Supreme Court: ସୁପ୍ରିମକୋର୍ଟ ବୁଝିଲେ ବୁଲା କୁକୁରଙ୍କ ମନ, ବନ୍ଧ୍ୟାକରଣ ଓ ଟିକାକରଣ ପରେ ଛାଡ଼ିବାକୁ ନିର୍ଦ୍ଦେଶ

ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ରୋକ୍ ଲାଗିଛି। କେବଳ ଦିଲ୍ଲୀ ନୁହେଁ, ସାରା ଦେଶରେ ଏହି ନିୟମ ଲାଗୁ ପାଇଁ ସବୁ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଯାହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଖୁସିର

22 August 2025 10:20 PM IST
Supreme Court: ସୁପ୍ରିମକୋର୍ଟ ବୁଝିଲେ ବୁଲା କୁକୁରଙ୍କ ମନ, ବନ୍ଧ୍ୟାକରଣ ଓ ଟିକାକରଣ ପରେ ଛାଡ଼ିବାକୁ ନିର୍ଦ୍ଦେଶ

ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ରୋକ୍ ଲାଗିଛି। କେବଳ ଦିଲ୍ଲୀ ନୁହେଁ, ସାରା ଦେଶରେ ଏହି ନିୟମ ଲାଗୁ ପାଇଁ ସବୁ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଯାହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିବା ବେଳେ, ଭୁବନେଶ୍ବରରେ କୁକୁର ଗଣନା ହେବାକୁ ଯାଉଥିବା ସୂଚନା ମିଳିଛି।   

ବୁଲା କୁକୁରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି। ଅସୁସ୍ଥ ଓ ହିଂସ୍ର କୁକୁରଙ୍କ ବ୍ୟତୀତ ଦିଲ୍ଲୀ NCRରେ ଆଶ୍ରୟସ୍ଥଳକୁ ନିଆଯାଇଥିବା ସମସ୍ତ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ବାହାରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ରୋକ୍ ଲାଗିଛି। କେବଳ ଦିଲ୍ଲୀ ନୁହେଁ, ସାରା ଦେଶରେ ଏହି ନିୟମ ଲାଗୁ ପାଇଁ ସବୁ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଯାହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିବା ବେଳେ, ଭୁବନେଶ୍ବରରେ କୁକୁର ଗଣନା ହେବାକୁ ଯାଉଥିବା ସୂଚନା ମିଳିଛି।   

ଦିଲ୍ଲୀବାସୀଙ୍କୁ କୁକୁର ଉତ୍ପାତରୁ ମୁକ୍ତି ଦେବା ପାଇଁ, ୮ ସପ୍ତାହ ଭିତରେ NCRକୁ ବୁଲା କୁକୁର ମୁକ୍ତ କରିବାକୁ ଗତ ୧୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସେମାନଙ୍କୁ ଉଠାଇ ନେଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ପରେ, ଏହାକୁ ବିରୋଧ କରିଥିଲେ ପଶୁପ୍ରେମୀ ଓ ସେଲିବ୍ରିଟି। ତେବେ ଆଜି ଏହି ମାମଲାର ପୁନର୍ବିଚାର କରି ପୂର୍ବ ଆଦେଶକୁ ଅତି କଠୋର ଦର୍ଶାଇବା ସହ, ଆଶ୍ରୟସ୍ଥଳକୁ ନିଆଯାଇଥିବା କୁକୁରଙ୍କୁ ଯେଉଁ ଅଞ୍ଚଳରୁ ଉଠାଯାଇଥିଲା ପୁଣି ସେଠାରେ ଛାଡ଼ି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବନ୍ଧ୍ୟାକରଣ ସହ ଜଳାତଙ୍କ ଟିକା ଓ କୃମି ଔଷଧ ଦେଇ ସେମାନଙ୍କୁ ଛଡ଼ାଯିବ। ଜଳାତଙ୍କ ସଂକ୍ରମିତ ଏବଂ ହିଂସ୍ର କୁକୁରଙ୍କୁ ଛଡ଼ାଯିବ ନାହିଁ।

ଏଥିସହ ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖୁଆଇବା ଉପରେ ରୋକ୍ ଲଗାଇବା ସହ, ଖାଦ୍ୟ ଦେବା ପାଇଁ ପ୍ରତ୍ୟେକ ୱାର୍ଡରେ ଫିଡିଂ ସ୍ପେଶ୍ ବା ଏକ ନିର୍ଦ୍ଦିଷ୍ଟ ସ୍ଥାନ ବ୍ୟବସ୍ଥା କରିବାକୁ ଦିଲ୍ଲୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। କୌଣସି ସ୍ଥିତିରେ ରାସ୍ତାଘାଟରେ କୁକୁରଙ୍କୁ ଖାଇବାକୁ ଦେଇହେବ ନାହିଁ ଏବଂ ଏଭଳି କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ପୂର୍ବ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇବା ସହ ଏହି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦୀପ ମେହଟା ଓ NV ଅଞ୍ଜାରିଆଙ୍କୁ ନେଇ ଗଠିତ ୩ ଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ। ଯାହାକି ପଶୁପ୍ରେମୀଙ୍କ ମଧ୍ୟରେ ଆଶ୍ବସ୍ତି ଆଣିଛି।

କେବଳ ଦିଲ୍ଲୀ ନୁହେଁ, ସାରା ଦେଶରେ ଲାଗୁ ହେବ ଏହି ନିୟମ। ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏକ ଚୂଡ଼ାନ୍ତ ଜାତୀୟ ନୀତି ଆଣିବା ପାଇଁ ବିଭିନ୍ନ ହାଇକୋର୍ଟରେ ପେଣ୍ଡିଂ ଥିବା ଏହିଭଳି ସମାନ ଧରଣର ମାମଲା ଗୁଡ଼ିକୁ ସର୍ବୋଚ୍ଚ ଅଦାଲତକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ କୁକୁର ପୋଷ୍ୟ ଗ୍ରହଣ କରିବାକୁ ଚାହୁଁଥିବା ଲୋକେ ମହାନଗର ନିଗମରେ ଆବେଦନ କରିପାରିବେ, କିନ୍ତୁ ଥରେ ପୋଷ୍ୟ ନେଲା ପରେ ଆଉ ସେ କୁକୁରକୁ ରାସ୍ତାରେ ଛାଡ଼ିଦେଇପାରିବେ ନାହିଁ ବୋଲି ଚେତାଇଛନ୍ତି କୋର୍ଟ। ଏଥିସହ ଏହି ମାମଲାରେ କୋର୍ଟକୁ ଯାଇଥିବା ପ୍ରତ୍ୟେକ ପଶୁପ୍ରେମୀଙ୍କୁ ୭ ଦିନ ଭିତରେ ୨୫ହଜାର ଟଙ୍କା ଓ NGOଙ୍କୁ ୨ ଲକ୍ଷ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏହି ଅର୍ଥ କୁକୁରଙ୍କ ହିତ ପାଇଁ ଭିତ୍ତିଭୂମି ନିର୍ମାଣରେ ଉପଯୋଗ ହେବ। ସୁପ୍ରିମକୋର୍ଟଙ୍କ ଆଜିର ରାୟକୁ ସ୍ବାଗତ କରି ପେଟା ଇଣ୍ଡିଆ ସୋସିଆଲ ମିଡିଆରେ ଲେଖିଛି ଯେ, ଅଧିକାଂଶ ଲୋକ ସେରୁ, ମୋତି ଓ ରାଣୀଙ୍କୁ ନିଜ ପ୍ରିୟ ପଡ଼ୋଶୀ ଓ ବନ୍ଧୁ ଭାବନ୍ତି ବୋଲି ପ୍ରମାଣିତ ହେଲା। ସବୁ ଗଳିରେ ଫିଡିଂ ସ୍ପଟ୍ କରିବାକୁ ପୌରାଞ୍ଚଳ ଗୁଡ଼ିକୁ ଅପିଲ୍ କରିଛି ପେଟା। 

ରାଜ୍ୟ ରାଜଧାନୀରେ ବି ବୁଲା କୁକୁରଙ୍କ ସଂଖ୍ୟା କିଛି କମ୍ ନୁହେଁ। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଅଛନ୍ତି ୮୦ ହଜାରରୁ ଅଧିକ କୁକୁର। ତେବେ ବୁଲା କୁକୁରଙ୍କ ପ୍ରକୃତ ସଂଖ୍ୟା ଗଣନା ପାଇଁ ଅଣ୍ଟା ଭିଡ଼ୁଛି ବିଏମସି। ଏଥିପାଇଁ କୁକୁରଙ୍କ କାନରେ ଟ୍ୟାଗ୍ ଲଗାଯିବ ବୋଲି ସୂଚନା ମିଳିଛି। ସେପଟେ ଏଯାଏଁ ସୁପ୍ରିମକୋର୍ଟରୁ ବିଏମସିକୁ କୌଣସି ଚିଠି ମିଳିନାହିଁ। ସରକାର ଜାଗା ଯୋଗାଇ ଦେଲେ କୁକୁରଙ୍କୁ ଖାଦ୍ୟ ଦେବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଏମସି ମେୟର୍।

Disclaimer: This content has been automatically aggregated from television for informational purposes. To read the original article, please visit television.