13 JUNE 2026

Welcome!

Unlock your personalized experience.
Sign Up

State Cabinet : ରାଜ୍ୟ କ୍ୟାବିନେଟରେ ୫ ବିଭାଗର ୧୦ ପ୍ରସ୍ତାବକୁ ମୋହର, ସହରାଞ୍ଚଳ ଜଳତଟର ହେବ ବିକାଶ

Jun 09, 2026 - 05:49
State Cabinet : ରାଜ୍ୟ କ୍ୟାବିନେଟରେ  ୫ ବିଭାଗର ୧୦ ପ୍ରସ୍ତାବକୁ ମୋହର, ସହରାଞ୍ଚଳ ଜଳତଟର ହେବ ବିକାଶ

ଭୁବନେଶ୍ବର, ୮।୬ : ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଜଳ ସମ୍ପଦ,ପର୍ଯ୍ୟଟନ ଏବଂ ସହରାଞ୍ଚଳ ଉନ୍ନୟନକୁ ନେଇ ସରକାର ଅନେକ ବଡ଼ ଘୋଷଣା କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ ନେଇସୂଚନା ଦେଇଛନ୍ତି।

କ୍ୟାବିନେଟରେ ସହରାଞ୍ଚଳ ଜଳତଟ ଯୋଜନାକୁ ମଞ୍ଜୁରୀ ମିଳିଛି। ଜଳତଟ ବିକାଶ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ମନୋନୀତ ସହରଗୁଡିକରେ ନଦୀତଟ ଏବଂ ସହରାଞ୍ଚଳ ଜଳଭଣ୍ଡାରଗୁଡିକ ପୁନର୍ଜୀବିତ କରିବା। ସେମାନଙ୍କୁ ସୁଗମ ଏବଂ ପରିବେଶଗତ ଭାବେ ସ୍ଥାୟୀ ସାର୍ବଜନୀନ ସ୍ଥାନରେ ପରିଣତ କରିବା। ପର୍ଯ୍ୟଟନ, ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ସ୍ଥାନୀୟ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା।  ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୌରସଂସ୍ଥା ସହିତ ସହଯୋଗରେ ଯୋଜନାର ବ୍ୟାପକ କାର୍ଯ୍ୟାନ୍ବୟନ କରିବାକୁ ଅନୁମତି ମିଳିଛି।

ସେହିପରି ସହରରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବଡ ନିଷ୍ପତ୍ତି ନିଆଯାଇଛି। ସହରାଞ୍ଚଳରେ ପିଏମ ଆବାସ ପାଇଁ ପଞ୍ଜିକରଣ ଫି ଓ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି। ଏହି ପ୍ରସ୍ତାବିତ ରିଆୟତି ଦ୍ବାରା ରାଜ୍ୟର ସହରାଞ୍ଚଳ ଇଡବ୍ଲ୍ୟଏସ ବର୍ଗର ଉପଭୋକ୍ତାମାନେ ବ୍ୟାପକ ଆର୍ଥିକ ସୁବିଧା ପାଇବେ। ଖୋର୍ଦ୍ଧା କାଲିବେଟି ଶିଳ୍ପାଞ୍ଚଳରେ ମହିଳା ଶ୍ରମିକ ହଷ୍ଟେଲର ବିକାଶ ପ୍ରକଳ୍ପର ଟେଣ୍ଡର ପକ୍ରିୟାକୁ ଅନୁମୋଦନ କରାଯାଇଛି। ଯାହା ଇଡକୋ ମାଧ୍ୟମରେ କାର୍ଯ୍ୟକାରୀ ହେବ। ୨୧୦.୩୬ କୋଟି ଟଙ୍କାରେ ଏହି ପ୍ରକଳ୍ପ ହେବ। ୨୪ ମାସ ଅବଧି ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।

ସେହିପରି ବିଡିଏ ଅଧୀନସ୍ଥ ଟାଉନ ପ୍ଲାନିଂ ସ୍କିମ ନିମେନ୍ତ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟାନ୍ବୟନ ସହିତ ଇଞ୍ଜିନିୟରିଂ, କ୍ରୟ, ନିର୍ମାଣ ଚୁକ୍ତିନାମା ଅନ୍ତର୍ଗତ ୫ ବର୍ଷ ନିମେନ୍ତ ପରିଚାଳନା ଏବଂ ରକ୍ଷାଣାବେକ୍ଷଣ ପ୍ରକଳ୍ପର ଟେଣ୍ଡର ଓ ବିଡିଂ ପ୍ରକ୍ରିୟା ଅନମୋଦନ କରାଯାଇଛି। ଏଥିରେ ମହାନଦୀ ସ୍ଥିତ ନରାଜ WTPରୁ ଘାଟିକିଆ ସ୍ଥିତ MBRରୁ ଜଳ ଆହରଣ ଏବଂ କ୍ଲିଅର ଓ୍ବାଟର ଗ୍ରାଭିଟି ମୋନ ବିଛାଣ ଅନ୍ତର୍ଭୁକ୍ତ ରହିଛି।

ସମ୍ବଲପୁରବାସୀଙ୍କ ପାଇଁ କ୍ୟାବିନେଟ୍ ଏକ ବଡ଼ ଉପହାର ଦେଇଛନ୍ତି। ମହାନଦୀ ଜଳାଶୟରେ 'ଅଯୋଧ୍ୟା ସାଗର' ପ୍ରକଳ୍ପ ପାଇଁ ୪୪୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ଦୂଷିତ ହେଉଥିବା ଗଙ୍ଗୁଆ ନାଳର ଜଳ ବିଶୋଧନ ପାଇଁ ୧୦୮.୯ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବହୁ ପ୍ରତୀକ୍ଷିତ ନୟାଗଡ଼ର ବୃତଙ୍ଗ ଜଳ ସେଚନ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ୧୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ନୟାଗଡ ଜିଲ୍ଲାର ମଞ୍ଜରୀ ଗ୍ରାମ ନିକଟରେ ୫୫୨ ମିଟର ଲମ୍ବର ଏକ ମାଟି ବନ୍ଧ ଏବଂ ଏକ ସାଡଲ୍ ନିର୍ଗମନ ପଥ ନିର୍ମାଣ ବ୍ୟବସ୍ଥା ରହିଛି ।

ସେହିପରି ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଦୃଢ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ୫ ବର୍ଷ ମିଆଦୀରେ କାର୍ଯ୍ୟକାରୀ ହେବ। ଏଥିପାଇଁ ବାର୍ଷିକ ୩୦୦ କୋଟି ଟଙ୍କା ହାରରେ ୧,୫୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ଏହି ଯୋଜନା ଅଧୀନରେ ପ୍ରାୟ ୫,୫୦୦ ଏକର ଜମି ପର୍ଯ୍ୟାୟକ୍ରମେ ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କରେ ସାମିଲ କରାଯିବ।

ଆହୁରି ପଢନ୍ତୁ : ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡର ପୁନର୍ଗଠନ, ମୁଖ୍ୟମନ୍ତ୍ରୀ ରହିଲେ ଅଧ୍ୟକ୍ଷ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।