Welcome!

Unlock your personalized experience.
Sign Up

Vegetable Price Hike: ବର୍ଷା ପ୍ରଭାବରେ ପରିବା ବଜାରରେ ଦର ଆକାଶଛୁଆଁ, ଓଡ଼ିଶା ମାର୍କେଟରେ ନାହିଁ, ରାଜ୍ୟ ବାହାର ପରିବା ଭରସା

Jul 21, 2026 - 11:08
Vegetable Price Hike: ବର୍ଷା ପ୍ରଭାବରେ ପରିବା ବଜାରରେ ଦର ଆକାଶଛୁଆଁ, ଓଡ଼ିଶା ମାର୍କେଟରେ ନାହିଁ, ରାଜ୍ୟ ବାହାର ପରିବା ଭରସା

କଟକ,୨୧/୦୭: ପରିବା ବଜାରକୁ ଯିବାକୁ ଏବେ ଡର ଲାଗୁଛି । ଯେଉଁ ପରିବାକୁ ହାତ ବଢ଼ାଇଲେ, ସେଠି ଦାମ୍ ଆକାଶଛୁଆଁ । ବାଇଗଣ, ଭେଣ୍ଡି, ଟମାଟୋ, ପୋଟଳ, କୌଣସି ପରିବା ୬୦ରୁ ୮୦ ଟଙ୍କା ତଳେ ନାହିଁ । ସପ୍ତାହେ ଭିତରେ ଦର ଦୁଇଗୁଣା ହୋଇଯିବାରୁ ମଧ୍ୟବିତ୍ତଙ୍କ ବଜେଟ୍ ପୂରା ଦୋହଲିଯାଇଛି । ଶ୍ରାବଣ ମାସ ଆସୁଥିବାରୁ ଆଗକୁ ପରିବା ଦର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ସେପଟେ ବଜାରରେ ଏବେ ଓଡ଼ିଶା ପରିବା ଆଦୌ ନାହିଁ କହିଲେ ଚଳେ । ରାଜ୍ୟ ବାହାରୁ ପ୍ରତିଦିନ ଶହ ଶହ ଟ୍ରକ୍ ପରିବା ଆମଦାନୀ ହେଉଥିବା ବେଳେ ଓଡ଼ିଶା ପରିବା ମାର୍କେଟରେ ରାଜୁତି କରୁଛି କୋଲକାତା, ରାଞ୍ଚି, ବାଙ୍ଗାଲୋର, ରାୟପୁର, ଆନ୍ଧ୍ରପ୍ରଦେଶ ।

ଗତ ସପ୍ତାହେ ଭିତରେ ପରିବା ଦର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ବ୍ୟବସାୟୀମାନେ ମନଇଚ୍ଛା ଦର କରୁଛନ୍ତି । କଟକର ତିନି ବଡ଼ ପରିବା ବଜାର ଛତ୍ରବଜାର, ବିନୋଦବିହାରୀ ବାଲୁବଜାର ଓ କୃଷକ ବଜାରରେ ଏବେ ପରିବା ଦର ଚିନ୍ତାଜନକ ହେଲାଣି । ହୋଲସେଲ୍ ଦର ଯାହା ଯେମିତି ଖୁଚୁରା ବଜାରରେ ବେପାରୀଙ୍କ ପାଟିରୁ ଯାହା ବାହାରିଲା ସେହି ଅନୁସାରେ ଖାଉଟି କିଣିବାକୁ ବାଧ୍ୟ । ଆଜିର ଖୁଚୁରା ବଜାର ଦର ଅନୁସାରେ, ବାଇଗଣ ଓ ଭେଣ୍ଡି ୮୦ ଟଙ୍କା ବିକ୍ରି ହେଉଥିବା ବେଳେ ଟମାଟୋ ୫୦ଟଙ୍କା, କଲରା ୬୦, ପୋଟଳ ୮୦, ଜହ୍ନି ୬୦, ବିନ୍ସ ୧୩୦, ସଜନା ଛୁଇଁ ୧୫୦, ଧନିଆଁ ପତ୍ର କେଜିକୁ ୨୦୦ ଟଙ୍କା ବିକ୍ରି ହେଉଛି । କେଉଁ ଗୋଟିକ ପରିବାର ୫୦-୬୦ରୁ କମ୍ ନାହିଁ । ମନଇଚ୍ଛା ଦର ବୃଦ୍ଧି ଉପରେ ପ୍ରଶାସନର ଅଙ୍କୁଶ ନାହିଁ । ଏଣେ ହୀନସ୍ତା ହେଉଛନ୍ତି ଖାଉଟି ।

ଅଧିକ ପଢ଼ନ୍ତୁ :-  Banana Market: ଓଡ଼ିଶା ବଜାରରେ ଆନ୍ଧ୍ର କଦଳୀ ରାଜ୍; ଦୈନିକ ଆସୁଛି ୧୦୦୦ ଟନ୍ , ଠାକୁର ପୂଜାଠୁ ଜଳଖିଆ ସବୁଠି ଆଗ ଲୋଡ଼ା

ଲଗାଣ ବର୍ଷା ଯୋଗୁଁ ରାଜ୍ୟ ପରିବା ଚାଷ ପ୍ରଭାବିତ ହୋଇଛି । ଫଳରେ ପରିବା ଦର ବୃଦ୍ଧି ହୋଇଥିବା ବ୍ୟବସାୟୀ କହୁଛନ୍ତି । ତେଣୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ନାଗପୁରରୁ ଆସୁଛି ବାଇଗଣ । କୋଲକାତାରୁ ଆସୁଛି କାଙ୍କଡ ଓ ଭେଣ୍ଡି । ବେଙ୍ଗାଲୁରୁରୁ ଆସୁଛି କୋବି, ବିଲାତି, କଖାରୁ, ବିନ୍ସ । ଆନ୍ଧ୍ରରୁ ଆସୁଛି ଖମ୍ବ ଆଳୁ, କଞ୍ଚା କଦଳୀ । ପରିବହନ ଖର୍ଚ୍ଚ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟ ଯୋଡ଼ି ହେବା ଯୋଗୁଁ ରାଜ୍ୟ ବାହାର ପରିବା ମଧ୍ୟ ଉଚ୍ଚା ରହୁଥିବା ଜଣାପଡିଛି । ଅନ୍ୟପକ୍ଷରେ କଟକ ବଜାରକୁ ମୁଖ୍ୟତଃ ପରିବା ଯୋଗାଉଥିବା ଆଠଗଡ଼ ଓ ବାଙ୍କୀରେ ଲଗାଣ ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଛି । ଏହି ଦୁଇ ଅଞ୍ଚଳରୁ ଆସୁଥିବା ପରିବାର ମାତ୍ର ୨୦ପ୍ରତିଶତ କଟକ ବଜାର ପର୍ଯ୍ୟନ୍ତ ଆସିପାରୁଛି । ବର୍ଷାରେ ପରିବା ଚାଷ ନଷ୍ଟ ହୋଇସାରିଛି । ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ପ୍ରଦୀପ ରାଉତ କହିଛନ୍ତି, ପରିବା ବଢିବାର ମୂଳ କାରଣ ହେଉଛି ବର୍ଷା । ତେଣୁ ରାଜ୍ୟ ବାହାର ଆମଦାନୀ ଉପରେ ଏବେ ବଜାର ନିର୍ଭରଶୀଳ । ତେଣୁ ଯାହା ଯେତିକି ମୂଲ୍ୟ ବଢି ଆସୁଛି ତାକୁ ନେଇ ବଜାର ନିୟନ୍ତ୍ରଣ ହେଉଛି ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ପରିବା ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯେମିତି ଡାଲି, ଚିନି, ଚାଉଳ, ତେଲ ଆଦିର ମୂଲ୍ୟ ବୃଦ୍ଧି ହୋଇଥିବା ମାଲଗୋଦାମ ବ୍ୟବସାୟୀଙ୍କ ସୂଚନାରୁ ଜଣାପଡିଛି । ହଠାତ୍ ଏଭଳି ମୂଲ୍ୟବୃଦ୍ଧି ହେବା ଯୋଗୁଁ ଖାଉଟିଙ୍କ ଅସୁବିଧା ହେଉଥିବା ବେଳେ ଯୋଗାଣ ବିଭାଗର କୌଣସି ପଦକ୍ଷେପ୍ ନାହିଁ । ଜିଲ୍ଲା ଯୋଗାଣ ବିଭାଗର ମାର୍କେଟିଂ ଇଣ୍ଟେଲିଜେନ୍ସଙ୍କ ଅଭାବ ରହିଛି । ତେଣୁ ବଜାରର ସ୍ଥିତି ବାବଦରେ ଅଧିକାରୀଙ୍କ ପାଖରେ ଖବର ପହଞ୍ଚୁନି । ଯୋଗାଣ ନିୟମାନୁସାରେ, ଖାଉଟିଙ୍କ ଜାଣିବା ପାଇଁ ବ୍ୟବସାୟୀମାନେ ମୂଲ୍ୟବୋର୍ଡ ମାରିବା ବାଧ୍ୟତାମୂଳକ ରହିଥିବା ବେଳେ ଉଭୟ ହୋଲସେଲ୍ ଓ ରିଟେଲ୍ ମାର୍କେଟ୍ରେ ପ୍ରାୟ ବ୍ୟବସାୟୀ ଏ ନିୟମକୁ ମାନୁନାହାନ୍ତି । ଏ ନେଇ ଯୋଗାଣ ବିଭାଗ ମଧ୍ୟ ଚୁପ୍ ବସିଥିବା ଅଭିଯୋଗ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।