Swami Laxmanananda Case Sparks: ଆକ୍ସନ ମୋଡରେ ସରକାର; ଫୁଲବାଣୀ ମେଡିକାଲ କଲେଜ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାଁରେ ନାମିତ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପାଇଁ ଆକ୍ସନ ମୋଡରେ ସରକାର। ଗୋଟିଏ ପଟେ ନାଇଡୁ କମିଶନ ରିପୋର୍ଟ ଗାୟବ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ। ଅନ୍ୟପଟେ ସ୍ୱାମୀଜୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବାକୁ ଫୁଲବାଣୀ ମେଡିକାଲ କଲେଜର ନାମକରଣ ଓ ଜଲେଶପେଟା ଆଶ୍ରମ ପାଇଁ ୧୩ କୋଟିର ଅନୁଦାନ। ଏହାକୁ ନେଇ ଚର୍ଚ୍ଚା ଭିତରେ ପ୍ରଶ୍ନ ଉଠୁଛି, ଏହି ସକ୍ରିୟତା ହଠାତ୍ କାହିଁକି ? ସ୍ୱାମୀଜୀଙ୍କ ପ୍ରତି ସମ୍ମାନ ନା ଆଉ କିଛି ବଡ଼ ରଣନୀତି ରହିଛି। ଦୁଇ ବର୍ଷ ପରେ ସରକାରଙ୍କର ସ୍ବାମୀଜୀଙ୍କ କଥା କାହିଁକି ମନେ ପଡ଼ିଲା କହି ବିଜେଡି ପ୍ରଶ୍ନ କରିଥିବା ବେଳେ କଡ଼ା ଜବାବ ଦେଇଛି ବିଜେପି।
ଗୋଟିଏ ଦିନ, ତିନିଟି ବଡ଼ ନିଷ୍ପତ୍ତି। ଯାହାକୁ ନେଇ ବଢ଼ିଛି ରାଜନୈତିକ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀଙ୍କର ଏଭଳି ନିଷ୍ପତ୍ତି ପଛରେ କଣ କାରଣ ? ହଠାତ୍ କାହିଁକି ଏମିତି ପଦକ୍ଷେପ ନେଲେ ସରକାର ? ଜୁନ୍ ୧୦ରେ ସିଏମଓରୁ ଫାଇଲ ଗାୟବ ନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା।
ଦେଢ଼ ମାସ ଧରି ତଦନ୍ତ ପରେ ବି କୌଣସି ଠୋସ ସଫଳତା ନ ମିଳିବାରୁ ମାମଲା କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ନାଇଡୁ କମିଶନ ରିପୋର୍ଟ ଗାୟବ କଥା ଗତବର୍ଷ ଅକ୍ଟୋବରରେ ଜାଣିଥିଲେ ମୋହନ ସରକାର। ଏନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ମଗାଯାଇଥିଲା।
ଉତ୍ତର ସନ୍ତୋଷଜନକ ନ ହେବାରୁ ଏଫଆଇଆର ରୁଜୁ ହୋଇଥିଲା। ଏବେ ସ୍ବାମୀ ଲକ୍ଷ୍ମଣାନନ୍ଦ ଘଟଣାକୁ ନେଇ ସରକାରଙ୍କ ସକ୍ରିୟତା କେଉଁ ଦିଗକୁ ଇସାରା କରୁଛି। ସ୍ୱାମୀଜୀଙ୍କୁ ସମ୍ମାନ ଜଣାଇବା ପାଇଁ ନା ନାଇଡୁ କମିଶନ ରିପୋର୍ଟକୁ ନେଇ ଆଗକୁ ବଡ଼ ପଦକ୍ଷେପର ସଙ୍କେତ ? ତେବେ ଜଲେଶପେଟା ଆଶ୍ରମର ସମ୍ପାଦିକା କହିଛନ୍ତି, ସ୍ୱାମୀଜୀଙ୍କ ପ୍ରକୃତ ସମ୍ମାନ ସେତେବେଳେ ହେବ ଯେତେବେଳେ ତାଙ୍କ ହତ୍ୟାକାରୀମାନେ ଦଣ୍ଡ ପାଇବେ।
ଫାଇଲ୍ ଗାୟବ ତନାଘନା ଓ ସ୍ବାମୀଜୀଙ୍କ ଉଦ୍ଦେଶ୍ୟରେ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଦଳ କହିଛି, ବିଜେପି ଦୁଇ ବର୍ଷ କ୍ଷମତାରେ ରହିବା ପରେ ହଠାତ୍ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ କଥା କାହିଁକି ମନେପଡ଼ିଲା ? ଏହା ପଛରେ କୌଣସି ଅଭିସନ୍ଧି ଥାଇପାରେ। ଜବାବରେ ବିଜେପି କହିଛି, ସ୍ବାମୀଜୀଙ୍କ ସେବା ଓ ଆଦର୍ଶକୁ ସମ୍ମାନ ଜଣାଇବାକୁ ଏହି ନିଷ୍ପତ୍ତି। ଫାଇଲ ଗାୟବ ଘଟଣାରେ କିଛି ଅଧିକାରୀଙ୍କୁ ଜେରା ହୋଇଛି। କ୍ରାଇମବ୍ରାଞ୍ଚ ତଦନ୍ତରୁ ସତ ସାମନାକୁ ଆସିବ ଓ ଦୋଷୀ ଖସିପାରିବେନି।
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଆକ୍ସନ ମୋଡ୍କୁ ଆସିଛନ୍ତି ସରକାର। ଏବେ ଦେଖିବାର କଥା ଆଗକୁ ଏହା କେଉଁ ମୋଡ଼ ନେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।