ଉତ୍ତର ଉପକୂଳ ନିକଟରେ ଆଜି ଆଉ ଏକ ୪.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାକୁ ମୁଖ୍ୟ ଭୂକମ୍ପର ‘ଆଫ୍ଟରଶକ୍’ ବୋଲି କୁହାଯାଉଛି । ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଏହି ନୂତନ ଝଟକା ପରେ ଭୂକମ୍ପ ବିଶେଷଜ୍ଞମାନେ ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଆମେରିକାର ଭୂତାତ୍ତ୍ୱିକ ସର୍ଭେକ୍ଷଣ (USGS) ମୁତାବକ, ଏହି ଝଟକାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୫୫ କିଲୋମିଟର ଗଭୀରତାରେ ଥିଲା । ଶନିବାର ଆସିଥିବା ଏହି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ ହାନିର ସୂଚନା ମିଳିନାହିଁ, କିନ୍ତୁ ଏହା ଫଳରେ ପୂର୍ବରୁ ଦୁର୍ବଳ ହୋଇପଡ଼ିଥିବା କୋଠାବାଡ଼ି ଭୁଶୁଡ଼ିବା ଏବଂ ଉଦ୍ଧାରକାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବଡ଼ ବିପଦ ସୃଷ୍ଟି ହୋଇଛି ।
ବିଭୀଷିକା ରଚିଥିଲା ‘ଡବଲ୍ ଭୂକମ୍ପ’:
ଏହାପୂର୍ବରୁ ଗତ ବୁଧବାର ସନ୍ଧ୍ୟାରେ ମାତ୍ର ୧ ମିନିଟ୍ ଭିତରେ ପରସ୍ପର ପଛକୁ ଦୁଇଟି ପ୍ରଚଣ୍ଡ ଭୂକମ୍ପ ଆସିଥିଲା । ପ୍ରଥମେ ୭.୧ ଏବଂ ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ୭.୫ ତୀବ୍ରତାର ଏହି ଯୋଡ଼ା ଭୂକମ୍ପ ସାରା ଉତ୍ତର ୱେନେଜୁଏଲା ସମେତ ରାଜଧାନୀ କାରାକାସ୍କୁ ଧୂଳିସାତ୍ କରିଦେଇଥିଲା । ବଡ଼ ବଡ଼ ଅଟ୍ଟାଳିକା ଏବଂ ବହୁତଳ ଆବାସିକ ଗୃହ କିଛି ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଥିଲା । ଏହି ମହାବିପତ୍ତିରେ ବର୍ତ୍ତମାନ ସୁଦ୍ଧା ୯୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୪,୫୦୦ ରୁ ଅଧିକ ଆହତ ହୋଇଛନ୍ତି । ଏବେ ମଧ୍ୟ ହଜାର ହଜାର ଲୋକ ନିଖୋଜ ଅଛନ୍ତି, ଯେଉଁଥିପାଇଁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ମଲୱେ ତଳେ ଚାପି ହୋଇ ରହିଥିବା ଜୀବନକୁ ଖୋଜିବା ପାଇଁ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଦିନରାତି ଏକ କରିଦେଇଛନ୍ତି । କିନ୍ତୁ ଭଙ୍ଗା ରାସ୍ତାଘାଟ, ବିଚ୍ଛିନ୍ନ ଯୋଗାଯୋଗ ଏବଂ ଭୁଶୁଡ଼ି ପଡ଼ିଥିବା ଭିତ୍ତିଭୂମି ଯୋଗୁଁ ଉଦ୍ଧାର କାର୍ଯ୍ୟ ବେଶ୍ ବାଧାପ୍ରାପ୍ତ ହେଉଛି । ପ୍ରଭାବିତ ଅଞ୍ଚଳରେ ଖାଦ୍ୟ, ପାଣି ଏବଂ ଜରୁରୀକାଳୀନ ଔଷଧ ପହଞ୍ଚାଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।
ଏହା ବି ପଢ଼ନ୍ତୁ... Venezuela Earthquake: ଭେନେଜୁଏଲାରେ ପ୍ରକୃତିର ତାଣ୍ଡବ: ମାଟି ତଳୁ ଆତ୍ମୀୟଙ୍କୁ ଖୋଜୁଛନ୍ତି ଲୋକେ; ସହାୟତାର ହାତ ବଢ଼ାଇଲା ଭାରତ
ଏଭଳି ସଙ୍କଟ ସମୟରେ ବିଶ୍ୱର ବିଭିନ୍ନ ଦେଶ ଏବଂ ଆନ୍ତର୍ଜାତୀୟ ସଂଗଠନ ସାହାଯ୍ୟର ହାତ ବଢ଼ାଇଛନ୍ତି । ଅନେକ ଦେଶରୁ ସ୍ୱତନ୍ତ୍ର ସର୍ଚ୍ଚ ଆଣ୍ଡ ରେସକ୍ୟୁ ଟିମ୍, ମେଡିକାଲ୍ ଷ୍ଟାଫ୍ ଏବଂ ବ୍ୟାପକ ଆଶ୍ରୟ ସାମଗ୍ରୀ ଭେନେଜୁଏଲା ପଠାଯାଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଦୁର୍ଦ୍ଦିନ ସମୟରେ ଭେନେଜୁଏଲାବାସୀଙ୍କୁ ଗଭୀର ସମବେଦନା ଜଣାଇବା ସହ ଭାରତ ପକ୍ଷରୁ ସମସ୍ତ ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।