SEMICON India 2025: ମୋବାଇଲ୍ ଓ କଂପ୍ୟୁଟରରେ ଲାଗିବ ମେଡ୍-ଇନ୍-ଓଡ଼ିଶା ଚିପ୍

ଖାଲି ମେଡ୍ ଇନ୍ ଚାଇନା, ତାଇୱାନ କି କୋରିଆ ନୁହେଁ, ମୋବାଇଲ ଓ କଂପ୍ୟୁଟରରେ ଲାଗିବ ମେଡ୍-ଇନ୍-ଓଡ଼ିଶା ଚିପ୍। ଓଡ଼ିଶା ମାଟିର ସେମିକଣ୍ଡକ୍ଟରରେ ଚାଲିବ ଯାବତୀୟ ଗ୍ୟାଜେଟ୍। ଭାରତର ସ୍ବଦେଶୀ ସେମିକନ୍ ବୀପ୍ଳବରେ ଉତ୍କଳୀୟ ଉତ୍କର୍ଷତା। ସେମିକନ୍ ଇ

03 September 2025 02:15 PM IST
SEMICON India 2025: ମୋବାଇଲ୍ ଓ କଂପ୍ୟୁଟରରେ ଲାଗିବ ମେଡ୍-ଇନ୍-ଓଡ଼ିଶା ଚିପ୍

ଖାଲି ମେଡ୍ ଇନ୍ ଚାଇନା, ତାଇୱାନ କି କୋରିଆ ନୁହେଁ, ମୋବାଇଲ ଓ କଂପ୍ୟୁଟରରେ ଲାଗିବ ମେଡ୍-ଇନ୍-ଓଡ଼ିଶା ଚିପ୍। ଓଡ଼ିଶା ମାଟିର ସେମିକଣ୍ଡକ୍ଟରରେ ଚାଲିବ ଯାବତୀୟ ଗ୍ୟାଜେଟ୍। ଭାରତର ସ୍ବଦେଶୀ ସେମିକନ୍ ବୀପ୍ଳବରେ ଉତ୍କଳୀୟ ଉତ୍କର୍ଷତା। ସେମିକନ୍ ଇଣ୍ଡିଆରେ ଦେଖିବାକୁ ମିଳିଲା ପ୍ରଥମ ଝଲକ୍।

ଖାଲି ଦେଶ ନୁହେଁ, ସାରା ବିଶ୍ବ ଦେଖିଲା 'ଓଡ଼ିଶା ଚିପ୍'ର ପ୍ରଥମ ଝଲକ୍। ଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶାରେ ପ୍ରସ୍ତୁତ ୩ଟି ସେମିକଣ୍ଡକ୍ଟର ଚିପ୍ ଭେଟି ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭାରତରେ ତିଆରି ଛୋଟିଆ ଚିପ୍ ବିଶ୍ବରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ପିଏମ୍ ମୋଦି କହିଥିବାବେଳେ, ଦେଶର ସେମିକଣ୍ଡକ୍ଟର ବୀପ୍ଳବରେ ଓଡ଼ିଶା ବଡ଼ ଯୋଗଦାନ ଦେବାକୁ ଯାଉଛି।

ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ ଭେଟି ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏଥିରେ ରହିଛି ଇସ୍ରୋର ସେମିକଣ୍ଡକ୍ଟର ଲ୍ୟାବରେ ପ୍ରସ୍ତୁତ ପ୍ରଥମ ପୂର୍ଣ୍ଣ ବିକଶିତ ମେକ୍-ଇନ୍-ଇଣ୍ଡିଆ ମାଇକ୍ରୋପ୍ରୋସେସର୍ ବିକ୍ରମ-32 । ଏଥିସହ ଦେଶର ୪ଟି ଅନୁମୋଦିତ ପ୍ରକଳ୍ପରେ ତିଆରି ସ୍ବଦେଶୀ ଟେଷ୍ଟ୍ ଚିପ୍। ଆଉ ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ଯେ, ଏହି ଚିପ୍ ଗୁଡ଼ିକ ଭିତରେ ସାମିଲ ଥିଲା ଓଡ଼ିଶାରେ ବିକଶିତ ତିନି ତିନିଟି ସେମିକଣ୍ଡକ୍ଟର ଚିପ୍। ସେଥିରୁ ୨ଟି ଚିପ୍ NIT ରାଉରକେଲାରେ ତିଆରି ହୋଇଥିବାବେଳେ, ତୃତୀୟଟି ତିଆରି ହୋଇଛି ବ୍ରହ୍ମପୁର ନିକଟସ୍ଥ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ। NITରେ ପ୍ରସ୍ତୁତ ଚିପ୍ ସାଇବର ସୁରକ୍ଷା ଦିଗରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଲକ୍ଷ୍ୟ ରଖାଯାଇଥିବା ବେଳେ, ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ତିଆରି ଚିପ୍ ଫେସ୍ ରେକଗନିସନ୍ ଦ୍ବାରା ଅପରାଧୀଙ୍କୁ ଚିହ୍ନଟ କରିବାରେ ସହାୟକ ହେବ।

ସେମିକନ୍ ଇଣ୍ଡିଆକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେଦିନ ବେଶୀ ଦୂର ନୁହେଁ, ଯେତେବେଳେ ଭାରତରେ ତିଆରି ଛୋଟିଆ ଚିପ୍, ବିଶ୍ବରେ ଆଣିବ ବିରାଟ ପରିବର୍ତ୍ତନ। ଭାରତର ସେମିକଣ୍ଡକ୍ଟର ସହ ଗଢ଼ା ହେବ ବିଶ୍ବର ଭବିଷ୍ୟତ। ଭାରତରେ ଡିଜାଇନ୍ ହୋଇଥିବା ଓ ଭାରତରେ ତିଆରି ହୋଇଥିବା ଚିପ୍ ସାରା ବିଶ୍ବର ବିଶ୍ବାସ ଜିତିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ପେଟ୍ରୋଲିୟମ ହେଉଛି ବ୍ଲାକ୍ ଗୋଲ୍ଡ, ସେମିକଣ୍ଡକ୍ଟର ଚିପ୍ ହେଉଛି ଡିଜିଟାଲ ଡାଇମଣ୍ଡ୍। ଏଥିସହ କହିଛନ୍ତି- ୨୦୨୩ରେ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା ପ୍ରତିଷ୍ଠା ହୋଇଥିଲା, ୨୦୨୪ରେ ଅଧିକ ପ୍ଲାଣ୍ଟକୁ ଅନୁମୋଦନ ମିଳିଥିଲା। ୨୦୨୫ରେ ଅଧିକ ୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସାମଗ୍ରିକ ଭାବେ ସେମିକଣ୍ଡକ୍ଟର ପ୍ରକଳ୍ପରେ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି। ଦିଲ୍ଲୀ ୟଶୋଭୂମି କନଭେନସନ୍ ସେଣ୍ଟରରେ ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୪୮ରୁ ଅଧିକ ଦେଶରୁ ପ୍ରାୟ ୨୫୦୦ ପ୍ରତିନିଧି ଯୋଗଦେଇଛନ୍ତି। ଓଡ଼ିଶାରୁ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। 

ମୋବାଇଲ୍ ଫୋନରୁ ମହାକାଶଯାନ... ଟିଭି ଓ କଂପ୍ୟୁଟରରୁ ଚିକିତ୍ସା ଉପକରଣ ଓ ପ୍ରତିରକ୍ଷା ଟେକନୋଲୋଜି। ସେମିକଣ୍ଡକ୍ଟର ହେଉଛି ଅଧିକାଂଶ ଆଧୁନିକ ଇଲୋକ୍ଟ୍ରୋନିକ୍ ଉପକରଣର ଆତ୍ମା। କାରଣ ଏଥିରୁ ତିଆରି ହୋଇଥାଏ ଇଣ୍ଟିଗ୍ରେଟେଡ ସର୍କିଟ୍ ଚିପ୍ ବା ଆଇସି ଚିପ୍। ସିଲିକନ୍, ଜର୍ମାନିୟମ କିମ୍ବା ଗାଲିୟମ ଆର୍ସେନାଇଡକୁ ସେମିକଣ୍ଡକ୍ଟର ଭାବେ ବ୍ୟବହାର କରାଯାଏ। ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଏବେ ତାଇୱାନ, ଚୀନ, ଆମେରିକା, ଦକ୍ଷିଣ କୋରିଆ ଓ ଭିଏତନାମ ଆଗୁଆ ଥିବା ବେଳେ, ଭାରତ ବିଦେଶରୁ ଏହାକୁ ଆମଦାନୀ କରିଥାଏ। ତେବେ ସ୍ବଦେଶୀ ଚିପ୍ ତିଆରି ପାଇଁ ଦେଶରେ ଏବେ ୧୦ଟି ସେମିକଣ୍ଡକ୍ଟର ଶିଳ୍ପକୁ ଅନୁମୋଦନ ମିଳିଛି। ଗତମାସ ଓଡ଼ିଶାରେ ୨ଟି ସମେତ ଦେଶରେ ମୋଟ ୪ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲା କେନ୍ଦ୍ର କ୍ୟାବିନେଟ୍, ଯେଉଁଠି ନିବେଶ ହେବ ମୋଟ୍  ୪ହଜାର ୬ଶହ କୋଟି ଟଙ୍କା ଏବଂ ସୃଷ୍ଟି ହେବ ୨ ହଜାରରୁ ଅଧିକ ନିଯୁକ୍ତି। 

Disclaimer: This content has been automatically aggregated from television for informational purposes. To read the original article, please visit television.