Serious Questions Over Kalinga Studio; କଳିଙ୍ଗ ଷ୍ଟୁଡ଼ିଓରେ ମହାଦୁର୍ନୀତିର ଗନ୍ଧ; ପୁନରୁଦ୍ଧାର ନାଁରେ ୨୦୦ କୋଟି, ତଦନ୍ତ ଦାବି
ରାଜ୍ୟର ଗର୍ବ ଓ ଗୌରବ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କାମରେ ଅନିୟମିତତାର ଗନ୍ଧ। ତତକାଳୀନ ବିଜେଡି ସରକାର ଅମଳରେ ୨୦୦କୋଟିର ପ୍ରକଳ୍ପରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ଚଳଚ୍ଚିତ୍ର ନିର୍ମାତା ସଂଘ। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସୁଟିଂ ପାଇଁ ତାହା ଅନୁକୂଳ ନଥିବା ସଂଘ କହିଛି।
କିଛି ଦିନ ତଳେ ଅଭିନେତା ତଥା ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବି ଷ୍ଟୁଡିଓରେ ଖର୍ଚ୍ଚ ହୋଇଥିବା ଟଙ୍କା ଓ ତାର ଅଡିଟ୍ ନେଇ ପ୍ରଶ୍ନ ଉଠାଇଥିଲେ। ସେପଟେ ଶିଳ୍ପମନ୍ତ୍ରୀ କହିଛନ୍ତି, ଦୁର୍ନୀତି ନେଇ ସରକାରଙ୍କ ପାଖରେ ଲିଖିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁନରୁଦ୍ଧାର କାମ ସରିଥିବା ବେଳେ ଖୁବଶୀଘ୍ର ଉଦଘାଟନ ହେବ ବୋଲି କହିଛନ୍ତି ମନ୍ତ୍ରୀ।
ନୂଆ ରୂପ ନେଇଛି ଓଡ଼ିଆ ସିନେମାର ମନ୍ଦିର, ହେଲେ ଦାଉ ଦାଉ ଝଲସିବା ବଦଳରେ ଝାଉଁଳି ପଡିଛି। କୋଟି କୋଟି ଟଙ୍କାର ଭିତ୍ତିଭୂମିରେ ଜମିଗଲାଣି ଧୂଳି। ଉଡିଗଲାଣି ରଙ୍ଗ। ଭିତର ବୁଲା ଗାଇ ଗୋରୁଙ୍କ ଚରାଭୂଇଁ, ଉଠିଗଲାଣି ଅନାବନା ଗଛ। ନଷ୍ଟ ହୋଇଗଲାଣି ଫାଉଣ୍ଟେନ୍। ନବକଳେବର ନେଉ ନେଉ ତାଲା ଝୁଲୁଛି ରାଜ୍ୟର ଗର୍ବ ଓ ଗୌରବ କଳିଙ୍ଗ ଷ୍ଟୁଡିଓରେ। ହେଲେ ମାସକୁ ମାସ ମେଣ୍ଟେନାନ୍ସରେ କିନ୍ତୁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଓଡ଼ିଶା ଚଳଚ୍ଚିତ୍ର ନିର୍ମାତା ସଂଘ।
ରାଜ୍ୟର ଏହି ଐତିହାସିକ ଫିଲ୍ମ ଷ୍ଟୁଡିଓର ପୁନଃ ବିକାଶ ପାଇଁ ୨୦୨୧ରେ ଅଣ୍ଟା ଭିଡିଥିଲେ ତତକାଳୀନ ବିଜେଡି ସରକାର। ୨୬ ଏକରରେ ଫିଲ୍ମ ସିଟି ନିର୍ମାଣ ପାଇଁ ସେତେବେଳେ ବ୍ୟୟବରାଦ ହୋଇଥିଲା ୨୦୦ କୋଟି। ହେଲେ ଭିତରେ ଫିଲ୍ମ ସୁଟିଂ କାଠିକର ପାଠ ବୋଲି କହିଛି ଚଳଚ୍ଚିତ୍ର ସଂଘ। ଭିତରେ ଗାଁ ପରିବେଶ ନାହିଁ କି ସ୍ଥାୟୀ ସେଟ୍।
ଷ୍ଟେସନ ନାହିଁ, ବିମାନ ବନ୍ଦର ନାହିଁ, କୋର୍ଟ-ଥାନା କ୍ଲାସରୁମ୍ ବି ନାହିଁ। ଯେତିକି ଷ୍ଟୁଡିଓ କରାଯାଇଛି ତାହା ବି ଅତି ଛୋଟ, ଫଳରେ ସେଟ୍ ଲଗାଇ ହେବନି। ଏଭଳି ସ୍ଥିତିରେ ପଇସା ଖର୍ଚ୍ଚ କରି କିଭଳି ଫିଲ୍ମ ସୁଟ୍ କରିବୁ ବୋଲି ସଂଘ ପ୍ରଶ୍ନ ଉଠାଇଛି। ଏଥିସହ ଷ୍ଟୁଡିଓର ଡିଜାଇନ୍ କିଏ କରିଥିଲା, ତାର ତଦାରଖ କରିଥିଲା କିଏ, ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାର ନିରପେକ୍ଷ ତଦନ୍ତ ଦାବି ହୋଇଛି। ସେପଟେ ଏନେଇ ଓଏଫଡିସିର ପୂର୍ବତନ ଅଧ୍ୟକ୍ଷ କୁନା ତ୍ରିପାଠୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।
ସେପଟେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, କଳିଙ୍ଗ ଷ୍ଟୁଡିଓ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କ ପାଖରେ କିଛି ଅଭିଯୋଗ ହୋଇନାହିଁ। ଲିଖିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତି ଆପଣାଉଛନ୍ତି। ବର୍ତ୍ତମାନ ଷ୍ଟୁଡିଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ଏହାର ପରିଚାଳନା ପାଇଁ ଏକ ସଂସ୍ଥାକୁ ନିୟୋଜିତ କରିବା ପ୍ରକ୍ରିୟା ଚାଲିଛି।
ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ। ତେବେ କିଛି ଦିନ ତଳେ ଅଭିନେତା ତଥା ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଷ୍ଟୁଡିଓରେ କେଉଁ ବାଟରେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ତାର ଅଡିଟ୍ ନେଇ ପ୍ରଶ୍ନ ଉଠାଇଥିଲେ।
ଯଦିଓ କଳିଙ୍ଗ ଷ୍ଟୁଡିଓର ପୁନନିର୍ମାଣ ବିଜେଡି ସରକାର ଅମଳରେ ହୋଇଥିଲା, ବିଜେପି ସରକାର ଆସିବାର ଦୁଇ ବର୍ଷ ଭିତରେ ବି ଇଂଚେ ଆଗକୁ ବଢିପାରିନି। ଆଜି ଖୋଲିବ, କାଲି ଖୋଲିବ କହି ଖାଲି ଦିନ ଗଡୁଛି। ଶୁକ୍ରବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ କଳିଙ୍ଗ ଷ୍ଟୁଡ଼ିଓକୁ ଦେଶର ଏକ ପ୍ରମୁଖ ଡିଜିଟାଲ୍ ଏବଂ ପୋଷ୍ଟ-ପ୍ରଡକ୍ସନ ହବ୍ ରେ ପରିଣତ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଏସବୁ ଭିତରେ ଅପେକ୍ଷା କଳିଙ୍ଗ ଷ୍ଟୁଡିଓ ନିର୍ମାଣରେ ଦୁର୍ନୀତି ନେଇ ସରକାର ତଦନ୍ତ ନିର୍ଦ୍ଦେଶ ଦେଉଛନ୍ତି ନା ନାହିଁ।