True story: ନିଛକ୍ କାହାଣୀ, ବାସ୍ତବବାଦୀ ରୂପାନ୍ତର

ଓଡ଼ିଆ ସାହିତ୍ୟକୁ ନେଇ ଚଳଚ୍ଚିତ୍ର ନିର୍ମାଣର ଧାରା ଖୁବ୍ ପୁରୁଣା। ସେହି ଧାରାକୁ ଆଗକୁ ନେଇ କୃଷ୍ଣପ୍ରସାଦ ମିଶ୍ରଙ୍କ କ୍ଷୁଦ୍ରଗଳ୍ପ ‘ବଂଶୀବାଦକ’କୁ ଆଧାର କରି ‘ଲାଲ ଓଢ଼ଣି’ ଚଳଚ୍ଚିତ୍ରକୁ ରୂପ ଦେଇଛନ୍ତି ନିର୍ଦେଶକ କପିଳାସ ଭୂୟାଁ। ନିକଟରେ ଉଦ୍ଯାପିତ ଭୁବନେଶ୍ବର ଚଳଚ୍ଚିତ୍ର ମହୋତ୍ସବରେ ଏହା ଦେଖିବାର ସୁଯୋଗ ମିଳିଥିଲା। ତେବେ ଏକ ଦଶନ୍ଧିରୁ ଅଧିକ କାଳ ତଳେ ନିର୍ମିତ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ପ୍ରାସଙ୍ଗିକତା ହରାଇନାହିଁ। ଜଣେ ସାଧାରଣ ଲୋକ ବ୍ୟବସ୍ଥା ସହିତ ଲଢ଼ିଲଢ଼ି ହାରିଯିବାର କାହାଣୀରେ ଆଜି ବି କୌଣସି ପରିବର୍ତ୍ତନ ହୋଇନାହିଁ।
Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ
ଏହି ଚଳଚ୍ଚିତ୍ରର ନାୟକ ଜୟଦେବ (ସତ୍ୟଜ୍ୟୋତି ଦାସ) କେନ୍ଦୁଝରର ଜଣେ ପ୍ରତିଭାବାନ୍ ଫୁଟ୍ବଲ୍ ଖେଳାଳି, ଯିଏ ବଂଶୀ ବଜାଇବାରେ ମଧ୍ୟ ପାରଙ୍ଗମ। ତା’ ପିତା ନିରାକାର ଦାସ (ତପନ କାନୁନ୍ଗୋ) ଜଣେ ଅବସରପ୍ରାପ୍ତ ସ୍କୁଲ୍ ପ୍ରଧାନଶିକ୍ଷକ। ଜୟଦେବ ଓ ତା’ର ବନ୍ଧୁମାନେ ଏକ ଜାତୀୟ ସ୍ତରର ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଯୋଜନା କରନ୍ତି। ପ୍ରାୟୋଜନ ଲାଗି ଏକ ଖଣି କମ୍ପାନିର ମାଲିକଙ୍କ ପାଖକୁ ଯାଆନ୍ତି। କିନ୍ତୁ ସେହି ମାଲିକ ଆଶା ମୁତାବକ ଅର୍ଥ ଦେବାକୁ ମନା କରିଦିଅନ୍ତି। ଜୟଦେବ ପ୍ରତିକ୍ରିୟାଶୀଳ ହୋଇ ମାଲିକଙ୍କୁ ସିଧାସଳଖ ଖଣି କମ୍ପାନିର ଶୋଷଣ ଓ ଅନୀତି ବିଷୟରେ ଚେତାଇଦିଏ। ତେବେ ଏହି ଅପମାନକୁ ଖଣି ମାଲିକ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ଏ ଭିତରେ ଜୟଦେବର ବାନ୍ଧବୀ ଅପର୍ଣ୍ଣା (ମନିଶୀତା ଦାସ) ଅନ୍ତଃସତ୍ତ୍ବା ବୋଲି ଜଣାପଡ଼େ ଏବଂ ସେମାନଙ୍କ ବିବାହ ସମ୍ପନ୍ନ ହୁଏ। ଚତୁର୍ଥୀ ରାତିରେ ଅତର୍କିତ ଭାବେ ସାଦା ପୋଷାକରେ ଦଳେ ପୁଲିସ ଆସି ଜୟଦେବକୁ ଉଠାଇନିଅନ୍ତି। ସେମାନଙ୍କ ଅଭିଯୋଗ ଯେ ଜୟଦେବ ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ! ତା’ପରେ ଜୟଦେବର ପତ୍ତା ମିଳେନାହିଁ। ଏହା ପରେ ପିତା ନିରାକାର ନିଜ ପୁଅକୁ ଖୋଜିବାର ଦୀର୍ଘ ସଂଘର୍ଷରେ ଲାଗିପଡ଼ନ୍ତି। ସେତେବେଳେ ସେ ଜାଣନ୍ତି କିପରି ସମାଜ ପାଇଁ ଆଜୀବନ ଭଲ ମଣିଷ ସୃଷ୍ଟି କରିଆସିଥିବା ଜଣେ ଶିକ୍ଷକ ମଧ୍ୟ ପ୍ରଶାସନର ସମ୍ବେଦନାହୀନତାରୁ ବର୍ତ୍ତିବା ସମ୍ଭବ ନୁହେଁ। ପ୍ରାଶାସନିକ ଗୋଲକଧନ୍ଦାରେ ପଡ଼ି ସେ ଧୀରେ ଧୀରେ ହତାଶା ଭିତରକୁ ଚାଲିଯିବାର ଦୃଶ୍ୟଗୁଡ଼ିକ ଖୁବ୍ ବେଦନାଦାୟକ।
IPO: ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେଲା ସିଏସ୍ଏମ୍ ଟେକ୍ନୋଲୋଜି
ସୁଖଦ ସମାପ୍ତି ପସନ୍ଦ କରୁଥିବା ଦର୍ଶକଙ୍କୁ ‘ଲାଲ୍ ଓଢ଼ଣି’ ସନ୍ତୁଷ୍ଟ କରିବ ନାହିଁ। ତେବେ ଏହା ଏକ ଭିନ୍ନସ୍ବାଦର ବାସ୍ତବବାଦୀ ଚଳଚ୍ଚିତ୍ର, ଯେଉଁଥିରେ ଅତିରଞ୍ଜନ ନାହିଁ। ତେବେ ନ୍ୟୁୟର୍କରେ ଅବସ୍ଥାପିତ ଜୟ ଗାନ୍ଧୀଙ୍କ ପୃଷ୍ଠ ସଂଗୀତ ଓ ଜାତୀୟ ପୁରସ୍କାରପ୍ରାପ୍ତ ସାଉଣ୍ଡ୍ ଡିଜାଇନର୍ ସୁବାସ ସାହୁଙ୍କ ଶବ୍ଦ ଗ୍ରହଣ ଦୃଶ୍ୟଗୁଡ଼ିକର ଆବେଦନକୁ ଜୀବନ୍ତ କରେ। ସତ୍ୟପ୍ରକାଶ ରଥଙ୍କ ସିନୋମାଟୋଗ୍ରାଫି କାହାଣୀ ବର୍ଣ୍ଣନାର ସତ୍ୟନିଷ୍ଠାକୁ ଉତ୍ତମ ରୂପେ ସମର୍ଥନ କରିଛି। ଅନୀତା ଦାସଙ୍କୁ ଛାଡ଼ିଦେଲେ ଛବିର ଅଧିକାଂଶ କଳାକାର ଓଡ଼ିଆ ଚଳଚ୍ଚିତ୍ର ପରିସରରେ ଅଳ୍ପ ପରିଚିତ ଅଥବା ନବାଗତ। କେତେକ ଦୃଶ୍ୟରେ ନୂଆ ଅଭିନେତାମାନଙ୍କ ଦୁର୍ବଳତା ବାରି ହୋଇପଡ଼ିବା ସ୍ବାଭାବିକ। ତଥାପି ବିଷୟବସ୍ତୁର ଗତିଶୀଳତା ହେତୁ ଏହା ଅନୁଭବ କରିହୁଏ ନାହିଁ। ତେବେ ବରିଷ୍ଠ ଅନୀତାଙ୍କ ଠାରୁ ନବାଗତ ମନିଶୀତାଙ୍କ ପର୍ଯ୍ୟନ୍ତ ଚଳଚ୍ଚିତ୍ରର ସମସ୍ତ ମୁଖ୍ୟ କଳାକାରଙ୍କ ଅଭିନୟ ପ୍ରଶଂସନୀୟ। ନିର୍ଦେଶକ କାହାଣୀଟିକୁ ପ୍ରାଞ୍ଜଳ କରିବାକୁ ଯାଇ ଗତିକୁ ସାମାନ୍ୟ ମନ୍ଥର କରିଛନ୍ତି। କପିଳାସଙ୍କ ପ୍ରଥମ ଚଳଚ୍ଚିତ୍ର ଭାବେ ‘ଲାଲ ଓଢ଼ଣି’ ଖୁବ୍ ମାର୍ମିକ। ନିରୁତା ଓଡ଼ିଆ ଚଳଚ୍ଚିତ୍ରର ତାଲିକାରେ ଏହା ସର୍ବଦା ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବ।
“ଲାଲ ଓଢ଼ଣି’’
ନିର୍ଦେଶକ: କପିଳାସ ଭୂୟାଁ
ମୁଖ୍ୟ ଚରିତ୍ରରେ: ସତ୍ୟଜ୍ୟୋତି ଦାସ, ମନିଶୀତା ଦାସ, ଅନିତା ଦାସ, ତପନ କାନୁନ୍ଗୋ, ଶ୍ୱେତା ଆଚାର୍ଯ୍ୟ,
ପିଙ୍କୁ ପଟ୍ଟନାୟକ