Tiny Talent From Odisha: ବୟସ ୮ ମାସ କିନ୍ତୁ ବଡ଼ ବଡ଼ଙ୍କୁ କରିଦେବ ଫେଲ୍; ସୁପର ଟ୍ୟାଲେଣ୍ଟେଡ୍ କିଡ୍ ଭାବେ କରିଛି ରେକର୍ଡ
ବୟସ ମାତ୍ର ୮ ମାସ। ନା କଥା କହିପାରୁଛି, ନା ଚାଲିପାରୁଛି। କିନ୍ତୁ ତା'ର ସ୍ମରଣଶକ୍ତି ଦେଖି ବଡ଼ ବଡ଼ ଲୋକ ବି ଚକିତ। ଯେଉଁ ବୟସରେ ପିଲାମାନେ ଖେଳନା ସହ ଖେଳିବା ଶିଖନ୍ତି, ସେହି ବୟସରେ ଜଣେ କୁନି ଝିଅ ବିଶ୍ୱ ରେକର୍ଡ କରିଛି। ବଲାଙ୍ଗୀରର ସୁକୃତି ମେହେର ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ 'ସୁପର ଟ୍ୟାଲେଣ୍ଟେଡ୍ କିଡ୍' ଭାବେ ସମ୍ମାନିତ ହୋଇଛନ୍ତି। ଖେଳ ଖେଳରେ ଆରମ୍ଭ ହୋଇଥିବା ଶିଖିବାର ଯାତ୍ରା କିପରି ଆଣିଦେଲା ଅନ୍ତର୍ଜାତୀୟ ସ୍ୱୀକୃତି, ଦେଖନ୍ତୁ ରିପୋର୍ଟ।
ନା ସେ କଥା କହିପାରୁଛି, ନା ଚାଲିପାରୁଛି। ଖେଳନା ଧରି ଖେଳିବା ବୟସରେ ଏହି କୁନି ଝିଅ କରିଛି ବିଶ୍ୱ ରେକର୍ଡ। ତା'ର ଅସାଧାରଣ ସ୍ମରଣଶକ୍ତି ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବଲାଙ୍ଗୀର ଜିଲ୍ଲା କୁକୁରମୁଣ୍ଡା ଗାଁର ସୁଶୀଲ ମେହେରଙ୍କ ମାତ୍ର ୮ ମାସର ଝିଅ ସୁକୃତି ମେହେର। ଏହି କୁନି ଝିଅଟି ଏବେ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ‘ସୁପର ଟ୍ୟାଲେଣ୍ଟେଡ୍ କିଡ୍’ ଭାବେ ସାଟିଫିକେଟ ଓ ମେଡାଲ ପାଇଛନ୍ତି ।
ମାତ୍ର ୩ ମାସ ବୟସରୁ ସୁକୃତିଙ୍କ ମଧ୍ୟରେ ଦେଖାଦେଇଥିଲା ଅସାଧାରଣ ସ୍ମୃତିଶକ୍ତି। ଘର ଲୋକେ ଜିଭ, ନାକ, କାନ କିମ୍ବା ଆଖି ଦେଖାଇବାକୁ କହିଲେ ସେ ତୁରନ୍ତ ଚିହ୍ନଟ କରୁଥିଲେ। ଦିନ ଗଡ଼ିବା ସହ ତାଙ୍କ ପ୍ରତିଭା ଆହୁରି ବିକଶିତ ହୋଇଥିଲା। ଏବେ ସେ ବିଭିନ୍ନ ଦେଶର ପତାକା, ରଙ୍ଗ, ଫଳ, ଦୈନନ୍ଦିନ ବ୍ୟବହାରର ଜିନିଷ ଏବଂ ଅନେକ ସାମଗ୍ରୀକୁ କେବଳ ଦେଖାଇଦେଲେ ଚିହ୍ନଟ କରିପାରୁଛନ୍ତି।
ଏତେ କମ୍ ବୟସରେ ଏପରି ସ୍ମରଣଶକ୍ତି ସମସ୍ତଙ୍କୁ ଚକିତ କରିଛି। ଏହି ଅସାଧାରଣ ପ୍ରତିଭାକୁ ସ୍ୱୀକୃତି ଦେଇ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ତାଙ୍କୁ ସାର୍ଟିଫିକେଟ୍ ଓ ମେଡାଲ ପ୍ରଦାନ କରାଯାଇଛି। ସେ ‘ସୁପର ଟ୍ୟାଲେଣ୍ଟେଡ୍ କିଡ୍’ ଭାବେ ସମ୍ମାନିତ ହୋଇଛନ୍ତି। ଯାହାକୁ ନେଇ ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି ।
ପରିବାର ପ୍ରତିଦିନ ଖେଳ ଖେଳରେ ସେମାନେ ସୁକୃତିଙ୍କୁ ବିଭିନ୍ନ ଜିନିଷ ଦେଖାଇ ଶିଖାଉଥିଲେ। କେବେ ଭାବିନଥିଲେ ଯେ ଏହି ଅଭ୍ୟାସ ଦିନେ ବିଶ୍ୱ ସ୍ତରର ସ୍ୱୀକୃତି ଆଣିଦେବ। ଏହି ସଫଳତା ପରେ ସମଗ୍ର ଅଞ୍ଚଳରେ ଏ କୁନିଝିଅର ପ୍ରବଳ ଚର୍ଚ୍ଚା। କୁନି ସୁକୃତିଙ୍କ ପ୍ରତିଭା ଆଜି ପ୍ରମାଣ କରିଦେଇଛି— ବୟସ ନୁହେଁ, ପ୍ରତିଭା ହିଁ ସଫଳତାର ପ୍ରକୃତ ପରିଚୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।