Tree plantation: ‘ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣ ଅପରିହାର୍ଯ୍ୟ’

Jul 04, 2026 - 15:37
Tree plantation: ‘ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣ ଅପରିହାର୍ଯ୍ୟ’

ବଣାଇଁଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ପକ୍ଷରୁ ‘ମାଁ ପାଇଁ ଗଛଟିଏ–୩.୦’ ଅଭିଯାନ ଅନ୍ତର୍ଗତ ୭୭ତମ ବନ ମହୋତ୍ସବ ସପ୍ତାହ–୨୦୨୬ ପାଳିତ ହୋଇଯାଇଛି। ବଣାଇଁ ବନାଞ୍ଚଳର ମର’ ବଲାଣୀପାଟ ପାହାଡ଼ ପାଦଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ବଣାଇଁ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଚଳିତ ବର୍ଷ ବଣାଇଁ ବନଖଣ୍ଡରେ ୨ ଲକ୍ଷ ବୃକ୍ଷରୋପଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ସବୁଜ ଓଡ଼ିଶା ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଏବଂ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀଶଙ୍କର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶ୍ରୀ ଓରାମ କହିଥିଲେ ଯେ, ପରିବେଶର ସନ୍ତୁଳନ ରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପୃଥିବୀ ଗଢ଼ି ତୋଳିବାକୁ ହେଲେ ବ୍ୟାପକ ବୃକ୍ଷରୋପଣର କୌଣସି ବିକଳ୍ପ ନାହିଁ। ପ୍ରତ୍ୟେକ ନାଗରିକ ଅତିକମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।

ଉପବାଚସ୍ପତି ଭବାନୀଶଙ୍କର ଭୋଇ କହିଥିଲେ ଯେ, ‘ମାଁ ପାଇଁ ଗଛଟିଏ–୩.୦’ ଅଭିଯାନ କେବଳ ବୃକ୍ଷରୋପଣରେ ସୀମିତ ନ ରହି, ସବୁଜ ପରିବେଶ ସୃଷ୍ଟି ପାଇଁ ଏକ ଜନଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ। ସମସ୍ତଙ୍କ ସହଯୋଗରେ ଏହି ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ସେ କହିଥିଲେ।

୭୪ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ: ଏଥର ଲାଗିବ ୧୦.୨ କୋଟି ଚାରା

କାର୍ଯ୍ୟକ୍ରମରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଉରକେଲା ଆଞ୍ଚଳିକ ବନ ସଂରକ୍ଷକ ପି. ରାମସାମୀ, ବଣାଇଁ ଉପଜିଲ୍ଲାପାଳ ଅଶୋକ କୁମାର ଦାସ ଏବଂ ପୋଲିସ ଉପଖଣ୍ଡ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସାମୂହିକ ବୃକ୍ଷରୋପଣ କରିଥିଲେ ଏବଂ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ।

WhatsApp Image 2026-07-04 at 13.12.44 (1)

‘ମାଁ ପାଇଁ ଗଛଟିଏ–୩.୦’ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କୁଲ ଛାତ୍ରଛାତ୍ରୀ, ବନ ସୁରକ୍ଷା ସମିତିର ସଦସ୍ୟ, ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ଶପଥ ନେଇଥିଲେ। ଶେଷରେ ବଣାଇଁ ବନାଞ୍ଚଳ ଅଧିକାରୀ ଦେବାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଭାତ କୁମାର ସ୍ୱାଇଁ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ।