Unclaimed EPF Money: ୩୦ ଲକ୍ଷ EPF ଅଚଳ ଆକାଉଣ୍ଟରେ ପଡ଼ିରହିଛି ହଜାର ହଜାର କୋଟି ଟଙ୍କା, ନିର୍ମାଣ ହୋଇପାରିବ ୩ଟି IIT

ଶ୍ରମିକ ଓ କର୍ମଚାରୀମାନଙ୍କର କଷ୍ଟଉପାର୍ଜିତ ହଜାର ହଜାର କୋଟି ଟଙ୍କାର ଅବସରକାଳୀନ ସଞ୍ଚୟ ଏବେ ପ୍ରୋଭିଡେଣ୍ଟ ଫଣ୍ଡ(EPF) ର ଅଚଳ ଆକାଉଣ୍ଟଗୁଡ଼ିକରେ ପଡ଼ିରହିଛି। ଏକ ଆରଟିଆଇ (RTI) ଆବେଦନରୁ ମିଳିଥିବା ଉତ୍ତରରୁ ଏଭଳି ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି।
୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ପ୍ରାୟ ୩୦ ଲକ୍ଷ ୯୧ ହଜାରରୁ ଅଧିକ EPF ଆକାଉଣ୍ଟ ନିଷ୍କ୍ରିୟ ବା ଅଚଳ ହୋଇ ପଡ଼ିରହିଛି। ଏହି ସବୁ ଆକାଉଣ୍ଟରେ ସମୁଦାୟ ୯,୩୩୦ କୋଟିରୁ ଅଧିକ ଟଙ୍କା ଜମା ଅଛି, ଯାହାକୁ ନେବା ପାଇଁ କେହି ଦାବି କରିନାହାନ୍ତି। ଏହି ଦାବିହୀନ ଅର୍ଥର ପରିମାଣ ଏତେ ବଡ଼ ଯେ, ଏଥିରେ ଦେଶରେ ୩ଟି ନୂଆ ଆଇଆଇଟି (IIT) ପ୍ରତିଷ୍ଠା କରାଯାଇପାରିବ ଏବଂ ଏହା ପରେ ମଧ୍ୟ ୫୦୦ କୋଟିରୁ ଅଧିକ ଟଙ୍କା ବଳିଯିବ।
ସାଧାରଣତଃ ଜଣେ କର୍ମଚାରୀ ଚାକିରି ବଦଳାଇବା କିମ୍ବା ଅବସର ନେବା ପରେ ପୁରୁଣା ଆକାଉଣ୍ଟରୁ ଟଙ୍କା ନ ଉଠାଇଲେ କିମ୍ବା ଟ୍ରାନ୍ସଫର ନ କଲେ ତାହା ଅଚଳ ହୋଇଯାଏ। ବିଶେଷ କରି ୟୁଏଏନ୍ (UAN) ବ୍ୟବସ୍ଥା ଆସିବା ପୂର୍ବରୁ ଅନେକ କର୍ମଚାରୀ ନିଜ ଆକାଉଣ୍ଟ ବିଷୟରେ ଭୁଲିଯାଇଛନ୍ତି। ଅନ୍ୟପଟେ ଆକାଉଣ୍ଟଧାରୀଙ୍କ ମୃତ୍ୟୁ ପରେ ନୋମିନିମାନେ ସଠିକ୍ କାଗଜପତ୍ର ପ୍ରକ୍ରିୟା ଶେଷ ନ କରିବା ଯୋଗୁଁ ଏହି ବିରାଟ ଅର୍ଥ ଦାବିହୀନ ହୋଇ ପଡ଼ିରହିଛି।
ଏହି ସମସ୍ୟାର ସମାଧାନ ଏବଂ ସେବାଗୁଡ଼ିକୁ ସରଳ ତଥା ଡିଜିଟାଲ୍ କରିବା ପାଇଁ କେନ୍ଦ୍ର ସରକାର ସମ୍ପ୍ରତି ନୂତନ ‘EPF ସ୍କିମ୍, ୨୦୨୬’ ଲାଗୁ କରିଛନ୍ତି, ଯାହା ଜୁନ୍ ୨୯ରୁ କାର୍ଯ୍ୟକାରୀ ହୋଇଛି। ଏହି ନୂଆ ଯୋଜନା ୧୯୫୨ର ପୁରୁଣା ନିୟମକୁ ବଦଳାଇବା ସହ କାଗଜପତ୍ର କାମ କମାଇବ ଏବଂ ପ୍ରାୟ ୮ କୋଟି ସକ୍ରିୟ ସଦସ୍ୟଙ୍କ ପାଇଁ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ଅଧିକ ସୁଗମ କରିବ।