Tirupati Temple's Record Rs 97 Crore Haul: ୨୪ ଘଣ୍ଟାରେ ୯୭ କୋଟିର ଦାନ: ତିରୁପତି ମନ୍ଦିରର ଏହି ରେକର୍ଡ ପଛରେ ଅସଲ କାରଣ କଣ?
ବିଶ୍ୱର ସବୁଠାରୁ ଧନୀ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟେଶ୍ୱର ମନ୍ଦିରରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ଗତ ମଙ୍ଗଳବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ମନ୍ଦିରକୁ ୯୬.୯୮ କୋଟି ଟଙ୍କାର ଦାନ ମିଳିଛି। ତେବେ ଏହି ହଠାତ୍ ଆସିଥିବା ଦାନ ପଛରେ ରହିଛି ମନ୍ଦିରର ଏକ ନୂଆ ନିୟମ।
ନୂଆ 'ଦାତା ନୀତି' ଲାଗୁ ହେବା ପୂର୍ବରୁ ଲାଗିଲା ପ୍ରତିଯୋଗିତା
ଜୁଲାଇ ୧୫ ମଧ୍ୟରାତ୍ରିରୁ ମନ୍ଦିର ପ୍ରଶାସନ ତଥା ତିରୁମାଳା ତିରୁପତି ଦେବସ୍ଥାନମ୍ (TTD) ପକ୍ଷରୁ ଏକ ନୂତନ ଦାତା ନୀତି (Donor Policy) କାର୍ଯ୍ୟକାରୀ କରାଯାଇଛି। ଏହି ନୂଆ ନିୟମ ଲାଗୁ ହେବା ପୂର୍ବରୁ ଦାନ କରି ଆଜୀବନ ସୁବିଧା ହାସଲ କରିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଯାଇଥିଲା। ଗତ ମଙ୍ଗଳବାର ରାତି ୧୨ଟା ବାଜିବା ପୂର୍ବରୁ ହିଁ ଏହି ବିପୁଳ ପରିମାଣର ଅନୁଦାନ ମନ୍ଦିରକୁ ମିଳିଛି।
କାହିଁକି ବଦଳିଲା ନିୟମ?
ସଂଶୋଧିତ ନୀତି ଅନୁଯାୟୀ, ଦାତାମାନଙ୍କୁ ମିଳୁଥିବା ସୁବିଧା ଓ ସ୍ୱତନ୍ତ୍ର ଅଧିକାରରେ ବଡ଼ ପରିବର୍ତ୍ତନ କରାଯାଇଛି। ବିଶେଷ କରି, ଏପର୍ଯ୍ୟନ୍ତ ଦାତାମାନେ ପାଉଥିବା 'ଆଜୀବନ ସୁବିଧା'କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।
ତେବେ ଏହି ନୂଆ ନିୟମରେ ଏକ ସର୍ତ୍ତ ଥିଲା ଯେ, ଯେଉଁମାନେ ଜୁଲାଇ ୧୫ ମଧ୍ୟରାତ୍ରି ପୂର୍ବରୁ ଦାନ କରିବେ, ସେମାନେ ପୂର୍ବଭଳି ଆଜୀବନ ସୁବିଧା ପାଇବେ। ଏହି କାରଣରୁ ପୁରୁଣା ସୁବିଧାର ଲାଭ ଉଠାଇବା ପାଇଁ ଶେଷ ମୁହୂର୍ତ୍ତରେ ଭକ୍ତମାନେ କୋଟି କୋଟି ଟଙ୍କାର ଦାନ କରିଥିଲେ।
ମାତ୍ର ଗୋଟିଏ ଦିନରେ କିଏ କେତେ ଦେଲେ?
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ମଙ୍ଗଳବାର ତିରୁପତି ବାଲାଜୀ ମନ୍ଦିରକୁ ମୋଟ ୨,୪୬୦ ଜଣ ଦାତା ଦାନ କରିଥିଲେ। ଏଥିମଧ୍ୟରୁ ୧,୨୧୨ ଜଣ ଦାତା ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଦାନ କରିଥିବା ବେଳେ, ୧,୨୪୬ ଜଣ ଦାତା ୧୦ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ କରିଥିଲେ। ସେହିପରି, ଦୁଇଜଣ ଭକ୍ତ ୧ କୋଟି ଟଙ୍କାରୁ ଅଧିକ ଦାନ କରିଥିଲେ।
ବିଶ୍ୱର ସବୁଠାରୁ ଧନୀ ମନ୍ଦିରମାନଙ୍କ ମଧ୍ୟରେ ଗଣାଯାଉଥିବା ତିରୁପତି ବାଲାଜୀ ମନ୍ଦିରରେ ଗତ କିଛି ବର୍ଷ ଧରି ଦାତାଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ନିକଟରେ ତଥ୍ୟ ଅନୁସାରେ, ମନ୍ଦିରରେ ୧,୯୭,୮୮୮ ଜଣ ପଞ୍ଜୀକୃତ ଦାତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧.୫ ଲକ୍ଷ ଦାତା ୧ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ କରିଥିବା ବେଳେ, ପ୍ରାୟ ୨୨ ହଜାର ଦାତା ୧୦ ଲକ୍ଷ ଟଙ୍କାରୁ ଅଧିକ ଦାନ କରିଛନ୍ତି।
ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩.୩୮ ଲକ୍ଷ କୋଟି ଟଙ୍କା ବୋଲି ଆକଳନ କରାଯାଇଛି, ଯାହା ବିଶ୍ୱର ଅନେକ ଛୋଟ ଦେଶର ଜିଡିପି (GDP)ଠାରୁ ମଧ୍ୟ ଅଧିକ। ୨୦୨୫-୨୬ ଆର୍ଥିକ ବର୍ଷରେ ମନ୍ଦିରର ହୁଣ୍ଡି ଦାନ ୧,୭୩୮ କୋଟି ଟଙ୍କା ଅତିକ୍ରମ କରିଛି, ଅର୍ଥାତ୍ ପ୍ରତିଦିନ ହାରାହାରି ୪.୭୫ କୋଟି ଟଙ୍କାର ଦାନ ମିଳୁଛି।
ନୂତନ ନୀତିରେ କ'ଣ ସବୁ ପରିବର୍ତ୍ତନ ହୋଇଛି?
ପୂର୍ବରୁ ଦାତାମାନେ ଆଜୀବନ ସ୍ପେଶାଲ ଏଣ୍ଟ୍ରି ଦର୍ଶନ, ବ୍ରେକ୍ ଦର୍ଶନ, ସୁପ୍ରଭାତମ୍ ସେବା, କଲ୍ୟାଣୋତ୍ସବମ୍ ଏବଂ ମାଗଣା ରହିବା ସହ ଲଡୁ ଓ ସୁନା-ରୂପା ମୁଦ୍ରା ଭଳି ଉପହାର ପାଉଥିଲେ। କିନ୍ତୁ ନୂଆ ନିୟମ ଅନୁସାରେ ବ୍ୟକ୍ତିଗତ ଦାତାଙ୍କ ପାଇଁ ଏହି ସୁବିଧା ୨୦ ବର୍ଷ ଏବଂ ସଂସ୍ଥା/ଟ୍ରଷ୍ଟ ପାଇଁ ୧୫ ବର୍ଷ ପର୍ଯ୍ୟନ୍ତ ସୀମିତ ରହିବ। ପୁରୁଣା Range-based Donation Slabs ବ୍ୟବସ୍ଥାକୁ ରଦ୍ଦ କରାଯାଇ ଏବେ ଦାତାଙ୍କୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯିବ। ମାନୁଆଲ୍ ହସ୍ତକ୍ଷେପ ଏବଂ ସ୍ୱତନ୍ତ୍ର ଅନୁରୋଧକୁ ରୋକିବା ପାଇଁ ଏବେ ସମସ୍ତ ଦର୍ଶନ ବ୍ୟବସ୍ଥା 'ଅନଲାଇନ୍ ଡୋନର୍ ମ୍ୟାନେଜମେଣ୍ଟ ସିଷ୍ଟମ୍' ମାଧ୍ୟମରେ ହେବ।
TTD ଅଧ୍ୟକ୍ଷ ବି.ଆର୍. ନାଇଡୁଙ୍କ ବ୍ୟାନ: "କେବଳ ୧୦ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ଦାନ କରିଥିବା ଦାତାଙ୍କ ସଂଖ୍ୟା ଗତ ଚାରି ମାସରେ ପ୍ରାୟ ୩,୦୦୦ ବଢ଼ିଛି। ଦାନ ପରିଚାଳନା ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଓ ସମାନତା ଆଣିବା ସହ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ଏହି ପରିବର୍ତ୍ତନ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।