Sujata Kartikeyan’s Possible BJD Entry: ବିଜେଡି ରାଜନୀତିରେ ବଡ଼ ହଲଚଲ, ଶଙ୍ଖ ଶିବିରରେ ଏଣ୍ଟ୍ରି କରିପାରନ୍ତି ସୁଜାତା!
ସ୍ବାମୀ ଭିକେ ପାଣ୍ଡିଆନଙ୍କ ସନ୍ନ୍ୟାସ ପରେ ବିଜେଡିର ମଙ୍ଗ ଧରିବେ କି ସୁଜାତା କାର୍ତ୍ତିକେୟନ? ଏ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ନବୀନ ନିବାସରେ ଆଜି ଏନେଇ ବୈଠକ ଅନୁଷ୍ଠିତ ହୋଇଛି। ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ଟୁକୁନି ସାହୁଙ୍କ ଭଳି ବରିଷ୍ଠଙ୍କ ସହ ଆଲୋଚନା କରିଛନ୍ତି ନବୀନ। କିନ୍ତୁ ବୈଠକ ପରେ ଏନେଇ କେହି କିଛି ମୁହଁ ଖୋଲି ନାହାନ୍ତି।
ସେପଟେ କିନ୍ତୁ ସୋସିଆଲ୍ ମିଡ଼ିଆରେ ସୁଜାତାଙ୍କୁ ନେଇ ପୋଷ୍ଟର ଛାଇଯାଇଛି। ନବୀନ ଦିଲ୍ଲୀରୁ ଫେରିବା ପରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା ବଢିଛି। କିଛି ଦିନ ତଳେ ମନ୍ମଥ ରାଉତରାୟ, ଗଣେଶ୍ବର ବେହେରା, ଚିନ୍ମୟ ସାହୁ ଓ ମହେଶ୍ବର ସାହୁଙ୍କ ଭଳି ନେତା ସୁଜାତାଙ୍କୁ ସମର୍ଥନରେ ଖୋଲାଖୋଲି ବାହାରିଥିଲେ। ଯେଉଁଥିରୁ ସ୍ପଷ୍ଟ ହେଉଥିଲା ଯେ, ନବୀନ ଏବେ ସୁଜାତାଙ୍କୁ ଗ୍ରୀନ୍ ସିଗନାଲ୍ ଦେଇଥିବା ଖବର ପ୍ରୋ ପାଣ୍ଡିଆନ୍ ଗ୍ରୁପ୍ ନେତାଙ୍କ ପାଖରେ ପହଞ୍ଚିଛି। ଆଜି ନବୀନ ନିବାସ ବୈଠକ ପରେ ବିଜେଡି ରାଜନୈତିକ ବ୍ୟାପାର କମିଟି ସଦସ୍ୟା ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଖୋଲାଖୋଲି ସୁଜାତାଙ୍କୁ ସମର୍ଥନ କରିଛନ୍ତି। ଏପରିକି ସେ ଆସିଲେ ଆମେ ସ୍ବାଗତ କରିବୁ ବୋଲି କହିଛନ୍ତି। ଆଉ କିଛି କହିଛନ୍ତି ପାଣ୍ଡିଆନ୍ ନେତାଙ୍କୁ ସାଙ୍ଗରେ ନନେଇ ବୁଲିଲେ ବୋଲି ଦଳ ପରାଜିତ ହେଲା। ସୁଜାତା ଆସିଲେ ଅସୁବିଧା ନାହିଁ। ଅନ୍ୟପଟେ ବିଜେଡି ନେତା ସମ୍ବିତ ରାଉତରାୟ ତେରଚ୍ଛା ବାଣ ମାରି କହିଛନ୍ତି, ସୁଜାତା ନବୀନଙ୍କ ଉତ୍ତରାଧିକାରୀ ନୁହଁନ୍ତି । ଗୃହ ପ୍ରବେଶ କରନ୍ତୁ, ପରେ ଆମେ ବାସ୍ତୁ ଦୋଷ ଦେଖିବୁ।
ସୁଜାତାଙ୍କ ବିଜେଡି ଏଣ୍ଟ୍ରି ଚର୍ଚ୍ଚାକୁ ଆହୁରି ସ୍ପଷ୍ଟ କରିଛନ୍ତି ବିଜେଡିର ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର। ସୋସିଆଲ୍ ମିଡିଆ ପୋଷ୍ଟରେ ଆସନ୍ତାକାଲି ନିର୍ଜଳା ଏକାଦଶୀ ଉପଲକ୍ଷେ ତାମିଲ ବୋହୂଙ୍କୁ ବିଜେଡିରେ ମିଶ୍ରଣ କରାଯିବ କହି ଟାର୍ଗେଟ କରିଛନ୍ତି। ଅନ୍ୟପଟେ ବିଜେଡି ସୁପ୍ରିମୋଙ୍କ ପାଇଁ ସୁଜାତାଙ୍କ ଏଣ୍ଟ୍ରି ବହୁ ଚାଲେଞ୍ଜକୁ ଆମନ୍ତ୍ରଣ ଦେବ। ଦଳର କିଛି ବରିଷ୍ଠ ଓ ଯୁବ ନେତାଙ୍କ ଗୋଷ୍ଠୀ ସୁଜାତାଙ୍କ ଏଣ୍ଟ୍ରିକୁ ଖୋଲାଖୋଲି ବିରୋଧ କରୁଛନ୍ତି। ସେମାନଙ୍କୁ କିଭଳି ସନ୍ତୁଷ୍ଟ କରାଯିବ ତାହା ବଡ଼ ଚାଲେଞ୍ଜ। ସୁଜାତା ଆସିବା ପରେ ତାଙ୍କୁ କେଉଁ ପଦବୀ ଦେବେ ନବୀନ ? ତାହା ମଧ୍ୟ ବଡ଼ ପ୍ରଶ୍ନ। ଅପରପକ୍ଷେ ପୁରା ଘଟଣାରେ ବିଜେଡି ପାୱାର କରିଡରରୁ ଦୂରରେ ରହୁଥିବା ବବି ଦାସଙ୍କ ଭୂମିକା କଣ ହେବ ? ସେ କିଛି ଖେଳ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ନବୀନ ଶଙ୍ଖ ଭବନରେ ଏକ ବଡ଼ ବୈଠକ ଡକାଇଛନ୍ତି। ବିଧାୟକ ଓ କିଛି ସିନିୟର ଲିଡରଙ୍କ ସହ ଛାମୁଆ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହିବେ। ସେହିଠାରେ ହିଁ ସୁଜାତା ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି।