Sudesh Berry's Controversial Remark: ଯଦି କେବେ ମୋଦିଜୀଙ୍କ ସହ ଭେଟ ହୁଏ, ତେବେ ତାଙ୍କ ପାଦ ଧୋଇ ସେହି ପାଣି ପିଇବି: ବଲିଉଡ ଅଭିନେତା

Jul 31, 2026 - 17:09
Sudesh Berry's Controversial Remark: ଯଦି କେବେ ମୋଦିଜୀଙ୍କ ସହ ଭେଟ ହୁଏ, ତେବେ ତାଙ୍କ ପାଦ ଧୋଇ ସେହି ପାଣି ପିଇବି: ବଲିଉଡ ଅଭିନେତା

ବଲିଉଡ ଅଭିନେତା ସୁଦେଶ ବେରି ତାଙ୍କ ଏକ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏକ ପଡ୍‌କାଷ୍ଟ ସାକ୍ଷାତକାରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ନିଜର ଗଭୀର ସମ୍ମାନ ପ୍ରକାଶ କରି କହିଛନ୍ତି, "ଯଦି ମୋର କେବେ ମୋଦିଜୀଙ୍କ ସହ ଭେଟ ହୁଏ, ତେବେ ମୁଁ ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ।" ତାଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି।

ପଡ୍‌କାଷ୍ଟରେ ଆଲୋଚନା ବେଳେ ହୋଷ୍ଟ ସୁଦେଶ ବେରିଙ୍କ ଏକ ପୁରୁଣା ଇନ୍‌ଷ୍ଟାଗ୍ରାମ ଭିଡିଓ ଦେଖାଇଲେ। ସେହି ଭିଡିଓରେ ଅଭିନେତା ନିଜ ମା'ଙ୍କ ପାଦ ଧୋଉଥିବା ଦେଖାଯାଇଥିଲା। ଏହାର ପ୍ରତିକ୍ରିୟାରେ ସେ ମୋଦିଙ୍କୁ ନେଇ ଏହି ମନ୍ତବ୍ୟ ଦେଇଛନ୍ତି।

ସୁଦେଶ ବେରି କହିଛନ୍ତି, ସେ କେବେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନାହାନ୍ତି। କିନ୍ତୁ ଯେପରି ଭଗବାନଙ୍କୁ ନ ଦେଖି ମଧ୍ୟ ଲୋକେ ତାଙ୍କୁ ପୂଜା କରନ୍ତି, ସେହିପରି ସେ ମୋଦିଙ୍କୁ ସମ୍ମାନ କରନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଏହି ସମ୍ମାନ କୌଣସି ରାଜନୈତିକ ଚିନ୍ତାଧାରା ପାଇଁ ନୁହେଁ, ବରଂ ଜଣେ ବ୍ୟକ୍ତି ଭାବରେ ମୋଦିଙ୍କ ପ୍ରତି।

ଅଭିନେତାଙ୍କ ମତରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ 'ରାମରାଜ୍ୟ' ଆଡ଼କୁ ଆଗେଇ ଚାଲିଛି। ସେ ମୋଦିଙ୍କୁ 'ବିଷ୍ଣୁଙ୍କ ଅବତାର' ବୋଲି ମଧ୍ୟ କହିଛନ୍ତି। ଏହାସହ ଆଧୁନିକ ଭାରତରେ ମଧ୍ୟ 'ପାଞ୍ଚ ପାଣ୍ଡବ' ଥିବା କହି ସେଥିରେ ନରେନ୍ଦ୍ର ମୋଦି, ଅମିତ ଶାହ, ଅଜିତ ଡୋଭାଲ ଓ ଯୋଗୀ ଆଦିତ୍ୟନାଥଙ୍କ ନାଁ ନେଇଛନ୍ତି। ତେବେ ପଞ୍ଚମ ବ୍ୟକ୍ତିଙ୍କ ନାଁ ସେ ପ୍ରକାଶ କରି ନାହାନ୍ତି।

ଏହି ସାକ୍ଷାତକାରରେ ସୁଦେଶ ବେରି 'କକରୋଚ ଜନତା ପାର୍ଟି (CJP)' ନାମକ ସଂଗଠନକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କେବଳ ଧାରଣା-ପ୍ରଦର୍ଶନ କରିବା ପରିବର୍ତ୍ତେ ସମାଜ ପାଇଁ ପାର୍କ, ବୃଦ୍ଧାଶ୍ରମ ଓ ଚିକିତ୍ସା ଭଳି କାର୍ଯ୍ୟ କରିବା ଅଧିକ ଆବଶ୍ୟକ।

ସୁଦେଶ ବେରିଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ୟୁଜର ତାଙ୍କ ମତକୁ ସମର୍ଥନ କରୁଥିବା ବେଳେ, ଅନ୍ୟପଟେ ଅନେକ ଲୋକ ଏହାକୁ ଅତିରଞ୍ଜିତ ବୋଲି ସମାଲୋଚନା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।