Unique Flood Wedding: ବନ୍ୟା ବେଳେ ନିଆରା ବାହାଘର, କନ୍ୟା ଘରକୁ ଡଙ୍ଗାରେ ଗଲେ ବର

Jul 31, 2026 - 15:13
Unique Flood Wedding: ବନ୍ୟା ବେଳେ ନିଆରା ବାହାଘର, କନ୍ୟା ଘରକୁ ଡଙ୍ଗାରେ ଗଲେ ବର

ବନ୍ୟା ଯୋଗୁଁ ଚାରିଆଡ଼େ ପାଣି, ରାସ୍ତାଘାଟ ସବୁ ଜଳମଗ୍ନ। ଗାଁରୁ ଗାଁ ଓ ସହରକୁ ଯୋଗାଯୋଗ ବିଚ୍ଛିନ୍ନ। କିନ୍ତୁ ବନ୍ୟା ବି ବାଧକ ସାଜିପାରିଲା ନାହିଁ ଦୁଇଟି ହୃଦୟର ମିଳନରେ। ନିର୍ଦ୍ଧାରିତ ତାରିଖରେ ବିବାହ କରିବା ପାଇଁ ଏକ ନିଆରା ଉପାୟ ଆପଣାଇଥିଲେ ବର ପକ୍ଷ।

ଯାଜପୁର ବ୍ଲକର ବନ୍ୟା ପ୍ରଭାବିତ ସିମିଳିଆ ଗ୍ରାମ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇପଡ଼ିଛି। ଗାଁରୁ ବାହାରକୁ ଯିବା ପାଇଁ କୌଣସି ସଡ଼କ ପଥ ଉପଲବ୍ଧ ନଥିଲା। ତଥାପି ବିବାହ ତାରିଖ ପଛକୁ ଘୁଞ୍ଚାଇବା ସମ୍ଭବ ନଥିବାରୁ ବର ଓ ବରଯାତ୍ରୀମାନେ ଭୁଟୁଭୁଟି (ଦେଶୀ ମୋଟର ଡଙ୍ଗା)କୁ ଭରସା କରି ଯାତ୍ରା ଆରମ୍ଭ କରିଥିଲେ।

ପାଣିରେ ବୁଡ଼ିଥିବା ରାସ୍ତା ଦେଇ ଭୁଟୁଭୁଟିରେ ବରଯାତ୍ରୀ ବାହାରି ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳ ଅଭିମୁଖେ ଯାଇଥିଲେ। ସାଧାରଣତଃ ବର ଗାଡ଼ି, ବସ୍ କିମ୍ବା ଶୋଭାଯାତ୍ରାରେ ଯାଇଥାଆନ୍ତି । କିନ୍ତୁ ଏଠାରେ ବର ଡଙ୍ଗାରେ ଯାଉଥିବା ଦୃଶ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଏହି ନିଆରା ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ବନ୍ୟା ଭଳି କଠିନ ପରିସ୍ଥିତିରେ ମଧ୍ୟ ପରମ୍ପରାକୁ ଅକ୍ଷୁଣ୍ଣ ରଖି ବିବାହ ସମ୍ପନ୍ନ କରିବାର ଏହି ପ୍ରୟାସକୁ ଅନେକ ପ୍ରଶଂସା କରୁଛନ୍ତି।

ବନ୍ୟା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲେ ମଧ୍ୟ ଜୀବନର ଖୁସିର ମୁହୂର୍ତ୍ତ ଅଟକି ନଥାଏ। ଏହା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।