Trump to visit India: ଖୁବଶୀଘ୍ର ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ! ଭାରତ-ଆମେରିକା ସମ୍ପର୍କ ଆହୁରି ମଜବୁତ ହେବ
ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (American President Donald Trump)। ଏ ନେଇ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ୱାଶିଂଟନ୍ ଡିସିରେ ସମ୍ବାଦ ସଂସ୍ଥା IANSକୁ ଦେଇଥିବା ସାକ୍ଷାତକାରରେ ରୁବିଓ କହିଛନ୍ତି ଯେ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଉଭୟ ଦେଶ ମଧ୍ୟରେ ପ୍ରସ୍ତୁତି ଚାଲିଛି ଏବଂ ସେ ନିଜେ ମଧ୍ୟ ଚଳିତବର୍ଷ ଶେଷ ଭାଗରେ ଭାରତ ଆସିପାରନ୍ତି।
କ'ଣ କହିଛନ୍ତି ରୁବିଓ?
ରୁବିଓଙ୍କ କହିବା ଅନୁସାରେ, ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବର୍ତ୍ତମାନ ଅତ୍ୟନ୍ତ ମଜବୁତ ରହିଛି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କ ଦୁଇ ଦେଶର କୂଟନୀତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି। ସେ କହିଛନ୍ତି, "ଭାରତ ଆମେରିକାର ଏକ ଘନିଷ୍ଠ ସହଯୋଗୀ ଦେଶ ଏବଂ ଦୁଇ ନେତାଙ୍କ ମଧ୍ୟରେ ଥିବା ବିଶ୍ୱାସପୂର୍ଣ୍ଣ ସମ୍ପର୍କ ଅତ୍ୟନ୍ତ ସକରାତ୍ମକ।"
ଯଦି ଏହି ଗସ୍ତ ଚୂଡ଼ାନ୍ତ ହୁଏ, ତେବେ ଏହା ଫେବୃଆରୀ ୨୦୨୦ ପରେ ଟ୍ରମ୍ପଙ୍କର ପ୍ରଥମ ଭାରତ ଗସ୍ତ ହେବ। ସେହିପରି ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବା ପରେ ଏହା ତାଙ୍କର ପ୍ରଥମ କରି ଭାରତ ଆସିବେ। ନିକଟରେ ଫ୍ରାନ୍ସରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ପ୍ରାୟ ୧୬ ମାସ ପରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା।
ଏହାସହ ଭାରତ ଓ ଆମେରିକା ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ନେଇ ମଧ୍ୟ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ରୁବିଓ କହିଛନ୍ତି। ତାଙ୍କ ମତରେ, ଏହି ଚୁକ୍ତି ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବ।
ରୁବିଓ କହିଛନ୍ତି ଯେ, ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍ (QUAD) ଗୋଷ୍ଠୀର ପରବର୍ତ୍ତୀ ବୈଠକ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଟ୍ରମ୍ପଙ୍କ ଭାରତ ଗସ୍ତକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ସେ ୨୦୨୬ ଶେଷ ଭାଗରେ ଭାରତ ଆସିବାକୁ ଆଶା ରଖିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ପ୍ରଶଂସା କରି ରୁବିଓ କହିଛନ୍ତି ଯେ ସେ ମୋଦୀଙ୍କର ଜଣେ ପ୍ରଶଂସକ। ତାଙ୍କ ମତରେ, ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ଏବଂ ଏକ ପ୍ରମୁଖ ବିଶ୍ୱ ଶକ୍ତି ଭାବେ ଉଭା ହୋଇଛି।
ଶକ୍ତି କ୍ଷେତ୍ରରେ ମଧ୍ୟ ଭାରତ ଓ ଆମେରିକାର ସହଯୋଗ ବଢ଼ୁଥିବା ରୁବିଓ କହିଛନ୍ତି। ବିଶେଷକରି ଅଶୋଧିତ ତୈଳ ଯୋଗାଣ ଓ ବିଶୋଧନ କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଭାରତର ବଡ଼ ତୈଳ ବିଶୋଧନ କ୍ଷମତା ଥିବାରୁ ଭବିଷ୍ୟତରେ ଏହି କ୍ଷେତ୍ରରେ ସହଯୋଗ ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।