Sonu Nigam: ୫୩ବର୍ଷରେ ପଦାର୍ପଣ କଲେ ସୋନୁ ନିଗମ
"ମୁମ୍ବାଇ: ଚାରି ବର୍ଷ ବୟସରେ ବିବାହ ଉତ୍ସବର ମଞ୍ଚରେ ଗୀତ ଗାଇବାରୁ ଆରମ୍ଭ ହୋଇଥିବା ଏକ ଛୋଟ ପିଲାର ସଙ୍ଗୀତ ଯାତ୍ରା ପରବର୍ତ୍ତୀ ସମୟରେ ତାଙ୍କୁ ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଶ୍ରେଷ୍ଠ ପାର୍ଶ୍ୱଗାୟକରେ ପରିଣତ କରିଥିଲା।
ସେହି ସ୍ୱରର ଯାଦୁକର ହେଲେ ସୋନୁ ନିଗମ।
ଆଜି ସେ ୫୩ତମ ଜନ୍ମଦିବସ ପାଳନ କରୁଥିବାବେଳେ, ତାଙ୍କ ଜୀବନ ସଂଘର୍ଷ, ସଙ୍ଗୀତ ପ୍ରତି ସମର୍ପଣ ଏବଂ ସଫଳତାର କାହାଣୀ ଆଜି ମଧ୍ୟ ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ।Advertisment Ghost movie: ଭୂତ ଚଳଚ୍ଚିତ୍ରରେ ଜ୍ୟାକ୍ଲିନ୍ ୧୯୭୩ ମସିହା ଜୁଲାଇ ୩୦ରେ ହରିୟାଣାର ଫରିଦାବାଦରେ ଜନ୍ମିତ ସୋନୁ ନିଗମ ସଙ୍ଗୀତକୁ ପାରିବାରିକ ଉତ୍ତରାଧିକାର ଭାବେ ପାଇଥିଲେ।
ତାଙ୍କ ପିତା ଆଗମ କୁମାର ନିଗମ ଜଣେ ପ୍ରସିଦ୍ଧ ଗାୟକ ଥିବାରୁ ଅତି ଛୋଟ ବୟସରୁ ସୋନୁ ସଙ୍ଗୀତର ତାଲିମ ନେଇଥିଲେ।
ଚାରି ବର୍ଷ ବୟସରେ ବାପାଙ୍କ ସହ ମଞ୍ଚରେ 'କ୍ୟା ହୁଆ ତେରା ୱାଦା' ଗୀତ ପରିବେଷଣ କରି ସମସ୍ତଙ୍କ ମନ ଜିତିଥିଲେ।
ଏହାପରେ ବାପାଙ୍କ ସହ ବିଭିନ୍ନ ବିବାହ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିୟମିତ ଗୀତ ଗାଇବା ଆରମ୍ଭ କରିଥିଲେ।
୧୯୯୧ରେ ସଙ୍ଗୀତରେ ବଡ଼ ସ୍ୱପ୍ନ ନେଇ ସେ ମୁମ୍ବାଇ ଆସିଥିଲେ।
ଆରମ୍ଭରେ ଅନେକ ସଂଘର୍ଷ ଓ ପ୍ରତ୍ୟାଖ୍ୟାନ ସହିବାକୁ ପଡ଼ିଥିଲେ ମଧ୍ୟ ୧୯୯୨ରେ ଟି-ସିରିଜ୍ର ପ୍ରତିଷ୍ଠାତା ଗୁଲଶନ କୁମାରଙ୍କ ସହ ଭେଟ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। 'ରଫି କି ୟାଦେଁ' ଆଲବମରେ ମହମ୍ମଦ ରଫିଙ୍କ ଗୀତ ଗାଇବାର ସୁଯୋଗ ତାଙ୍କୁ ମିଳିଥିଲା।
ପରେ ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ 'ଚନ୍ଦ୍ରକାନ୍ତା'ର ଟାଇଟଲ୍ ଟ୍ରାକ୍ରେ କଣ୍ଠଦାନ କରି ସେ ଚର୍ଚ୍ଚାକୁ ଆସିଥିଲେ।
୩୨ରୁ ଅଧିକ ଭାଷାରେ କଣ୍ଠଦାନ ୧୯୯୫ରେ 'ବେୱାଫା ସନମ୍' ଫିଲ୍ମର 'ଅଚ୍ଛା ସିଲା ଦିୟା ତୁନେ ମେରେ ପ୍ୟାର କା' ଗୀତ ସୋନୁ ନିଗମଙ୍କୁ ଘରେ ଘରେ ପରିଚିତ କରାଇଥିଲା।
ଏହାପରେ 'ବର୍ଡର' ଚଳଚ୍ଚିତ୍ରର 'ସନ୍ଦେଶେ ଆତେ ହୈଁ', 'କଲ୍ ହୋ ନା ହୋ', 'ସୁରଜ ହୁଆ ମଦ୍ଧମ୍', 'ଅଭି ମୁଝମେ କହିଁ', 'ୟେ ଦିଲ୍ ଦିୱାନା' ଓ 'ତୁମସେ ମିଲକେ ଦିଲ୍ କା ହୈ ଜୋ ହାଲ୍' ପରି ଅସଂଖ୍ୟ ସୁପରହିଟ୍ ଗୀତ ତାଙ୍କୁ ବଲିଉଡର ଅଗ୍ରଣୀ ପାର୍ଶ୍ୱଗାୟକର ମର୍ଯ୍ୟାଦା ଦେଇଥିଲା।
ହିନ୍ଦୀ ସହ ଓଡ଼ିଆ, କନ୍ନଡ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ଆସାମୀ ସମେତ ୩୨ରୁ ଅଧିକ ଭାଷାରେ ସେ ହଜାର ହଜାର ଗୀତରେ କଣ୍ଠଦାନ କରିଛନ୍ତି।
କେବଳ ଗାୟକ ନୁହେଁ, ସୋନୁ ନିଗମ ଅଭିନୟରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ।
ଶିଶୁ କଳାକାର ଭାବେ ସନ୍ନି ଦେଓଲଙ୍କ ପ୍ରଥମ ଚଳଚ୍ଚିତ୍ର 'ବେତାବ'ରେ ଅଭିନୟ କରିଥିବା ସୋନୁ ପରେ 'ଜାନି ଦୁଷ୍ମାନ: ଏକ ଅନୋଖି କାହାନୀ', 'କାଶ ଆପ ହମାରେ ହୋତେ' ଏବଂ 'ଲଭ୍ ଇନ୍ ନେପାଳ' ପରି ଫିଲ୍ମରେ ନଜର ଆସିଥିଲେ।
ତେବେ ଅଭିନୟରେ ସେ ସେଭଳି ସଫଳତା ପାଇନଥିବାରୁ ପୁଣି ସଙ୍ଗୀତକୁ ନିଜର ପ୍ରମୁଖ ପରିଚୟ କରିନେଇଥିଲେ।
ବ୍ୟକ୍ତିଗତ ଜୀବନରେ ସୋନୁ ନିଗମ ୨୦୦୨ରେ ମଧୁରିମା ନିଗମଙ୍କୁ ବିବାହ କରିଥିଲେ।
ଉଭୟଙ୍କର ନିଭାନ୍ ନିଗମ ନାମକ ଜଣେ ପୁଅ ଅଛନ୍ତି।
ସଙ୍ଗୀତରେ ନିଜର ବହୁମୁଖୀ ପ୍ରତିଭା, ମଧୁର କଣ୍ଠ ଓ ଦୀର୍ଘ ତିନି ଦଶକରୁ ଅଧିକ ସଫଳ କ୍ୟାରିୟର ପାଇଁ ସୋନୁ ନିଗମ ଆଜି ମଧ୍ୟ ଭାରତୀୟ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସମାନ ଭାବେ ରାଜ କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।