Service Tax: ହର୍ମୁଜ ପ୍ରଣାଳୀରେ ଶୁଳ୍କ ଆଦାୟ କରିବ ଇରାନ
ନୂଆଦିଲ୍ଲୀ: ୬୦ ଦିନର ଶୁଳ୍କ ଛାଡ଼ ଅବଧି ଶେଷ ହେବାପରେ ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ଉପରେ ସର୍ଭିସ ଫି ଆଦାୟ କରିବ ଇରାନ। ତେବେ ଯେଉଁ ଦେଶଗୁଡ଼ିକ ସହିତ ଇରାନର ସମ୍ପର୍କ ଭଲ ରହିଛି ଏବଂ ଜଟିଳ ସମୟରେ ସେମାନେ ତେହରାନ ସହିତ ଛିଡ଼ା ହୋଇଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ସୁବିଧା ମିଳିବ। ଚୀନରେ ଅବସ୍ଥାପିତ ଇରାନ ରାଷ୍ଟ୍ରଦୂତ ଅବଦୁଲରେଜା ରହମାନି ଫଜ୍ଲି ବିଶ୍ବ ଶାନ୍ତି ମଞ୍ଚରେ ଏଭଳି ସୂଚନା ଦେଇଛନ୍ତି। ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳର ସୁରକ୍ଷା ଏବଂ ପରିବେଶ ପରିଣାମର ମୁକାବିଲା ଲାଗି ଏହି ନୂଆ ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।
ଶାନ୍ତି ମଞ୍ଚରେ ଉଦ୍ବୋଧନ ଦେବା ସମୟରେ ଫଜ୍ଲି କହିଛନ୍ତି ହର୍ମୁଜ ପ୍ରଣାଳୀରେ ନୂଆ ବ୍ୟବସ୍ଥା ପାଇଁ ଇରାନ ଓମାନ ସହ ସମନ୍ବୟ ରଖି କାର୍ଯ୍ୟ କରୁଛି। ହର୍ମୁଜ ପ୍ରଣାଳୀର ଉଭୟ ପଟେ ଏହି ଦୁଇ ଦେଶ ଅବସ୍ଥିତ। ସେମାନେ ଏହି ଗୁରୁତ୍ବପୂର୍ଣ୍ଣ ଜଳମାର୍ଗ ପରିଚାଳନା ପାଇଁ ଏକ ଯୁଗ୍ମ କମିଟି ଗଠନ କରିଛନ୍ତି। ତେବେ ଇରାନ ସହ ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ରଖିଥିବା ଦେଶଗୁଡ଼ିକ ପାଇଁ ତେହରାନ ନିଶ୍ଚିତଭାବେ ସ୍ବତନ୍ତ୍ର ବ୍ୟବସ୍ଥା କରିବ ବୋଲି ସେ କହିଛନ୍ତି। ସ୍ବତନ୍ତ୍ର ସୁବିଧା ଚୀନ ଓ ରୁଷ୍ ସମେତ ଭାରତକୁ ମଧ୍ୟ ମଳିବା ସମ୍ଭାବନା ରହିଛି।
Hormuz: ହର୍ମୁଜ୍ରେ ଜାହାଜକୁ ସୁରକ୍ଷା ଦେବା ପାଇଁ ଫ୍ରାନ୍ସର ବଡ଼ ପଦକ୍ଷେପ
ତେବେ ହର୍ମୁଜ ପ୍ରଣାଳୀକୁ ଅନ୍ତର୍ଜାତୀୟ ଜଳପଥ ଭାବେ ଉନ୍ମୁକ୍ତ ରଖାଯିବା ଆବଶ୍ୟକ ବୋଲି କହି ଆସୁଥିବା ଆମେରିକା ଏହାକୁ ପ୍ରବଳ ବିରୋଧ କରିଛି। ଇରାନର ଏପ୍ରକାର ନିଷ୍ପତ୍ତି ଅବାଧରେ ଜାହାଜ ଚଳାଚଳ ପାଇଁ ଥିବା ଅନ୍ତର୍ଜାତୀୟ ମାନଦଣ୍ଡର ଉଲ୍ଲଂଘନ କରିବ। ଇରାନ ଓ ଆମେରିକା ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ପରେ ହର୍ମୁଜ ପ୍ରଣାଳୀକୁ ଖୋଲାଯାଇଛି।
୬୦ ଦିନର ଅବଧି ମଧ୍ୟରେ ଯଦି ଚୂଡ଼ାନ୍ତ ରାଜିନାମା ସଫଳ ନହେବ ଏବଂ ଇରାନ ଜାହାଜଗୁଡ଼ିକ ଉପରେ ଶୁଳ୍କ ଲଗାଇବ ତାହେଲେ ଆଗାମୀ ଦିନରେ ସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି। ଉଲ୍ଲେଖଯୋଗ୍ୟ, ବିଶ୍ବର ଏକ ପଞ୍ଚମାଂଶ ତେଲ ଓ ଗ୍ୟାସ ଏହି ଜଳମାର୍ଗ ଦେଇ ବିଶ୍ବ ବଜାରକୁ ଆସିଥାଏ। ତେଣୁ ଏଥିରେ କୌଣସି ପ୍ରକାର ଅସୁବିଧା ଦେଖାଦେଲେ ତେଲ ଓ ଗ୍ୟାସ ଯୋଗାଣ ପ୍ରଭାବିତ ହେବା ସହିତ ପୁଣି ଦର ବଢ଼ି ଯାଇପାରେ।