Venezuela Earthquake Death Toll Rises: ଶତାବ୍ଦୀର ସବୁଠୁ ବଡ଼ ପ୍ରଳୟ, ପ୍ରକୃତିର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୯୦୦ ପାର

Jun 27, 2026 - 09:49
Venezuela Earthquake Death Toll Rises: ଶତାବ୍ଦୀର ସବୁଠୁ ବଡ଼ ପ୍ରଳୟ, ପ୍ରକୃତିର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୯୦୦ ପାର

ଭେନିଜୁଏଲାରେ ପ୍ରଳୟଙ୍କରୀ ଭୂକମ୍ପ ଜନିତ ବିପର୍ଯ୍ୟୟରେ ସ୍ଥିତି ଦିନକୁ ଦିନ ଭୟାନକ ହେବାରେ ଲାଗିଛି। ପ୍ରକୃତିର ତାଣ୍ଡବରେ ମୃତ୍ୟୁସଂଖ୍ୟା ୯୦୦ ଅତିକ୍ରମ କରିଛି ଏବଂ ପ୍ରାୟ ୩ ହଜାର ୩୬୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଶତାବ୍ଦୀର ସବୁଠୁ ବଡ଼ ପ୍ରଳୟ ଦେଖିଛି ଭେନିଜୁଏଲା। 

ଜୁନ ୨୫ରେ ମାତ୍ର କିଛି ମିନିଟ୍ ବ୍ୟବଧାନରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଲକ୍ଷାଧିକ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଧ୍ୱଂସାବଶେଷ ତଳେ ଫସି ରହିଥିବା ଜୀବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଅପରେସନ୍ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗଜ୍। 

ଏପଟେ ଜରୁରୀକାଳୀନ କଟକଣା ଯୋଗୁଁ କାର୍ଗୋ ପରିବହନ ମନ୍ଥର ହୋଇଛି। ଫଳରେ ୧୪ ହଜାର କିମି ଦୂରରେ ଥିବା ଭାରତ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଭେନିଜୁଏଲାରେ ଭୂମିକମ୍ପ ପରେ ଭାରତରେ ତେଲ ଦର ବଢ଼ିବା ନେଇ ଆଶଙ୍କା ଦେଖାଦେଇଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ତେଲ କାରବାର ଭେନିଜୁଏଲା ସହ ଆରମ୍ଭ ହୋଇଥିଲା। ଋଷ ସହ ଭେନିଜୁଏଲା ବି ଭାରତକୁ ତେଲ ପଠାଉଛି। ଏଭଳି ସମୟରେ ଭାରତର ତୈଳ ଆମଦାନୀ ବାଧାପ୍ରାପ୍ତ ହୋଇପାରେ।