Teacher Turned Drug Kingpin: ଗଞ୍ଜେଇ ସିଣ୍ଡିକେଟର ଟଙ୍କା ସିଗନାଲ; ଚିରା ନୋଟ୍ ଦେଖାଅ, ମାଲ୍ ନିଅ; ନୋଟରେ ନୀଳ ଜହର କାରବାର
ଦିନରେ ମାଷ୍ଟର ରାତିରେ ମାଫିଆ। ଛଦ୍ମବେଶରେ ସିଣ୍ଡିକେଟ ଭିତରକୁ ଧସେଇ ପଶି ଫିଲ୍ମ ଷ୍ଟାଇଲରେ ହେଉଥିବା ଗଞ୍ଜେଇ ରାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଂଚ ଏସଟିଏଫ୍। ଇଏ ଏମିତି ସେମିତି ନିଶା ମାଫିଆ ନୁହଁନ୍ତି, ଏମାନଙ୍କ କାରନାମା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ଆସନ୍ତୁ ଦେଖିବା ଏହି ରିପୋର୍ଟ।
ଗଞ୍ଜେଇ ସିଣ୍ଡିକେଟର 'ଚିରା ଟଙ୍କା' ସିଗନାଲ୍। ଚାଲାଣକାରୀ ପାଖରେ ଅଧା ନୋଟ୍ ଆଉ ଅଧା ରିସିଭର ପାଖରେ। ଚିରା ନୋଟ୍ ଦେଖାଅ, ମାଲ୍ ନିଅ।
ସ୍ପେଶାଲ ଟାସ୍କଫୋର୍ସର ଅପରେସନ 'ଗ୍ରୀନ କ୍ଲିନ'ର ଶିକାର ମାଷ୍ଟର ଦୁର୍ବାସା। ନୀଳ ଜହର କାରବାରର ମାଷ୍ଟର ମାଇଣ୍ଡ, ମାଷ୍ଟର ଅର୍ଥାତ୍ ଶିକ୍ଷକ। ପେଶାରେ ଶିକ୍ଷକ ହେଲେ ନିଶା ଗଞ୍ଜେଇ ବେପାର। ଶିକ୍ଷକତା ଭଳି ବୃତ୍ତିରେ ଥାଇ ମଧ୍ୟ ରାତାରାତି କୋଟିପତି ହେବା ଆଶାରେ ସାର୍ ଚଳାଇଥିଲେ ଗଞ୍ଜେଇ କାରବାର। ଦୁର୍ବାସାର ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳରେ। ଗୁପ୍ତଚର ବେଶରେ ମାସେ ଧରି ଦୁର୍ବାସାର ପିଛା କରୁଥିଲା STF। ଶେଷରେ ପଞ୍ଝାରେ ପଡିଛି ଏହି ନିଶା ମାଫିଆ। ଧରାଇଦେଇଛି ଅଧା ଚିରା ୧୦ ଟଙ୍କିଆ ନୋଟ୍। (ଏଆଇ ଭିଜୁଆଲ).. ଫିଲ୍ମରେ କଳା କାରବାରର ପୁରୁଣା ଫଣ୍ଡା। ଯାହାକୁ ଏବେବି ଆପଣାଉଥିଲେ ନିଶା ମାଫିଆ। ପୋଲିସ ଓ ଅବକାରୀ ବିଭାଗର ଆଖିରେ ଧୂଳି ଦେଇ ବେଧଡ଼କ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ। ଦୁର୍ବାସା ସହ ଅନ୍ୟ ୩ ଜଣ ସୁବୁଦ୍ଧି ସାହୁ, ଅରୁଣ ରାଣା ଓ ପ୍ରକାଶ ଖଟୁଆକୁ ଗିରଫ କରିଛି STF।
ଗତ ୨୪ ତାରିଖରେ କଟକ ଜିଲ୍ଲା ଆଠଗଡ଼ କାଜୁ ଜଙ୍ଗଲରୁ ପାଖାପାଖି ୨ କୁଇଣ୍ଟାଲ ଗଞ୍ଜେଇ ଧରିଥିଲା ଏସଟିଏଫ୍। ସେହି କେସରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଥିଲା ଦୁର୍ବାସା। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କଂଟାମାଳ ଓ ଗୋଛାପଡ଼ା ଥାନାରେ ମାମଲା ରହିଛି। ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡ଼ଖଣ୍ଡକୁ ନିଶା ଚାଲାଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି ଏସଟିଏଫ। ଏମାନଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ସେମାନଙ୍କ ସମ୍ପତ୍ତି ଓ ଆର୍ଥିକ କାରବାର ନେଇ ଖୋଳତାଡ଼ କରିବ ତଦନ୍ତକାରୀ ସଂସ୍ଥା। ..
ଏ ସାରଙ୍କୁ ବି ଘାରିଛି ଗଞ୍ଜେଇ ନିଶା। ପିଲାଙ୍କୁ ପାଠ ପଢାଇ ଭଲ ମଣିଷ କରିବେ କଣ ଖାଇଯାଉଛି ଟଙ୍କା ଲୋଭ। କଳାହାଣ୍ଡିରୁ ବଲାଙ୍ଗୀରକୁ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ଆଉ ଦୁଇ ଶିକ୍ଷକ। ଜାତୀୟ ରାଜପଥ-୨୬ ବରଗାଁ ଛକରେ ଟିଟିଲାଗଡ଼ ଓ ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରି କାରରୁ ୩୩ କେଜି ଗଞ୍ଜେଇ ଜବତ କରିଛି। ଘଟଣାରେ ୩ ଅଭିଯୁକ୍ତ କିଶୋର କୁମ୍ଭାର, ଜିତୁ ସାହୁ ଓ ସଞ୍ଜୟ ବାଗଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରୁ କିଶୋର କୁମ୍ଭାର ଓ ଜିତୁ ସାହୁ ଶିକ୍ଷକ।
ବିଶ୍ବ ନିଶାମୁକ୍ତି ଦିବସରେ ଖୋଲିଛି ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣର ଗୁମର। କେବଳ ଏବର୍ଷ ୧ଲକ୍ଷ ୭୭ ହଜାର କିଲୋଗ୍ରାମର ଗଞ୍ଜେଇ ଧରିଛି କ୍ରାଇମବ୍ରାଂଚ। ଗଞ୍ଜେଇ ଟଙ୍କାରେ ମାଫିଆଙ୍କ ପାଖରେ ବଡ଼ ବଡ଼ କୋଠା ସାଙ୍ଗକୁ ଦାମୀ କାର ଦେଖି ଜଳକା ହୋଇଛି ଏସଟିଏଫ।