Supreme court Ruckus, Law Students Arrested: ସୁପ୍ରିମକୋର୍ଟରେ ହଙ୍ଗାମା ଓ ପ୍ରଧାନ ବିଚାରପତିଙ୍କୁ ଗାଳିଗୁଲଜ, ଦୁଇ ଆଇନ ଛାତ୍ର ଗିରଫ

Jul 15, 2026 - 14:20
Supreme court Ruckus, Law Students Arrested: ସୁପ୍ରିମକୋର୍ଟରେ ହଙ୍ଗାମା ଓ ପ୍ରଧାନ ବିଚାରପତିଙ୍କୁ ଗାଳିଗୁଲଜ, ଦୁଇ ଆଇନ ଛାତ୍ର ଗିରଫ

ସୁପ୍ରିମକୋର୍ଟ ପରିସରରେ ବିଚାର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଏବଂ ବିଚାରପତିଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଦୁଇଜଣ ଆଇନ ଛାତ୍ରଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିଜେ ଆବେଦନକାରୀ ଅଛନ୍ତି। ପ୍ରବଳ ପ୍ରତାପ ସିଂହ (୨୪) ଯିଏ କି ଉତ୍ତର ପ୍ରଦେଶର ଇଟାୱାର ବାସିନ୍ଦା ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଆଇନ ଛାତ୍ର। ସେ ନିଜେ ଏହି ମାମଲାର ମୁଖ୍ୟ ଆବେଦନକାରୀ ଥିଲେ। ଚନ୍ଦ୍ର ଭାନ (୨୩) ରାୟବରେଲୀର ବାସିନ୍ଦା ଏବଂ ସେହି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ଆଇନ ଛାତ୍ର।

ପ୍ରକୃତ ଘଟଣାଟି କ’ଣ ଥିଲା?

ଜୁଲାଇ ୧୦ ତାରିଖ ଦିନ Supreme Court ର କୋର୍ଟ ନମ୍ବର ୧୩ ରେ ଜଷ୍ଟିସ କେ.ଭି. ବିଶ୍ୱନାଥନ ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠରେ ପ୍ରବଳ ବ୍ରତାପ ସିଂହ ବନାମ ଉତ୍ତରପ୍ରଦେଶ ମାମଲାର ଶୁଣାଣି ଚାଲିଥିଲା। ଏମାନେ ନିଜ ପକ୍ଷ ରଖିବାକୁ ଆସିଥିଲେ। ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପ୍ରବଳ ପ୍ରତାପ ଏହି ଆବେଦନ କରିଥିଲେ ଏବଂ କୌଣସି ଓକିଲଙ୍କ ବିନା ନିଜେ କୋର୍ଟରେ ପକ୍ଷ ରଖୁଥିଲେ।

ଶୁଣାଣି ଆରମ୍ଭ ହେବା ମାତ୍ରେ ପ୍ରବଳ ପ୍ରତାପ ଆଇନଗତ ଯୁକ୍ତି କରିବା ବଦଳରେ ଉତକ୍ଷିପ୍ତ ହୋଇ ବିଚାରପତିଙ୍କୁ କହିଥିଲେ, "ମିଷ୍ଟର ଜୁଡିସିଆଲ ସର୍ଭାଣ୍ଟ (ନ୍ୟାୟିକ ସେବକ), ମୁଁ ଆପଣଙ୍କୁ ଆଦେଶ ଦେଉଛି ଯେ ଆପଣ ଲକ୍ଷ୍ନୌର ଆସିଷ୍ଟାଣ୍ଟ କମିଶନର ଅଫ୍ ପୋଲିସ (ACP) ଙ୍କ ବିରୋଧରେ FIR ରୁଜୁ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ।"
ଏହା ଶୁଣି ଜଷ୍ଟିସ ବିଶ୍ୱନାଥନ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରିଥିଲେ, "ଆପଣ ଆମକୁ ଆଦେଶ ଦେଉଛନ୍ତି?" ଏହାପରେ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ପ୍ରବଳ ପ୍ରତାପ ନିଜ କେସ୍ ଫାଇଲ୍‌ପତ୍ରକୁ କୋର୍ଟରୁମ୍ ଭିତରେ ଫିଙ୍ଗିବା ସହ ବିଚାରପତିମାନଙ୍କୁ ଅଶ୍ଳୀଳ ଭାବେ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ, କୋର୍ଟରୁମ୍‌ରୁ ବାହାରକୁ ନିଆଯାଉଥିବା ସମୟରେ ସେ ଭାରତର ପ୍ରଧାନ ବିଚାରପତି (CJI) ଙ୍କ ବିରୋଧରେ ମଧ୍ୟ ଅପଶବ୍ଦ ପ୍ରୟୋଗ କରି ହଙ୍ଗାମା କରିଥିଲେ।

ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଓ ଗିରଫଦାରୀ

ଯେତେବେଳେ ସୁପ୍ରିମକୋର୍ଟର ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇବାକୁ ଏବଂ କୋର୍ଟରୁମ୍ ଶାନ୍ତି ରକ୍ଷା କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ପ୍ରବଳ ପ୍ରତାପ ଓ ତାଙ୍କ ସହଯୋଗୀ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି କରିବା ସହ ଆକ୍ରମଣ କରିଥିଲେ।

ସୁପ୍ରିମକୋର୍ଟ ସୁରକ୍ଷା କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀର ତିଲକ ମାର୍ଗ ଥାନାରେ ଏକ FIR ରୁଜୁ କରାଯାଇଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଆଇନ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ କିଛି ଆପତ୍ତିଜନକ ପାମ୍ପଲେଟ୍ ମଧ୍ୟ ଜବତ କରାଯାଇଛି।

ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଗୁରୁତର ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ଧାରା ୧୩୨: ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ବା ଅପରାଧିକ ବଳ ପ୍ରୟୋଗ କରିବା, ଧାରା ୨୨୧: ସରକାରୀ କାର୍ଯ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିବା, ଧାରା ୨୨ ୪: ସରକାରୀ କର୍ମଚାରୀଙ୍କୁ ଧମକ ଚମକ ଦେବା, ଧାରା ୩(୫): ସମାନ ଉଦ୍ଦେଶ୍ୟ ରଖି ଅପରାଧ ଘଟାଇବା ଧାରା ଲାଗିଛି।

କୋର୍ଟ ଏବଂ ପୋଲିସର ପରବର୍ତ୍ତୀ ଆଭିମୁଖ୍ୟ

ଗିରଫ ପରେ ଦୁଇ ଛାତ୍ରଙ୍କୁ ମାନସିକ ସ୍ଥିତି ଯାଞ୍ଚ ପାଇଁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ବିହେଭିୟର୍ ଆଣ୍ଡ ଆଲାଇଡ୍ ସାଇନ୍ସେସ୍ (IHBAS) କୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ସେମାନଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ଠିକ୍ ଥିବା ଦର୍ଶାଇଛନ୍ତି। ପଟିଆଲା ହାଉସ୍ କୋର୍ଟ ସେମାନଙ୍କୁ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି।

ତେବେ ଜୁଲାଇ ୧୦ ର ଏହି ଘଟଣା ସତ୍ତ୍ୱେ ସୁପ୍ରିମକୋର୍ଟର ଖଣ୍ଡପୀଠ ଆବେଦନକାରୀଙ୍କ ପରିସ୍ଥିତିକୁ ବିଚାର କରି ତାଙ୍କ ବିରୋଧରେ କୋର୍ଟ ଅବମାନନା (Contempt of Court) ଭଳି କୌଣସି କାର୍ଯ୍ୟାନୁଷ୍ଠାନ ନିଜ ଆଡୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। କିନ୍ତୁ କୋର୍ଟ ପରିସରରେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଓ ବିଶୃଙ୍ଖଳା କରିଥିବାରୁ ପୋଲିସ ନିଜ ଆଡୁ ଏହି ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଛାତ୍ରଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।