UGC Introduces Inclusive Guidelines: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ, UGC ଆଣିଲା ନୂଆ ଗାଇଡ୍ଲାଇନ୍

ଉଚ୍ଚଶିକ୍ଷାକୁ ଅଧିକ ସମାବେଶୀ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସୁଗମ କରିବାକୁ ୟୁଜିସିର ବଡ଼ ପଦକ୍ଷେପ। ଦିବ୍ୟାଙ୍ଗ, ଅଟିଜିମ୍ ଓ ବିଭିନ୍ନ ଶିକ୍ଷଣ ସମସ୍ୟାରେ ପୀଡ଼ିତ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ସୁବିଧା ଯୋଗାଇବାକୁ ନୂଆ ଗାଇଡ୍ଲାଇନ୍ ଜାରି କରିଛି ୟୁଜିସି।
ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଟାସ୍କ, ଲେଖିବା ପାଇଁ ସହାୟକ ଉପକରଣ, ଫ୍ଲେକ୍ସିବଲ୍ ଆସାଇନମେଣ୍ଟ ଏବଂ ପାଠପଢ଼ା ମଝିରେ ସ୍ୱତନ୍ତ୍ର ବ୍ରେକ୍ର ସୁବିଧା ମିଳିବ।ଯେଉଁମାନେ କଲେଜ ଆସିବାରେ ଅସମର୍ଥ, ସେମାନଙ୍କ ପାଇଁ ଇ-ଲର୍ଣ୍ଣିଂ ଏବଂ ଦୂର ନିରନ୍ତର ଶିକ୍ଷା ମାଧ୍ୟମରେ ଘରୁ ପଢ଼ିବା ସୁବିଧା କରାଯିବ। ଦିବ୍ୟାଙ୍ଗ ସଦସ୍ୟଙ୍କ ପାଇଁ ସ୍ୱତନ୍ତ୍ର କ୍ୟାରିୟର କାଉନସେଲିଂ, ପ୍ଲେସମେଣ୍ଟ ସପୋର୍ଟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସ୍କଲାରସିପ୍ ଏବଂ ଆର୍ଥିକ ରିହାତି ଯୋଗାଇ ଦିଆଯିବ। ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦିବ୍ୟାଙ୍ଗଙ୍କ ଆବଶ୍ୟକତା ବିଷୟରେ ଜଣାଇବା ପାଇଁ ଓରିଏଣ୍ଟେସନ ପ୍ରୋଗ୍ରାମ ହେବ। ଏହାସହ ଅନ୍ୟ ସାଧାରଣ ଛାତ୍ରଛାତ୍ରୀଙ୍କ ବ୍ୟବହାରରେ ସୁଧାର ଆଣିବା ପାଇଁ ଭିଡିଓ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯିବ।
UGC ଗାଇଡ୍ଲାଇନ୍ ଅନୁଯାୟୀ ଭିନ୍ନ ଭିନ୍ନ ସମସ୍ୟା ଥିବା ପିଲାଙ୍କ ପାଇଁ ସ୍ୱତନ୍ତ୍ର ସହାୟକ ଉପକରଣ ଓ ସୁବିଧା ବାଧ୍ୟତାମୂଳକ କରାଯାଇଛି:
ଶାରୀରିକ ଅକ୍ଷମତା: ବସିବା, ଚଲାବୁଲା କରିବା, ବହିର ପୃଷ୍ଠା ଓଲଟାଇବା, କୀ-ବୋର୍ଡ ଟାଇପ୍ କରିବା ଏବଂ ପେନ୍ରେ ଲେଖିବା ପାଇଁ ସହାୟତା ମିଳିବ। ଶ୍ରେଣୀଗୃହରେ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ୱତନ୍ତ୍ର ସିଟ୍ ଦିଆଯିବ।
ଏସିଡ୍ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି: କଥାବାର୍ତ୍ତା, ଯୋଗାଯୋଗ, ହାତର ଚାଳନା ଏବଂ ଦୃଷ୍ଟିଶକ୍ତି ସମସ୍ୟା ଥିଲେ ଅତିରିକ୍ତ ସହାୟତା ସହ କ୍ୟାମ୍ପସ୍ ଆଇସିଟି (ICT) ବ୍ୟବହାର କରିବାରେ ସାହାଯ୍ୟ କରାଯିବ।
ସେରିବ୍ରାଲ୍ ପାଲ୍ସି: ଏହି ପିଲାଙ୍କ ପାଇଁ ଶରୀରର ଭାରସାମ୍ୟ ରକ୍ଷା ଓ ଯନ୍ତ୍ରଣାରୁ ମୁକ୍ତି ପାଇଁ ସ୍ୱତନ୍ତ୍ର ଆସବାବପତ୍ର ବା ସିଟିଂ ଫର୍ଣ୍ଣିଚର ଯୋଗାଇ ଦିଆଯିବ। ଏହାସହ ଦୈନନ୍ଦିନ ଆତ୍ମ-ଯତ୍ନ ଏବଂ କଥାବାର୍ତ୍ତାରେ ମଧ୍ୟ ସହାୟତା ମିଳିବ।
କୁଷ୍ଠରୋଗରୁ ମୁକ୍ତ ବ୍ୟକ୍ତି ଓ ବାମନତା ଥିବା ପିଲା: ଲେଖିବା, ଟାଇପ୍ କରିବା, ଉଚ୍ଚତା ଜନିତ ସମସ୍ୟା, ଶ୍ରବଣ କିମ୍ବା ଦୃଷ୍ଟିଗତ ସମସ୍ୟା ପାଇଁ ସ୍ୱତନ୍ତ୍ର ସିଟିଂ ଏବଂ କ୍ୟାମ୍ପସ୍ ଭିତ୍ତିଭୂମି ବ୍ୟବହାର କରିବାକୁ ସହଯୋଗ ମିଳିବ।
ମସ୍କୁଲାର୍ ଡିଷ୍ଟ୍ରୋଫି: ଏହି ଛାତ୍ରଛାତ୍ରୀଙ୍କୁ ବସିବା, ସ୍ଥାନାନ୍ତର ହେବା ଏବଂ ଯୋଗାଯୋଗ କ୍ଷେତ୍ରରେ ସମସ୍ତ ସୀମିତତାକୁ ଦୂର କରିବା ପାଇଁ କଲେଜ ସାହାଯ୍ୟ କରିବ।