30 JULY 2026

Welcome!

Unlock your personalized experience.
Sign Up

Unique Marriage: ବଢ଼ି ପାଣିରେ ବାହା ହେବାକୁ ଗଲା ବର, ବୋଟ୍‌ରେ ପାର୍ କରାଇଲେ ଓଡ୍ରାଫ୍‌ ଟିମ୍‌

Jul 30, 2026 - 10:40
Unique Marriage: ବଢ଼ି ପାଣିରେ ବାହା ହେବାକୁ ଗଲା ବର, ବୋଟ୍‌ରେ ପାର୍ କରାଇଲେ ଓଡ୍ରାଫ୍‌ ଟିମ୍‌

ଯାଜପୁର,୩୦/୦୭: ପ୍ରଳୟଙ୍କରୀ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏକ ନିଆରା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ରାସ୍ତାଘାଟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବାରୁ ବର ଗାଡ଼ିରେ ନୁହେଁ, ବରଂ ବୋଟ୍‌ରେ ବସି ବିବାହ ପାଇଁ ବାହାରିଥିଲେ । ଏଥିପାଇଁ ସହଯୋଗର ହାତ ବଢ଼ାଇଥିଲା ଓଡ୍ରାଫ୍ ଟିମ୍ । ସୁରକ୍ଷାକୁ ପ୍ରାଥମିକତା ଦେଇ ବର ଓ ବରଯାତ୍ରୀଙ୍କୁ ବୋଟ୍‌ରେ ବସାଇ ବନ୍ୟାଜଳ ଅତିକ୍ରମ କରାଯାଇଥିଲା । ଏପରି ଦେଖିବାକୁ ମିଳିଛି ଯାଜପୁର ବ୍ଲକ୍ ସିମିଳିଆ ପଞ୍ଚାୟତରେ ।

ଅଧିକ ପଢ଼ନ୍ତୁ :-  Flood Crisis : ବନ୍ୟା ନେଲାଣି ୭ ଜୀବନ, କେନ୍ଦୁଝରରେ ୫, ଭଦ୍ରକ ଓ ସମ୍ବଲପୁରରେ ୨ ମୃତ

ବୈତରଣୀର ଶାଖା ବୁଢ଼ା ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ସହ ସିମିଳିଆ ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ଫଳରେ ଏହି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଏହାରି ମଧ୍ୟରେ ସିମିଳିଆ ପଞ୍ଚାୟତ ମଇଦ ଗ୍ରାମର କୃଷ୍ଣଚନ୍ଦ୍ର ପାଢ଼ୀଙ୍କ କନିଷ୍ଠ ପୁତ୍ର ମିଞ୍ଜନ ପାଢ଼ୀଙ୍କର ବୁଧବାର ବାହାଘର ଲଗ୍ନ ଥିଲା । ବନ୍ୟାରେ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିବାରୁ ବିବାହ ବାତିଲ୍ କରିବେ କି ନାହିଁ ସେନେଇ ଉଭୟ ପରିବାର ଦ୍ୱନ୍ଦ୍ୱରେ ଥିଲେ । କିନ୍ତୁ ପୂର୍ବରୁ ସ୍ଥିର ହୋଇଥିବା ବିବାହକୁ ଶୁଭ ମୁହୂର୍ତ୍ତରେ ସମ୍ପନ୍ନ କରିବା ପାଇଁ ପ୍ରଶାସନର ସହଯୋଗ ଲୋଡ଼ାଯାଇଥିଲା । ଖବର ପାଇ ଓଡ୍ରାଫ୍ ଟିମ୍ ବରଘରେ ପହଞ୍ଚିଥିଲା । ବର, ପରିବାର ସଦସ୍ୟ ଏବଂ ବରଯାତ୍ରୀଙ୍କୁ ବୋଟ୍‌ ସୁରକ୍ଷିତ ଭାବେ ବସାଇ ସିମିଳିଆ ମୁଖ୍ୟ ରାସ୍ତା ପାଶ୍ୱର୍କୁ ଆଣି ସେମାନେ ଛାଡ଼ି ଥିଲେ । ସେଠାରୁ ବର ଗାଡ଼ି ଯୋଗେ ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମକୁ ବିବାହ ପାଇଁ ଯାଇଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।