Tanvi Sharma Wins Taipei Open: ୧୭ ବର୍ଷରେ ଇତିହାସ ରଚିଲେ ତନଭି ଶର୍ମା, ତାଇପେଇ ଓପେନ୍ରେ ଐତିହାସିକ ବିଜୟ
ଭାରତୀୟ ବ୍ୟାଡମିଣ୍ଟନକୁ ମିଳିଛି ନୂଆ ତାରକା। ମାତ୍ର ୧୭ ବର୍ଷ ବୟସରେ ତାଇପେଇ ଓପେନ୍ ସୁପର୍-୩୦୦ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି ତନଭି ଶର୍ମା। ୧୮ ବର୍ଷ ପରେ ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ଟ୍ରଫି ପୁଣିଥରେ ଭାରତ ହାତକୁ ଆସିଛି।
ଫାଇନାଲରେ ସେ ଭିଏତନାମର ଥୁୟ ଲିନ୍ ନୁଏନଙ୍କୁ ୨୧-୧୬, ୨୧-୧୬ ସିଧାସଳଖ ଗେମରେ ପରାସ୍ତ କରି ନିଜ କ୍ୟାରିୟରର ପ୍ରଥମ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ସୁପର୍-୩୦୦ ଟାଇଟଲ୍ ହାସଲ କରିଛନ୍ତି। ୨୦୦୮ରେ ସାଇନା ନେହୱାଲଙ୍କ ବିଜୟ ପରେ ଦୀର୍ଘ ୧୮ ବର୍ଷ ଧରି ଭାରତୀୟ ଖେଳାଳିଙ୍କ ହାତକୁ ଏହି ଟାଇଟଲ୍ ଆସିନଥିଲା। ସେହି ଅପେକ୍ଷାର ଅନ୍ତ ଘଟାଇଛନ୍ତି ପଞ୍ଜାବର ଏହି ୧୭ ବର୍ଷୀୟା ଶଟଲର୍।
17-year-old Tanvi Sharma 🇮🇳 goes for gold against Nguyen Thuy Linh 🇻🇳.#BWFWorldTour#TaipeiOpen2026pic.twitter.com/QUlZuTSRUc
— BWF (@bwfmedia) August 2, 2026
ମାତ୍ର ୩୬ ମିନିଟ୍ରେ ଶେଷ ହୋଇଥିବା ଫାଇନାଲରେ ତନଭି ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ନେଟ୍ ପାଖରେ ଚତୁର ଶଟ୍ ଓ ଜୋରଦାର ସ୍ମାଶ୍ ଜରିଆରେ ସେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚାପରେ ରଖିଥିଲେ। ଦ୍ୱିତୀୟ ଗେମରେ ନୁଏନ୍ ଆରମ୍ଭରେ ଆଗୁଆ ଥିଲେ ମଧ୍ୟ ତନଭି ଧୈର୍ଯ୍ୟର ସହ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ଫେରାଇ ଆଣି ବିଜୟ ସୁନିଶ୍ଚିତ କରିଥିଲେ।
ପୂର୍ବତନ ଜୁନିୟର ବିଶ୍ୱ ନମ୍ବର-୧ ତନଭି ଶର୍ମାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପାର୍କ ତେ-ସାଙ୍ଗ, ଯିଏ ପୂର୍ବରୁ ପି.ଭି. ସିନ୍ଧୁଙ୍କ କୋଚ୍ ଥିଲେ। ପଦକ ବିତରଣ ପରେ ତନଭି ନିଜ ସ୍ୱର୍ଣ୍ଣ ପଦକକୁ କୋଚ୍ ପାର୍କଙ୍କ ବେକରେ ପିନ୍ଧାଇ କୃତଜ୍ଞତା ଜଣାଇଥିବା ଦୃଶ୍ୟ ସମସ୍ତଙ୍କ ମନ ଜିତିଥିଲା। ଏହି ସଫଳତା କେବଳ ତନଭିଙ୍କ କ୍ୟାରିୟରର ସବୁଠୁ ବଡ଼ ଉପଲବ୍ଧି ନୁହେଁ, ବରଂ ଭାରତୀୟ ବ୍ୟାଡମିଣ୍ଟନର ଭବିଷ୍ୟତ ପାଇଁ ମଧ୍ୟ ଏକ ନୂଆ ଆଶାର ବାର୍ତ୍ତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।