Welcome!

Unlock your personalized experience.
Sign Up

Textbook error : ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ତନାଘନା, ଫୌଜଦାରୀ ଷଡ଼ଯନ୍ତ୍ର, ବିଶ୍ୱାସ ଭଙ୍ଗ ଭଳି ୪ଟି ଦଫାରେ ମାମଲା

Jul 14, 2026 - 10:48
Textbook error : ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ତନାଘନା, ଫୌଜଦାରୀ ଷଡ଼ଯନ୍ତ୍ର, ବିଶ୍ୱାସ ଭଙ୍ଗ ଭଳି ୪ଟି ଦଫାରେ ମାମଲା

ଭୁବନେଶ୍ୱର/କଟକ,୧୪/୦୭: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟି ଘଟଣାର ଗୁମର ଫିଟିବ । ଧରା ପଡ଼ିବେ ଦୋଷୀ । କାହିଁକି ତ୍ରୁଟି ହେଲା? କିପରି ହେଲା? କିଏ କଲା? ଏହା ପଛର କାରଣ କ’ଣ? ସେସବୁକୁ ତନାଘନା ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ ।

ଗତ ଶନିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପିଙ୍କ ନିକଟରେ ଏଫ୍ଆଇଆର ଦାୟର କରିବାକୁ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି) ନିର୍ଦ୍ଦେଶକ ମଧୁସ୍ମିତା ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ୪୮ ଘଣ୍ଟା ପରେ କ୍ରାଇମ୍‌ବ୍ରାଞ୍ଚରେ ନିର୍ଦ୍ଦେଶିକା ଶ୍ରୀମତି ସାହୁ ଏଫ୍ଆଇଆର କରିଛନ୍ତି । କ୍ରାଇମ୍ବ୍ରାଞ୍ଚ ମାମଲା ରୁଜୁ କରିବା ସହ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଛି ।

ଏସସିଆଇଆରଟି ନିର୍ଦ୍ଦେଶିକାଙ୍କ ଲିଖିତ ଅଭିଯୋଗକୁ ଆଧାର କରି କ୍ରାଇମ୍‌ବ୍ରାଞ୍ଚରେ କେସ୍ ନମ୍ବର ୦୮/୨୦୨୬ ରୁଜୁ କରାଯାଇଛି । ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୧୬-୫ (ସରକାରୀ କର୍ମଚାରୀ କିମ୍ବା ବୃତ୍ତିଗତ ଅଧିକାରୀଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ), ୨୦୧ (ସରକାରୀ କର୍ମଚାରୀ ଜାଣିଶୁଣି କାହାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଭୁଲ୍ କାଗଜପତ୍ର ପ୍ରସ୍ତୁତ କରିବା), ୩-୫ (କୌଣସି ଏକ ଅପରାଧିକ କାର୍ଯ୍ୟକଳାପରେ ସମାନ ଉଦ୍ଦେଶ୍ୟ ନେଇ ଏକାଧିକ ବ୍ୟକ୍ତି ସାମିଲ ହେବା) ଏବଂ ୬୧-୨ (ଫୌଜଦାରୀ ଷଡ଼ଯନ୍ତ୍ର) ଧାରାରେ ମାମଲା ରୁଜୁ ହୋଇଛି । କ୍ରାଇମ୍‌ବ୍ରାଞ୍ଚ୍ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସ୍‌ପି ନରେନ୍ଦ୍ର କୁମାର ବେହେରାଙ୍କୁ ଏହି ଅତି ସମ୍ୱେଦନଶୀଳ ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।

ଅଧିକ ପଢ଼ନ୍ତୁ :- ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ : କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

ତଦନ୍ତକୁ ବ୍ୟାପକ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମଧ୍ୟ ଗଠନ କରାଯାଇଛି । ପ୍ରତି ଟିମ୍‌କୁ ଜଣେ ଜଣେ ବରିଷ୍ଠ ଇନ୍ସପେକ୍ଟର ନେତୃତ୍ୱ ନେଉଛନ୍ତି। ଟିମ୍ ଗଠନ ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏସସିଆଇଆରଟି  ପକ୍ଷରୁ ଯେଗାଇ ଦିଆଯାଇଥିବା ପ୍ରତ୍ୟେକ ଶ୍ରେଣୀର ପାଠ୍ୟ ପୁସ୍ତକକୁ କ୍ରାଇମ୍‌ବ୍ରାଞ୍ଚ୍ ଟିମ୍ ତନଖି କରୁଛି । ଯେଉଁ ତ୍ରୁଟିକୁ ଏସସିଆଇଆରଟି ପକ୍ଷରୁ ଚିହ୍ନିଟ କରାଯାଇଛି ତାହାର ଯାଞ୍ଚ ହେଉଛି । ଏଥିସହ ଏସସିଆଇଆରଟି ପକ୍ଷରୁ ପୂରା ପ୍ରକ୍ରିୟାରେ ରହିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମଧ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି । ସେହିପରି ସଂପୂର୍ଣ୍ଣ ପ୍ରକ୍ରିୟାରେ କେଉଁ ଅନୁଷ୍ଠାନ, କେଉଁ ବରିଷ୍ଠ ଅଧିକାରୀ ଓ କେଉଁ କର୍ମଚାରୀମାନେ ସାମିଲ ଥିଲେ ତାହାର ତଥ୍ୟ ପ୍ରଦାନ କରିବାକୁ କ୍ରାଇମ୍‌ବ୍ରାଞ୍ଚ୍ ପକ୍ଷରୁ ଏସସିଆଇଆରଟି ନିର୍ଦ୍ଦେଶିକାଙ୍କୁ କୁହାଯାଇଛି ।

ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଏବଂ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ଯାଞ୍ଚ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଦସ୍ତାବିଜ, ରେକର୍ଡ ଓ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି । ସୋମବାର ପୂର୍ବାହ୍ନରେ ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସଚିବଙ୍କୁ ପ୍ରଥମେ ନିଜ କକ୍ଷକୁ ଡକାଇଥିଲେ । ସେଠାରେ ବହୁ ସମୟ ଧରି ଆଲୋଚନା ହୋଇଥିଲା । ଏହାପରେ ଓସେପା ନିର୍ଦ୍ଦେଶିକା, ଏସସିଆଇଆରଟି ନିର୍ଦ୍ଦେଶିକାଙ୍କୁ ମଧ୍ୟ ଡକରାଯାଇଥିଲା । ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ମଧ୍ୟ କାହିଁକି ଏଫ୍ଆଇଆର ଦିଆଯାଇନି ସେନେଇ ଆଲୋଚନା ମଧ୍ୟ ହୋଇଥିବା ଆକଳନ କରାଯାଉଛି । ଏବାବଦରେ ମନ୍ତ୍ରୀ, ଉପସ୍ଥିତ ଅଧିକାରୀମାନେ ମୁହଁ ଖୋଲି ନଥିଲେ ।

ସୂଚନାଯୋଗ୍ୟ, ପାଠ୍ୟପୁସ୍ତକରେ ତ୍ରୁଟି ଥିବା କଥା ବିଭାଗର ନଜରକୁ ଗତ ଏପ୍ରିଲ୍ ମାସରେ ଶିକ୍ଷକମାନେ ଆଣିଥିଲେ । ବାରମ୍ବାର ଅଭିଯୋଗ ଆସିବାର ଜୁନ୍ ୨ ତାରିଖରେ ଏସସିଆଇଆରଟି ନିଜ ଆଡ଼ୁ ୧୬୭୮ଟି ଭୁଲ୍ ଚିହ୍ନଟ କରି ଏକ ସଂଶୋଧିତ ପୁସ୍ତିକା ଜାରି କଲା । ଚିଠି ପାଇବାର ୬ଦିନ ପରେ ଓସେପା ଏହାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପଠାଇଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୭୮ ଭୁଲ୍ ଥିବା ନେଇ ପ୍ରଥମେ ‘ପ୍ରମେୟ’ ଲୋକଲୋଚନକୁ ଆଣିଲା । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ୭ଦିନରେ ତଦନ୍ତ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ । ରିପୋର୍ଟ ଆସିବା ପରେ କମିଟିର ସୁପାରିଶକ୍ରମେ ପୂର୍ବ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୩ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା । ଏଥିସହ ୬ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ୭ଦିନ ମଧ୍ୟରେ ମୁଖ୍ୟ ତ୍ରୁଟି ସଂଶୋଧିତ ପୁସ୍ତିକା ପ୍ରକାଶ ସହ ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟିର ୧୪ଟି ସୁପାରିଶ କାର୍ଯ୍ୟକାରୀ ନିର୍ଦ୍ଦେଶ ଦେଇଥିଲେ । ଲାଗୁଛି ଯେତିକି ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଉଛନ୍ତି ତାହା ହିଁ କାର୍ଯ୍ୟକାରୀ କରାଯାଉଛି । ବିଭାଗ ପକ୍ଷରୁ ଶିକ୍ଷାବର୍ଷ ଅଧା ହେବାକୁ ବସିଲାଣି କିପରି ପିଲାମାନେ ସଂଶୋଧିତ ବହିରେ ପଢ଼ିବେ ସେନେଇ ଚିନ୍ତା ନାହିଁ । ଯେପରି ଯେଣେ ତେଣେ କରି ଏହି ଶିକ୍ଷାବର୍ଷକୁ ପାର କରିଦେବାକୁ ବସିଛନ୍ତି । ଖାଲି ବୈଠକ, ମାନସମନ୍ଥନ, ବିଚାରବିମର୍ଶରେ ଅଟକିଛି ବିଭାଗ । ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ସତେ ଲାଗୁଛି ଯେମିତି ଗଣଶିକ୍ଷା ବିଭାଗ ନିଜ ମନମାନିରେ ଚାଲିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।