Top IPS Officers Emerge as Leading: କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖିଆ ? ପରବର୍ତ୍ତୀ ପୋଲିସ ମୁଖିଆଙ୍କୁ ନେଇ କାଉଣ୍ଟ ଡାଉନ୍

Jul 24, 2026 - 20:26
Top IPS Officers Emerge as Leading: କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖିଆ ? ପରବର୍ତ୍ତୀ ପୋଲିସ ମୁଖିଆଙ୍କୁ ନେଇ କାଉଣ୍ଟ ଡାଉନ୍

କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖିଆ। ଆରମ୍ଭ ହେଲା କାଉଣ୍ଟଡାଉନ୍। ଆସନ୍ତା ମାସ ୭ ତାରିଖରେ ସ୍ପଷ୍ଟ ହେଇଯିବ କିଏ ଦାବିଦାର, କିଏ ତାଲିକାରୁ ବାଦ। ଚର୍ଚ୍ଚାରେ ଆଗରେ ସୁଧାଂଶୁ ଷଡ଼ଙ୍ଗୀ, ଆରପି କୋଚେ, ସଂଜୀବ ପଣ୍ଡା । କେନ୍ଦ୍ରୀୟ ବୋର୍ଡ ୩ ଜଣଙ୍କ ତାଲିକା ପଠାଇବା ପରେ ରାଜ୍ୟ ସରକାର ହିଁ ଚୟନ କରିବେ କିଏ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଆସନ୍ତା ଅଗଷ୍ଟ ୧୬ ତାରିଖରେ ପରବର୍ତ୍ତୀ ପୁଲିସ ଡିଜି ଦାୟିତ୍ୱ ନେବାକୁ ଥିବା ବେଳେ ଆରମ୍ଭ ହୋଇ ଯାଇଛି ଚୟନ ପ୍ରକ୍ରିୟା ।

ଓଡ଼ିଶା ପୋଲିସର କିଏ ହେବେ ନୂଆ ମଙ୍ଗୁଆଳ। ରାଜ୍ୟର ଆଇନ୍ ଶୃଙ୍ଖଳା ସ୍ଥିତି ସମ୍ଭାଳିବା ପାଇଁ କାହା ଉପରେ ଭରସା କରିବେ ରାଜ୍ୟ ସରକାର । କାହାକୁ ନିଯୁକ୍ତ କରିବେ ପୋଲିସ ମହାନିର୍ଦ୍ଦେଶକ ପଦରେ। ତାକୁ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ଓଡ଼ିଶା ପୁଲିସର ପରବର୍ତ୍ତୀ ଡିଜିପି ପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା। ବର୍ତ୍ତମାନର ଡିଜିପି ୱାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୬ରେ ଶେଷ ହେବାକୁ ଥିବା ବେଳେ, ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC)ଙ୍କୁ ୧୧ ଜଣ ବରିଷ୍ଠ IPS ଅଧିକାରୀଙ୍କ ଏକ ତାଲିକା ପଠାଇଛନ୍ତି। 

ୟୁପିଏସସି ଆସନ୍ତା ୭ ତାରିଖରେ ଚୂଡ଼ାନ୍ତ ୩ ଜଣିଆ ତାଲିକାରେ ମୋହର ମାରି ପଠାଇବା ପରେ ରାଜ୍ୟ ସରକାର ଚୟନ କରିବେ କିଏ ହେବେ ପରବର୍ତ୍ତୀ ପୋଲିସ DG । ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ୟୁପିଏସସିକୁ ପଠାଯାଇଥିବା ତାଲିକାରେ ୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚର ସୁଶାନ୍ତ କୁମାର ନାଥ ଓ ଆର.ପି. କୋଚେ, ୧୯୯୪ ବ୍ୟାଚର ସଞ୍ଜୀବ ପଣ୍ଡା ଓ ୟଶୱନ୍ତ କୁମାର ଜେଠୱା, ୧୯୯୫ ବ୍ୟାଚର ରିତୁ ଆରୋରା ଓ ସୌମେନ୍ଦ୍ର ପ୍ରିୟଦର୍ଶୀ, ସନ୍ତୋଷ ବାଲା ଓ ପି. ଏସ୍. ରଣପିସେ ଏବଂ ୧୯୯୬ ବ୍ୟାଚର ଅରୁଣ ବୋଥ୍ରା ଓ ସୁନୀତା କାକରନଙ୍କ ନାଁ ରହିଛି। ଏହି ୧୧ ଜଣଙ୍କ ମଧ୍ୟରୁ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର ପି. କୋଚେ ବର୍ତ୍ତମାନ ଡିଜି ଥିବା ବେଳେ ଅନ୍ୟ ସମସ୍ତେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପଦରେ କାର୍ଯ୍ୟରତ । 

ନିୟମ ଅନୁସାରେ, ଡିଜିପି ପଦରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ଜ୍ୟେଷ୍ଠତା ଓ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଅଧିକାରୀଙ୍କ ନାମ UPSCକୁ ପଠାଇଥାନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ଅବସର ନେବାକୁ ଅତି କମରେ ୬ ମାସ ସମୟ ବାକି ଥିବା ଆବଶ୍ୟକ। ସେହିଭଳି ତାଙ୍କ ନାଁରେ ଭିଜିଲାନ୍ସ, ସିବିଆଇ, HRPC କିମ୍ବା ରାଜ୍ୟ ସରକାରଙ୍କ ଦ୍ବାରା କୌଣସି ପ୍ରକାର ଆର୍ଥିକ ଅନିୟମିତତା ମାମଲା ରହିଛି କି ତାକୁ ନେଇ ବିଚାର କରାଯିବ । 

ତେବେ ଡିଜିପି ରେସର ଆଗରେ ୩ ଜଣ ଅଧିକାରୀଙ୍କ ନାଁ ଥିବା କୁହାଯାଉଛି । ସେମାନେ ହେଲେ ସୁଧାଂଶୁ ଷଡଙ୍ଗୀ, ଆରପି କୋଚେ ଓ ସଂଜୀବ ପଣ୍ଡା । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେଙ୍କୁ ଡିଜିପି ପଦ ପାଇଁ ଆଗୁଆ ଦାବିଦାର ଭାବେ ଦେଖାଯାଉଛି । ହେଲେ ଏଡିଜି ସଞ୍ଜୀବ ପଣ୍ଡା ଓ ଭିଜିଲାନ୍ସ ନିର୍ଦ୍ଦେଶକ ୟଶୱନ୍ତ କୁମାର ଜେଠୱା ମଧ୍ୟ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେଉଛନ୍ତି।

ରାଜ୍ୟ ସରକାର ଯଦି ଓଡ଼ିଆ ଅସ୍ମିତା ପାଇଁ ଜଣେ ଓଡ଼ିଆଙ୍କୁ ବାଛିବେ, ତେବେ ସୁଧାଂଶୁ ଷଡଙ୍ଗୀ ନଚେତ୍ ସଂଜୀବ ପଣ୍ଡାଙ୍କୁ ନିଯୁକ୍ତି ମିଳିପାରେ ବୋଲି ଆଲୋଚନା ଜୋର ଧରିଛି । ସେପଟେ ଭରସାଯୋଗ୍ୟ IPS ଅଫିସର ଭାବେ RP କୋଚେ ଓ ଯଶବନ୍ତ ଜେଠୱାଙ୍କୁ ନେଇ ମଧ୍ୟ ସରକାର ବେଶ୍ ପଜିଟିଭ ଥିବା କୁହାଯାଉଛି । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ବିନୟତୋଷ ମିଶ୍ର ଆସନ୍ତା ନଭେମ୍ବରରେ ଅବସର ନେବାକୁ ଥିବାରୁ ୬ ମାସର ସେବା ଅବଧି ସର୍ତ୍ତ ପୂରଣ କରୁନାହାନ୍ତି। 

ତେଣୁ ସେ ଏହି ଦୌଡ଼ରୁ ବାଦ ପଡ଼ିଛନ୍ତି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଡିଜିପି ଚୟନ କରିପାରିନ୍ତି ବୋଲି ଚର୍ଚ୍ଚା ହେଉଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।