Sudden Egg Price Hike Hits Consumers Pocket: ବଜାରରେ ହଠାତ ବଢ଼ିଲା ଅଣ୍ଡା ଭାଉ, ନିଅଣ୍ଟିଆ ସ୍ଥିତିରେ ଖାଉଟିଙ୍କ ପକେଟକୁ ମାଡ଼
ସଣ୍ଡେ ହୋ ୟା ମଣ୍ଡେ, ରୋଜ୍ ଖାଓ ଅଣ୍ଡେ। ବଜରରେ ଅଣ୍ଡା ଭାଉ ହଠାତ ବଢ଼ିବା ପରେ ଏ ଲୋକପ୍ରିୟ ସ୍ଲୋଗାନ୍ ଏବେ ସାଧାରଣ ଖାଉଟିଙ୍କୁ ଆଉ ଠିକ୍ ଲାଗୁନି। କାରଣ ୟା ଭିତରେ ଅଣ୍ଡାର ଦର ୭ରୁ ବଢ଼ି ୮, ଆଉ କେଉଁଠି କେଉଁଠି ୯ ଟଙ୍କାରେ ବି ପହଞ୍ଚି ଯାଇଛି। ଇଏ ଭୁବନେଶ୍ବରର ସବୁଠୁ ବଡ଼ ୪ ନମ୍ବର ଆମିଷ ମାର୍କେଟ୍। ଏଠି ଆଜି ଅଣ୍ଡାର ଖୁଚୁରା ଦର ପ୍ରାୟ ୮ଟଙ୍କା। ସେହିଭଳି ଇଏ ବାଲେଶ୍ବରର ଅଣ୍ଡା ହୋଲସେଲ୍ ମାର୍କେଟ୍। ଏଠି ମଧ୍ୟ ଆଜି ୮ ଟଙ୍କା ଉପରେ ବିକ୍ରି ହେଉଛି ଅଣ୍ଡା। ସେହିଭଳି ରାଉରକେଲା ହେଉ କି ବ୍ରହ୍ମପୁର ସବୁଠି ଅଣ୍ଡାର ବଜାର ଭାଉ ଟଙ୍କାଏରୁ ଦେଢ଼ ଟଙ୍କା ବଢ଼ିଯିବା ପରେ ସାଧାରଣ ଲୋକଙ୍କ ପକେଟକୁ ବାଧିଛି।
ରୋଷେଇ ଘର ହେଉ କି ରେସ୍ତୋରାଁ। ହୋଟେଲରୁ ହଷ୍ଟେଲ ଆଉ ଫୁଡ୍ ଷ୍ଟଲ। ସବୁଠି ଅଣ୍ଡା ଏକ ଏକ ସବୁଦିନିଆ ଆଇଟମ୍ ମୁଖ୍ୟ ଉପଦାନ। କିନ୍ତୁ ଅଣ୍ଡାର ଦର ବୃଦ୍ଧି ପରେ କାର୍ଟୁନ୍ ଆଉ ପେଟି କିଣୁଥିବା ଗ୍ରାହକଙ୍କ ଉପରେ ବି ପଡ଼ିଛି ମହଙ୍ଗା ବୋଝ। ତେଣୁ ଅଣ୍ଡାକୁ ନେଇ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀ ମଧ୍ୟ ଆଗକୁ ଖାଦ୍ୟ ଦର ବଢାଇବା ନେଇ ଅନୁମାନ କରାଯାଉଛି।
ସେପଟେ ମାର୍କେଟରେ କାହିଁକି ହଠାତ ବଢ଼ିଲା ଅଣ୍ଡା ଦର, ତାର ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ କହିଛନ୍ତି, ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ଏବେ ଅଣ୍ଡାର ଚାହିଦା ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ବିଦେଶକୁ ଏବେ ଅଣ୍ଡାର ରପ୍ତାନୀ ବଢିଛି। ସେପଟେ ଗତ ବର୍ଷ ଗ୍ରୀଷ୍ଣ ଋତୁରେ ବହୁ ସଂଖ୍ୟାରେ କୁକୁଡ଼ା ମୃତ୍ୟୁ ବି ଅଣ୍ଡା ଦର ବୃଦ୍ଧିର ଅନ୍ୟତମ କାରଣ। ତେବେ ରାଜ୍ୟର ଚାହିଦା ଦୃଷ୍ଟିରୁ ଆଗକୁ ଉତ୍ପାଦନ ବଢାଇବାକୁ ଯୋଜନା ହେଉଛି। ରାଜ୍ୟ ସରକାର ଆଗକୁ ଦୈନିକ ୨ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।