Supremecourt: ଘରୋଇ ମେଡିକାଲ କଲେଜ ଫି’ ସରକାରୀ କଲେଜ ଭଳି ହୋଇପାରିବନି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୫।୬: ଘରୋଇ ମେଡିକାଲ କଲେଜଗୁଡ଼ିକୁ ସରକାରୀ କଲେଜ ଭଳି ଫି’ ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ବେସରକାରୀ କଲେଜ ସରକାରୀ କଲେଜ ଭଳି ହୋଇପାରିବ ନାହିଁ । ସୁପ୍ରିମକୋର୍ଟ ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ତତ୍ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍)ର ଆୟ ସୀମା ଏବଂ ଘରୋଇ ମେଡିକାଲ କଲେଜରେ ଫି’ ଢାଞ୍ଚାକୁ ଚ୍ୟାଲେଞ୍ଜ କରି ଆଗତ ଏକ ପିଟିସନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପିଟିସନରେ ଇଡବ୍ଲ୍ୟୁଏସ୍ ବର୍ଗ ପାଇଁ ବାର୍ଷିକ ୮ ଲକ୍ଷ ଟଙ୍କା ଆୟ ସୀମା ରଖାଯିବା ଏବଂ ଘରୋଇ ମେଡିକାଲ କଲେଜରେ ବିପୁଳ ଫି’ ଭରିବାକୁ ନେଇ ପ୍ରଶ୍ନ ଉଠାଯାଇଥିଲା । ଇଡବ୍ଲ୍ୟୁଏସ୍ କୋଟାରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେଉଥିବା ଅନେକ ଛାତ୍ରଛାତ୍ରୀ ଏମ୍ବିବିଏସ୍ କୋର୍ସ ଖର୍ଚ୍ଚ ଉଠାଇ ପାରୁନାହାନ୍ତି, କାରଣ ଏହାର ବାର୍ଷିକ ଫି’ ପ୍ରାୟ ୧୯ ଲକ୍ଷରୁ ୨୫ ଲକ୍ଷ ଟଙ୍କା ରହୁଥିବା ପିଟିସନରେ କୁହାଯାଇଥିଲା ।
ତେବେ ଘରୋଇ ମେଡିକାଲ କଲେଜ ଫି’ ର ଢାଞ୍ଚା ବଦଳାଯିବା ଠିକ୍ ନୁହେଁ ବୋଲି ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଦେଇଥିବା ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଜଷ୍ଟିସ୍ ବି ଭି ନାଗରତ୍ନା ଓ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚିଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି, ଯେଉଁଥିରେ ରାଜ୍ୟ ଶୁଳ୍କ ନିୟାମକ କମିଟି ଦ୍ୱାରା ଧାର୍ଯ୍ୟ ଶୁଳ୍କ ଢାଞ୍ଚାକୁ ଆଇନତଃ ବୈଧ ଦର୍ଶାଯାଇଥିଲା । ବେସରକାରୀ ମେଡିକାଲ କଲେଜଗୁଡ଼ିକରେ ମାତ୍ରାଧିକ ଫି’ ନିଆଯାଉଥିବା କହି ପିଟିସନର ଯୁକ୍ତି ରଖିଥିଲେ ଯେ, ଯେତେବେଳେ ଇଡବ୍ଲ୍ୟୁଏସ୍ ବର୍ଗର ବାର୍ଷିକ ଆୟ ସୀମା ୮ ଲକ୍ଷ ଟଙ୍କା ସେତେବେଳେ ସେମାନେ କିଭଳି ବର୍ଷକୁ ୧୮ ଲକ୍ଷରୁ ୨୫ ଲକ୍ଷ ଟଙ୍କା ଫି’ ଦେଇପାରିବେ । ଏତେ ଫି’ ହେବା ଯୋଗୁ ସଂରକ୍ଷଣ ପାଇଁ ଯୋଗ୍ୟ ହୋଇଥିଲେ ବି ଅନେକ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀ ମେଡିକାଲ ପାଠ ପଢ଼ିପାରୁ ନାହାନ୍ତି । ଏହା ଉପରେ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଥିଲେ, ବେସରକାରୀ ଏବଂ ସରକାରୀ ଶିକ୍ଷାନୁଷ୍ଠାନର ଆର୍ଥିକ ମଡେଲ ଭିନ୍ନ । ତେଣୁ ସେମାନଙ୍କ ଉପରେ ଏକା ଭଳି ଫି’ ଷ୍ଟ୍ରକଚର ଲାଗୁ ହୋଇପାରିବ ନାହିଁ । ସରକାରୀ କଲେଜଗୁଡ଼ିକ ସରକାରଙ୍କଠାରୁ ଅନୁଦାନ ପାଇଥାନ୍ତି । କିନ୍ତୁ ଘରୋଇ କଲେଜ ତାହା ପାଇ ନ ଥାନ୍ତି । ସେମାନେ ନିଜ ବ୍ୟବସ୍ଥା ନିଜେ କରିଥାନ୍ତି । ଖଣ୍ଡପୀଠ ଆହୁରି କହିଛନ୍ତି, ବେସରକାରୀ ମେଡିକାଲ କଲେଜଗୁଡ଼ିକର ଫି’ ସରକାରୀ କଲେଜ ଭଳି କରାଗଲେ ଚିକିତ୍ସା କ୍ଷେତ୍ରରେ ସେମାନଙ୍କ ଯୋଗଦାନ ହ୍ରାସ ପାଇବ । ଯେଉଁ ଛାତ୍ରଛାତ୍ରୀ ବେସରକାରୀ ମେଡିକାଲ କଲେଜର ଫି’ ଦେବାକୁ ଅସମର୍ଥ ସେମାନେ ବୃତ୍ତି, ସବ୍ଭେନସନ (ଆର୍ଥିକ ସହାୟତା) କିମ୍ବା ଅନ୍ୟାନ୍ୟ ସହଯୋଗର ବିକଳ୍ପ ଖୋଜି ପାରିବେ । ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ, ମେଡିକାଲ କଲେଜଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି ସମ୍ପର୍କିତ ନିୟମ ଯୋଗୁ କେତେକ ସିଟ୍କୁ ସାଧାରଣ ବର୍ଗର ସିଟ୍ରେ ପରିଣତ କରିବାକୁ ଅନୁମତି ମିଳୁଛି, ଯାହା ଶିକ୍ଷାର ସୁଲଭତା ଏବଂ ସୁଯୋଗ ପାଇବା ନେଇ ଚିନ୍ତା ବଢ଼ାଉଛି ।
ଏହା ବି ପଢ଼ନ୍ତୁ... Bengaluru Family Drowned: ଜୀବନର ଶେଷ ସେଲଫି ! କାବେରୀ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଗୋଟିଏ ପରିବାରର ୪ ମହିଳାଙ୍କ ସହ ଡ୍ରାଇଭର
ଏ ନେଇ ଜଷ୍ଟିସ୍ ନାଗରତ୍ନା କହିଲେ, ନାମଲେଖା ପାଇଁ କ୍ୟାପିଟେସନ ଫି’ ବେଆଇନ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ସରକାରୀ କଲେଜ ସହ ସମାନ ଫି’ ନେବାକୁ ବାଧ୍ୟ ହେବେ । ଏପରି ହେଲେ ବେସରକାରୀ ଶିକ୍ଷାନୁଷ୍ଠାନ ସେମାନଙ୍କ ଅନୁଷ୍ଠାନ ବନ୍ଦ କରି ଅନ୍ୟ ବ୍ୟବସାୟ ଆଡ଼କୁ ଚାଲିଯିବେ । ଦେଶରେ ଅଧିକ ଡାକ୍ତରଙ୍କ ଆବଶ୍ୟକତା ରହିଛି । ଦେଶର ଚିକିତ୍ସା ଶିକ୍ଷା କ୍ଷମତା ବୃଦ୍ଧି କରିବାରେ ବେସରକାରୀ ମେଡିକାଲ କଲେଜଗୁଡ଼ିକର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହାପରେ ସୁପ୍ରିମକୋର୍ଟ ପିଆଇଏଲ୍ ଖାରଜ କରିଦେବା ସହ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ । ତେବେ ଏହି ମାମଲାରେ ଅନେକ ଆଇନଗତ ପ୍ରସଙ୍ଗ ଅଛି ଯାହା ଏବେ ଅବୁଝା ହୋଇ ରହିଛି । ଏହା ଉପରେ ଯଦି କୌଣସି ଆଇନଗତ ପ୍ରଶ୍ନ ଥାଏ ତେବେ ତାହାର ବିଚାର ଅଦାଲତ କରିପାରିବେ ବୋଲି ସୁପ୍ରିମକୋର୍ଟ ଦର୍ଶାଇଥିଲେ ।