Shreyas Iyer: ଶେଷ ହୋଇଗଲା କି ଶ୍ରେୟସ ଆୟରଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅର୍‌ ?

ଏସିଆ କପ୍ ୨୦୨୫ ପାଇଁ ମନୋନୀତ ଭାରତୀୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟର । ଘରୋଇ କ୍ରିକେଟ୍ ଓ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଟି-୨୦ ଟିମ୍‌ରେ ସୁଯୋଗ ଦିଆ ନ ଯିବା ଏବେ ଚର୍ଚ୍ଚାର ବିଷୟ ହୋ

23 August 2025 06:30 PM IST
Shreyas Iyer: ଶେଷ ହୋଇଗଲା କି ଶ୍ରେୟସ ଆୟରଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅର୍‌ ?

ଏସିଆ କପ୍ ୨୦୨୫ ପାଇଁ ମନୋନୀତ ଭାରତୀୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟର । ଘରୋଇ କ୍ରିକେଟ୍ ଓ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଟି-୨୦ ଟିମ୍‌ରେ ସୁଯୋଗ ଦିଆ ନ ଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି, ଶେଷ ହୋଇଗଲା କି ତାଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅର୍‌?

ଅଗଷ୍ଟ ୧୯ରେ ଏସିଆ କପ୍ ପାଇଁ ମନୋନୀତ ଭାରତୀୟ ଟିମ୍‌ରେ ଅଭିଜ୍ଞ ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ସ୍ଥାନ ମିଳି ନାହିଁ । ଆଶ୍ଚର୍ଯ୍ୟର ବିଷୟ ଯେ ଷ୍ଟାଣ୍ଡବାଏ ଖେଳାଳିଙ୍କ ତାଲିକାରେ ବି ତାଙ୍କ ନାଁ ନାହିଁ । ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଏଥର ଟି-୨୦ ଫର୍ମାଟ୍‌ରେ ଖେଳାଯିବ ।

ଶ୍ରେୟସଙ୍କୁ ଅଣଦେଖା ଏବେ ଭାରତୀୟ କ୍ରିକେଟ୍ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି ଯେ ଘରୋଇ କ୍ରିକେଟ୍ ଓ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌)ରେ ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଭାରତୀୟ ଟି-୨୦ ଟିମ୍‌ରେ କାହିଁକି ସୁଯୋଗ ଦିଆଯାଇ ନାହିଁ? ଟି-୨୦ ଆନ୍ତର୍ଜାତିକରେ ଶେଷ ହୋଇଗଲା କି ଏହି ଦକ୍ଷ ବ୍ୟାଟର୍‌ଙ୍କ କ୍ୟାରିଅର୍‌?

ଆଉ ଗୁରୁତ୍ୱ ରଖୁ ନାହିଁ କି ଆଇପିଏଲ୍ ପ୍ରଦର୍ଶନ

ଭାରତୀୟ ଟି-୨୦ ଟିମ୍‌ରେ ପ୍ରବେଶ ଲାଗି ‘ଆଇପିଏଲ୍‌’ ଖେଳାଳିମାନଙ୍କ ପାଇଁ ସବୁଠାରୁ ବଡ଼ ରାସ୍ତା । ଅଭିଷେକ ଶର୍ମା, ତିଲକ ବର୍ମା ଓ ରିଙ୍କୁ ସିଂହଙ୍କ ଭଳି ବ୍ୟାଟର୍ ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ ଆଧାରରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି; କିନ୍ତୁ ଶ୍ରେୟସଙ୍କ କ୍ଷେତ୍ରରେ ସେଭଳି ଦେଖିବାକୁ ମିଳି ନାହିଁ । ଆଇପିଏଲ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ବି ତାଙ୍କର ଏସିଆ କପ୍ ୨୦୨୫ ଖେଳିବା ଆଶା ଧୂଳିସାତ୍ ହୋଇଯାଇଛି ।

ଚୟନକାରୀମାନେ ଟେଷ୍ଟ ଟିମ୍‌ର ଅଧିନାୟକ ଶୁବମନ ଗିଲ୍‌ଙ୍କୁ ଏସିଆ କପ୍ ଟିମ୍‌ରେ ସାମିଲ୍ କରିଛନ୍ତି । ସେ ବର୍ଷେ ହେଲା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନ ଥିଲେ ବି ତାଙ୍କ ଚୟନ ଅନେକଙ୍କୁ ବିସ୍ମିତ କରିଛି ।

ଗିଲ୍ ଆଇପିଏଲ୍ ୨୦୨୫ରେ ୬୫୦ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଛଅ ଅର୍ଦ୍ଧଶତକ ଥିଲା । ଚୟନ ବେଳେ ତାଙ୍କର ଏହି ପ୍ରଦର୍ଶନକୁ ବିଚାରକୁ ନିଆଯାଇଥିବ । ଏହି ଫର୍ମାଟ୍‌ରେ ତାଙ୍କୁ ଭବିଷ୍ୟତର ଅଧିନାୟକ ଦୃଷ୍ଟିରୁ ବିଚାର କରାଯାଉଥିବାରୁ ଟିମ୍‌ର ଉପ-ଅଧିନାୟକ କରାଯାଇଛି ।

ଅନ୍ୟପଟେ, ଆଇପିଏଲ୍‌ର ପୂର୍ବ ସିଜନ୍‌ରେ ଶ୍ରେୟସ ୧୭୫.୦୭ ଷ୍ଟ୍ରାଇକ୍ ରେଟ୍‌ରେ ୬୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ଏଥିରେ ଛଅ ଅର୍ଦ୍ଧଶତକ ଥିଲା । ବିଶେଷକରି ସ୍ପିନ୍ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଏହି ଫର୍ମାଟ୍‌ରେ ତାଙ୍କୁ ଜଣେ ଆକର୍ଷଣୀୟ ମଧ୍ୟକ୍ରମ ପସନ୍ଦ ରୂପେ ଗଢ଼ିତୋଳିଛି ।

ଶ୍ରେୟସଙ୍କ ନେତୃତ୍ୱ ଦକ୍ଷତା ମଧ୍ୟ ଗୁରୁତ୍ୱ ରଖୁଛି । ୨୦୨୪ରେ ତାଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଏକ ଦଶନ୍ଧି ପରେ ଚାମ୍ପିଅନ୍ ହୋଇଥିଲା । ଚଳିତ ବର୍ଷ ସେ ପ୍ରଥମକରି ପଞ୍ଜାବ କିଙ୍ଗ୍‌ସର ଅଧିନାୟକତ୍ୱ କରିଥିଲେ ଏବଂ ଟିମ୍‌କୁ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।

ଘରୋଇ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ‘ସୟଦ ମୁସ୍ତାକ୍ ଅଲୀ ଟ୍ରଫି’ର ୨୦୨୪-୨୫ ସିଜନ୍‌ରେ ଶ୍ରେୟସ ମୁମ୍ବାଇକୁ ଚାମ୍ପିଅନ୍ କରାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ବ୍ୟାଟିଂରେ ଆଠ ଇନିଂସ୍ ଖେଳି ଗୋଟିଏ ଶତକ ସହାୟତାରେ ୩୪୫ ରନ୍ କରିଥିଲେ, ଯେଉଁଥିରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୮୮.୫୨ ।

ତାଙ୍କ ସଫଳତା କେବଳ ହ୍ୱାଇଟ୍‌-ବଲ୍ କ୍ରିକେଟ୍ ମଧ୍ୟରେ ସୀମିତ ନୁହେଁ । ସେ ୨୦୨୩-୨୪ରେ ରଣଜୀ ଟ୍ରଫି ଚାମ୍ପିଅନ୍ ମୁମ୍ବାଇ ଟିମ୍‌ର ସଦସ୍ୟ ଥିଲେ । ଚଳିତ ବର୍ଷର ଆଦ୍ୟଭାଗରେ ଭାରତର ଚାମ୍ପିଅନ୍ସ ଟ୍ରଫି ବିଜୟରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ଶ୍ରେୟାସ ଏ ଯାବତ ୫୧ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୧୧୦୪ ରନ୍ ସଂଗ୍ରହ କରିଛନ୍ତି । ସେ ୨୦୨୩ ଡିସେମ୍ବରରେ ଶେଷ ଥର ପାଇଁ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ । ସେଥିରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୫୩ ରନ୍‌ର ମ୍ୟାଚ୍‌-ବିଜୟୀ ଇନିଂସ୍ ଖେଳିଥିଲେ ।

ଏସିଆ କପ୍ ଟିମ୍‌ରେ କାହିଁକି ମିଳିଲାନି ସୁଯୋଗ

ତେବେ ପ୍ରଦର୍ଶନ ଆଧାରରେ ଶ୍ରେୟସଙ୍କୁ ଏସିଆ କପ୍ ଟିମ୍ ପାଇଁ କାହିଁକି ବିଚାରକୁ ନିଆଗଲା ନାହିଁ?

ଶ୍ରେୟସଙ୍କୁ ଚୟନ କରା ନ ଯିବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମୁଖ୍ୟ ଚୟନକାରୀ ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଶ୍ରେୟସ ଆୟରଙ୍କ କୌଣସି ଭୁଲ୍ ନାହିଁ, ତାଙ୍କୁ କେବଳ ନିଜ ସୁଯୋଗର ଅପେକ୍ଷା କରିବାକୁ ପଡ଼ିଛି । ଆପଣ କୁହନ୍ତୁ, ତାଙ୍କୁ ସାମିଲ୍ କରିବା ପାଇଁ କାହାକୁ କଢ଼ାଯିବ?”

ଚୟନ କମିଟି ମୁଖ୍ୟ ଏ ସମ୍ପର୍କରେ ସଫେଇ ଦେଇ କହିଛନ୍ତି, “ଯଶସ୍ୱୀ ଜୟସ୍ୱାଲ ବି ଟିମ୍‌ରେ ନାହାନ୍ତି । ଅଭିଷେକ ଶର୍ମା ଭଲ ଖେଳୁଛନ୍ତି ଏବଂ ସେ ବୋଲିଂ ବି କରିପାରିବେ । ଏହି ଦୁଇ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କୁ ସ୍ଥାନ ମିଳିପାରିଥା’ନ୍ତା । ଶ୍ରେୟସ ଆୟରଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା । ଟିମ୍‌ରେ ସ୍ଥାନ ନ ପାଇବା ତାଙ୍କ ଭୁଲ୍ ନୁହେଁ ।”

ଟି-୨୦ ଟିମ୍‌ର ମଧ୍ୟକ୍ରମରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ୍‌ଙ୍କ ସ୍ଥାନ ସୁରକ୍ଷିତ ବୋଲି କୁହାଯାଇପାରିବ । ଓପନିଂ ସ୍ଥାନରେ ସଞ୍ଜୁ ସାମ୍‌ସନ୍ ଓ ଅଭିଷେକ ଶର୍ମା ସେଟ୍ ହୋଇଗଲେଣି । ବାକି ରହିଲା ତିନି ନମ୍ବର ସ୍ଥାନ, ଯେଉଁଠି ତିଲକ ବର୍ମା ଓ ଶ୍ରେୟସଙ୍କ ମଧ୍ୟରେ ମୁକାବିଲା ଥିଲା ।

ଦକ୍ଷିଣ ଆଫ୍ରିକା ଗସ୍ତରେ ତିଲକଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ଥିଲା । ସେ ସିରିଜ୍‌ରେ ଦୁଇ ଶତକ ସହାୟତାରେ ୨୮୦ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୯୮.୪୮ । ତେବେ ଚଳିତ ବର୍ଷ ଆଇପିଏଲ୍‌ରେ ସେ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ । ସେ ୧୩ ଇନିଂସ୍ ଖେଳି ୧୩୮.୩୦ ଆଭରେଜ୍‌ରେ ୩୪୩ ରନ୍ କରିଥିଲେ ।

ଏବେ ତ ଗିଲ୍ ବି ଟିମ୍‌କୁ ଆସିଗଲେଣି । ସେ କେଉଁ ସ୍ଥାନରେ ଖେଳିବେ, ତାହା ଏକ ପ୍ରଶ୍ନ । ସେ ଓପନିଂ କଲେ, ସଞ୍ଜୁଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ପାରେ ଏବଂ ଜିତେଶ ଶର୍ମା ୱିକେଟ୍‌କିପିଂ କରିପାରନ୍ତି । ଗିଲ୍ ତିନି ନମ୍ବରକୁ ଗଲେ, ତିଲକ କେଉଁଠି ଖେଳିବେ?

ଟି-୨୦ ଯୋଜନାର ଅଂଶବିଶେଷ ନୁହଁନ୍ତି ଶ୍ରେୟସ

ଶ୍ରେୟସଙ୍କୁ ଏସିଆ କପ୍ ଟିମ୍‌ରେ ସାମିଲ୍ କରା ନ ଯିବାରୁ କେତେକ ପୂର୍ବତନ କ୍ରିକେଟର୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଲେଖିଛନ୍ତି, “ଶ୍ରେୟସ ଆୟର ଟିମ୍‌ରୁ ବିଦା, ବିସ୍ମୟକର ନିଷ୍ପତ୍ତି ।”

ଭାରତୀୟ ଟିମ୍‌ର ପୂର୍ବତନ ସହାୟକ କୋଚ୍ ତଥା କ୍ରିକେଟର୍ ଅଭିଷେକ ନାୟାର ମଧ୍ୟ ଶ୍ରେୟସଙ୍କୁ ସାମିଲ୍ କରା ନ ଯିବା ନେଇ ପ୍ରଶ୍ନ ଉଠାଇଛନ୍ତି ।

ଅଭିଷେକ ଷ୍ଟାର୍ ସ୍ପୋର୍ଟ୍ସକୁ କହିଛନ୍ତି, “ମୁଁ ପ୍ରଶ୍ନ ପଚାରିବାକୁ ଚାହୁଁଛି ଯେ ଯଦି ଶ୍ରେୟସ ଆୟର ଏତେ ଭଲ, ତା’ହେଲେ ସେ ରିଜର୍ଭ କାହିଁକି କଲେ ନାହିଁ? ମୁଁ ବୁଝିପାରୁ ନାହିଁ ଯେ ତାଙ୍କୁ ୨୦ଜଣିଆ ଟିମ୍‌ରେ ଚୟନ ନ କରିବାର କ’ଣ କାରଣ ରହିଛି? ୨୦ ଖେଳାଳିଙ୍କ ମଧ୍ୟରେ ସ୍ଥାନ ନ ପାଇବା ତାଙ୍କୁ କି ବାର୍ତ୍ତା ଦେଉଛି?

କ୍ରିକେଟ୍ ଲେଖକ ରମେଶ ଶ୍ରୀବତ୍ସ ମଧ୍ୟ ନିଜ ବିବୃତିରେ କହିଛନ୍ତି, “ଏହା ପ୍ରଶ୍ନ ନୁହେଁ ଯେ ଶ୍ରେୟସ କାହା ସ୍ଥାନ ନେଇପାରିବେ? ପ୍ରକୃତରେ ଏହା ପ୍ରଶ୍ନ ଯେ ଆପଣ ଶ୍ରେୟସଙ୍କ ସ୍ଥାନରେ କାହାକୁ ଓ କାହିଁକି ବାଛିଛନ୍ତି?”

ଶ୍ରେୟାସଙ୍କୁ ଏସିଆ କପ୍ ଟିମ୍‌ରେ ସାମିଲ୍ କରା ନ ଯିବା ନିଷ୍ପତ୍ତିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ସେ ଏବେ ଚୟନକାରୀଙ୍କ ଟି-୨୦ ଯୋଜନାରେ ନାହାନ୍ତି । ଦେଢ଼ ବର୍ଷରୁ ଅଧିକ ସମୟ ହେଲାଣି ସେ ଭାରତୀୟ ଟି-୨୦ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି । ଏସିଆ କପ୍ ଭଳି ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ବି ସୁଯୋଗ ମିଳିଲାନି ।

ଏପରି ସ୍ଥଳେ ଟି-୨୦ ଆନ୍ତର୍ଜାତିକରେ ଯୁବ ଖେଳାଳିଙ୍କ ଭିଡ଼ ଭିତରେ ଶ୍ରେୟାସ ଭବିଷ୍ୟତରେ ଟିମ୍‌ରେ ସ୍ଥାନ ପାଇବେ ବୋଲି କିପରି ଆଶା କରାଯାଇପାରିବ?

Disclaimer: This content has been automatically aggregated from television for informational purposes. To read the original article, please visit television.